ନ୍ୟୁଜ୍ ଚ୍ୟାନେଲ୍‌ର ଡିବେଟ୍‌ ଉପରେ ସୁପ୍ରିମକୋର୍ଟ ଚିନ୍ତିତ, କହିଲେ- ମିଡିଆରେ ବି ନୀତି ନିୟମ ରହିବା ଉଚିତ୍

Published By : Prameya-News7 Bureau | September 15, 2020 IST

ନୂଆଦିଲ୍ଲୀ ୧୫।୦୯: ଏକ ଟିଭି ଚ୍ୟାନେଲର ବିବାଦୀୟ ଏପିସୋଡର ଶୁଣାଣି ସମୟରେ ସୁପ୍ରିମକୋର୍ଟ ନ୍ୟୁଜ୍ ଚ୍ୟାନେଲର ବିତର୍କକୁ ନେଇ କଡା ଟିପ୍ପଣୀ ଦେଇଛନ୍ତି। କୋର୍ଟ କହିଛନ୍ତି ଚ୍ୟାନେଲରେ ହେଉଥିବା ଡିବେଟ୍‌ ଚିନ୍ତାର ବିଷୟ। ଏହି ଡିବେଟ୍‌ରେ ଏମିତି ସବୁ ପ୍ରକାରର ଯୁକ୍ତିତର୍କ ହେଉଛି ଯାହା ମାନହାନୀ ଶ୍ରେଣୀରେ ଆସୁଛି। ଅଧିକାଂଶ ସମୟ ଏମିତି ହେଉଛି ଉପସ୍ଥାପକ କହି ଚାଲୁଛି, ସ୍ପିକର ମ୍ୟୁଟ୍ କରି ଦିଆଯାଉଛି ଏବଂ ପ୍ରଶ୍ନ ପଚରା ଯାଉଛି। ନ୍ୟାୟାଳୟ ପ୍ରେସ୍‌ର ସ୍ଵାଧୀନତାକୁ ନେଇ ଉଠୁଥିବା ପ୍ରଶ୍ନ ଉପରେ କହିଛନ୍ତି ଯେ ମିଡିଆରେ ନୀତି ନିୟମର ବ୍ୟବସ୍ଥା ରହିବା ଉଚିତ୍।

ସର୍ବୋଚ୍ଚ ନ୍ୟାୟାଳୟ ଏକ  ଟିଭି ଚ୍ୟାନେଲକୁ ପରବର୍ତ୍ତୀ ଏପିସୋଡ୍‌ର  ପ୍ରସାରଣ ଉପରେ ରୋକ୍‌ ଲଗାଇଛି। ଅଦାଲତ କହିଛି କାର୍ଯ୍ୟକ୍ରମ  ପ୍ରଥମ ନଜରରେ ଅଳ୍ପସଂଖ୍ୟକ ସମୁଦାୟକୁ ବଦନାମ କରୁଥିବା ପ୍ରତୀତ  ହେଉଛି। ଟିଭି କାର୍ଯ୍ୟକ୍ରମର ପ୍ରୋମୋରେ ଦାବି କରାଯାଉଥିଲା ଯେ ସରକାରୀ ସେବାରେ ଅଳ୍ପସଂଖ୍ୟକ ସମୁଦାୟର ସଦସ୍ୟଙ୍କ ଅନୁପ୍ରବେଶ ଷଡଯନ୍ତ୍ରର ପର୍ଦ୍ଦାଫାଶ କରାଯାଉଛି। ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୧୭ରେ ହେବ।

ସୁପ୍ରିମକୋର୍ଟ କହିଛନ୍ତି ପାଞ୍ଚ ନାଗରିକଙ୍କ ଏକ  କମିଟି ଗଠନ କରାଯାଇପାରେ। ଏହି କମିଟି ମିଡିଆର ସେଲ୍‌ଫ ରେଗୁଲେସନ ପାଇଁ ମାପଦଣ୍ଡ ପ୍ରସ୍ତୁତ କରିବେ। ଏହି କମିଟିର ସଦସ୍ୟ କୌଣସି ପ୍ରକାରର ରାଜନୈତିକ ବ୍ୟକ୍ତି ବିଶେଷ ହେବେ ନାହିଁ। ସଦସ୍ୟ ଏମିତି ରହିବା ଉଚିତ୍ ଯାହାଙ୍କ ବ୍ୟକ୍ତିତ୍ଵ ପ୍ରଶଂସନୀୟ ହୋଇଥିବ।

ସର୍ବୋଚ୍ଚ ନ୍ୟାୟାଳୟ ଏକ ଟିଭି ଚ୍ୟାନେଲ ପ୍ରୋଗ୍ରାମରେ ପ୍ରଶ୍ନ ଉଠାଇ କହିଛନ୍ତି ଗଣମାଧ୍ୟମରେ ସେଲ୍‌ଫ ରେଗୁଲେସନର ବ୍ୟବସ୍ଥା ହେବା ଉଚିତ୍। ଟିଭି ଚ୍ୟାନେଲ୍‌ର ପ୍ରୋଗ୍ରାମରେ ଦାବି କରାଯାଉଥିଲା ଯେ ସିଭିଲ ସର୍ଭିସରେ ଏକ ସଂପ୍ରଦାୟର ବ୍ୟକ୍ତିଙ୍କ ଅନୁପ୍ରବେଶର ପର୍ଦ୍ଦାଫାଶ କରାଯାଉଛି। ସୁପ୍ରିମକୋର୍ଟରେ ଏହି କାର୍ଯ୍ୟକ୍ରମ ବିରୋଧରେ ଯାଚିକା ଦାଖଲ କରାଯାଇଥିଲା।

ଏହି ମାମଲାର ଶୁଣାଣି ସମୟରେ ଜଷ୍ଟିସ ଡିଓ୍ଵାଇ ଚନ୍ଦ୍ରଚୂଡଙ୍କ ନେତୃତ୍ଵାଧୀତ ପୀଠ କହିଛନ୍ତି ବିତର୍କ କାର୍ଯ୍ୟକ୍ରମରେ ଏମିତି ଯୁକ୍ତିତର୍କ ହୋଇଥାଏ ଯାହା ମାନହାନୀ ଶ୍ରେଣୀରେ ଆସିଥାଏ। ଜଷ୍ଟିସ କେଏ ଯୋଶେଫ କହିଛନ୍ତି କାର୍ଯ୍ୟକ୍ରମରେ ଉତ୍ତେଜନା ସୃଷ୍ଟିକାରୀ ଟିପ୍ପଣୀ କରାଯାଉଛି ଯେ ଗୋଟିଏ ସଂପ୍ରଦାୟ ବିଶେଷର ଲୋକ ସିଭିଲ ସର୍ଭିସରେ ପ୍ରବେଶ  କରୁଛନ୍ତି। କାର୍ଯ୍ୟକ୍ରମରେ କୁହାଯାଉଛି ଯେ ଗୋଟିଏ ସମୁଦାୟର ବିଶେଷ ଲୋକ ପ୍ରଶାସନିକ ସେବାରେ ଅନୁପ୍ରବେଶ କରୁଛନ୍ତି। ଏମିତି ବୟାନ ଉନ୍ମାଦନା ସୃଷ୍ଟିକାରୀ ବୋଲି କୋର୍ଟ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.