ଇଦ୍ର ଛୁଟି ଅବସରରେ ଆଜି ଖୋଲିବ ସୁପ୍ରିମକୋର୍ଟ, ବିମାନରେ ସିଟ୍କୁ ନେଇ ହେବ ତତ୍କାଳ ଶୁଣାଣି
25/05/2020 at 10:22 AM

ନୂଆଦିଲ୍ଲୀ ୨୫।୦୫: ନ୍ୟାୟ ପାଇଁ ଦେଶରେ ବିଭିନ୍ନ ସମୟରେ ରାତି ଅଧରେ ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି । ଆଜି ଇଦ୍-ଉଲ୍-ଫିତର ଅବସରରେ କୋର୍ଟ ଛୁଟି ରହିଛି । କିନ୍ତୁ ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ତତ୍କାଳ ଶୁଣାଣି କରିବା ପାଇଁ ଆଜି କୋର୍ଟ ଖୋଲାଯିବ । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଅରବିନ୍ଦ ବୋବ୍ଡେ, ଜଷ୍ଟିସ୍ ବୋପନ୍ନା, ଜଷ୍ଟିସ୍ ହୃଷିକେଶ ରାୟକୁ ନେଇ ଗଠିତ ଖଣ୍ଡପୀଠ ଏକ ମାମଲାର ଶୁଣାଣି କରିବେ । ଉଚ୍ଚ ନ୍ୟାୟାଳୟଙ୍କ ଏକ ଆଦେଶକୁ ନେଇ କେନ୍ଦ୍ର ସରକାର ଓ ଏୟାର ଇଣ୍ଡିଆର ଅପିଲ ପରେ ମାମଲାର ତ୍ୱରିତ ଶୁଣାଣି କରାଯିବ ।
ସର୍ବୋଚ୍ଚ ଅଦାଲତ ଇଦ୍-ଉଲ୍-ଫିତର ଦିନ ଛୁଟି ଥାଏ । ଯାହା ପୂର୍ବ ନିର୍ଦ୍ଧାରିତ କ୍ୟାଲେଣ୍ଟର ଅନୁଯାୟୀ ରହିଥାଏ । କିନ୍ତୁ ରବିବାର ଦିନ ବିଳମ୍ବିତ ରାତିରେ ସୁପ୍ରମକୋର୍ଟ ରେଜିଷ୍ଟ୍ରାଙ୍କ ପକ୍ଷରୁ ସମ୍ବୋଧିତ ଏକ ମୋକଦ୍ଦମାର ତତ୍କାଳ ଶୁଣାଣି ପାଇଁ ସ୍ଥିର କରାଯାଇଥିଲା । ବମ୍ବେ ହାଇକୋର୍ଟ କରୋନା ମହାମାରୀକୁ ଦୃଷ୍ଟିରେ ରଖି ବିଦେଶରୁ ଆସିବାକୁ ଥିବା ଯାତ୍ରୀବାହୀ ବିମାନ ଉଡାଣରେ ଏୟାରଇଣ୍ଡିଆକୁ ବିମାନର ମଝିର ସିଟ୍ ଖାଲି ରଖିବାକୁ ଆଦେଶ ଦେଇଥିଲେ । ଯାହାକୁ ନେଇ କେନ୍ଦ୍ର ସରକାର ଓ ଏୟାର ଇଣ୍ଡିଆ ସର୍ବୋଚ୍ଚ ଅଦାଲତରେ ପହଞ୍ଚିଯାଇଥିଲେ , ଏବଂ ଏହି ରାୟକୁ ମଧ୍ୟ ଚ୍ୟାଲେଞ୍ଜ କରିଥିଲେ ।
ଏୟାର ଇଣ୍ଡିଆ ପାଇଲଟ୍ ଦେବେନ କନାନି ବିମାନର ମଝିରେ ଥିବା ସିଟ୍କୁ ଖାଲି ନକରିବାକୁ ନେଇ ବମ୍ବେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ସେ କହିଥିଲେ ଯେ, କେନ୍ଦ୍ର ସରକାର ବନ୍ଦେ ଭାରତ ମିଶନ ଅନୁଯାୟୀ ବିଦେଶରୁ ଭାରତୀୟଙ୍କ ସ୍ୱଦେଶ ଫେରାଇଆଣୁଥିବା ବିମାନରେ ମଝି ସିଟ୍ ଖାଲି ରଖାଯାଉନାହିଁ । ଗତ ୨୩ତାରିଖରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ସାମାଜିକ ଦୂରତା ରଖାକରିବା ପାଇଁ ଦିଆଯାଇଥିବା ଆଦେଶର ଉଲ୍ଲଂଘନ । ଏହାପରେ ଉଚ୍ଚ ନ୍ୟାୟାଳୟ ବିମାନର ମଝି ସିଟ୍ ଖାଲି ରଖିବାକୁ ଏୟାର ଇଣ୍ଡିଆକୁ ନିର୍ଦ୍ଦେଶ ଦେଇଥିଲେ । ଏବେ କେନ୍ଦ୍ର ସରକାର ଓ ଏୟାରଇଣ୍ଡିଆ ଉଭୟ ତଳ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ଆଜି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଏହା ମାମଲା ଶୁଣାଣି କରିବେ । ସୂଚନାନୁସାରେ ଏହି ମାମଲାର ଶୁଣାଣି ୧୦.୩୦ରେ ଆରମ୍ଭ ହେବାର ଥିଲା ।