ଶବ ସହିତ ଏ କେମିତି କା ବ୍ୟବହାର, ହସ୍ପିଟାଲ ସ୍ଥିତି ଦୟନୀୟ, କେଜ୍ରିଓ୍ଵାଲ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ କଡା ଭର୍ତ୍ସନା

Published By : Prameya-News7 Bureau | June 12, 2020 IST

ନୂଆଦିଲ୍ଲୀ ୧୨।୦୬: କରୋନା ରୋଗୀଙ୍କ ମୃତ୍ୟୁ ପରେ ଶବର ରକ୍ଷଣାବେକ୍ଷଣ ନେଇ ସୁପ୍ରିମକୋର୍ଟ ଶୁକ୍ରବାର ଦିଲ୍ଲୀ ସରକାରଙ୍କୁ କଡା ଭର୍ତ୍ସନା କରିଛନ୍ତି। ବଢୁଥିବା କରୋନା ସଂକ୍ରମଣ, ହସ୍ପିଟାଲର ସ୍ଥିତି, ଶବ ସହିତ କରାଯାଉଥିବା ବ୍ୟବହାରକୁ ନେଇ ଅଦାଲତ ଦିଲ୍ଲୀ ସରକାରଙ୍କଠୁ ଜବାବ ଲୋଡିଛନ୍ତି। ଦିଲ୍ଲୀରେ ଯେଉଁ ଭଳି ଶବର ରକ୍ଷଣାବେକ୍ଷଣ କରାଯାଉଛି ତାହା ବହୁତ ଯନ୍ତ୍ରଣାଦାୟୀ ବୋଲି ଅଦାଲତ କହିଛନ୍ତି।

ଶୁଣାଣି ସମୟରେ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି, ଦିଲ୍ଲୀରେ ଶବର ରକ୍ଷଣାବେକ୍ଷଣ ଅବସ୍ଥା ବହୁତ ଶୋଚନୀୟ ରହିଛି। ପରିବାର ଲୋକଙ୍କୁ ମୃତ୍ୟୁର ସୂଚନା ମଧ୍ୟ ଦିଆଯାଉ ନାହିଁ। ଏମିତି ଅନେକ ମାମଲା ଦେଖିବାକୁ ମିଳୁଛି ଯେଉଁଠି ପରିଜନ ନିଜ ଲୋକଙ୍କ ମୃତ୍ୟୁ ପରେ ଅନ୍ତିମ ସଂସ୍କାରରେ ମଧ୍ୟ ସାମିଲ ହୋଇ ପାରୁ ନାହାନ୍ତି। ସୁପ୍ରିମକୋର୍ଟ ଏହି ମାମଲାରେ ଦିଲ୍ଲୀ ସରକାରଙ୍କୁ ଜବାବ ଦାଖଲ କରିବାକୁ କହିଛନ୍ତି। ଏହା ସହିତ ଏଲଏନଜେପି ହସ୍ପିଟାଲର ସ୍ଥିତି ଗମ୍ଭୀରତାର ସହ ନେଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କଠୁ ଜବାବ ଲୋଡିଛନ୍ତି।

ସୁପ୍ରିମକୋର୍ଟ ଶୁଣାଣି ସମୟରେ ଦିଲ୍ଲୀ ସରକାର ଯେଉଁଭଳି ଭାବେ ହସ୍ପିଟାଲରେ ରୋଗୀଙ୍କ ଚିକିତ୍ସା କରୁଛି ଏବଂ ଯେଉଁଭଳି ଭାବେ ମୃତ ଶରୀର ସହିତ ବ୍ୟବହାର କରାଯାଉଛି ତା ଉପରେ ତାଗିଦ୍‌ କରି କହିଛନ୍ତି ଯେ, ଦିଲ୍ଲୀରେ ଯାହା ସ୍ଥିତି ତାହା ବହୁତ ଭୟାନକ ରହିଛି। ଅଦାଲତ ଦିଲ୍ଲୀ ସରକାରଙ୍କ ଓକିଲଙ୍କୁ କହିଛନ୍ତି  ହସ୍ପିଟାଲରେ ପ୍ରତି ଜାଗାରେ ଶବ ପଡି ରହିଛି ଏବଂ ଲୋକଙ୍କୁ ସେଠାରେ ରଖି ଚିକିତ୍ସା ମଧ୍ୟ କରାଯାଉଛି।

ଅଦାଲତ କହିଛନ୍ତି, ଦିଲ୍ଲୀରେ ୨୦୦୦ ଶଯ୍ୟା ଖାଲି ରହିଛି ମାତ୍ର ରୋଗୀଙ୍କୁ ଦେଖିବା ଲାଗି କେହି ନାହାନ୍ତି। ଅଦାଲତ ସେହି ଭିଡିଓକୁ ଉଲ୍ଲେଖ କରି କହିଛନ୍ତି ଯେଉଁଥିରେ ରୋଗୀ ଅଛନ୍ତି ଏବଂ ସେମାନଙ୍କୁ ଦେଖିବାକୁ କେହି ନାହାନ୍ତି। ଅଦାଲତ କହିଛନ୍ତି ଏହା ବହୁତ ଦୁଃଖଦାୟକ ସ୍ଥିତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.