ଲକ୍‌ଡାଉନ୍‌ରେ ଘରୋଇ କଲେଜ୍ ଛାତ୍ରଙ୍କ ଫି ଛାଡ କରାଯାଉ, ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

Published By : Prameya-News7 Bureau | May 08, 2020 IST

ନୂଆଦିଲ୍ଲୀ ୦୮।୦୫: କରୋନା ଭାଇରସ୍‌ କାରଣରୁ ଉପୁଜିଥିବା ସ୍ଥିତି ପ୍ରଭାବରେ ଅନେକ ଅଭିବାବକଙ୍କ ଚାକିରି ଚାଲି ଯାଇଛି। ଏହାକୁ ଦୃଷ୍ଟିରେ ରଖି ଘରୋଇ କଲେଜ୍‌ରେ ଛାତ୍ରଙ୍କ ଫି ଛାଡ କରିବାକୁ ଅନୁରୋଧ କରି  ଘରୋଇ କଲେଜ୍‌ର ଛାତ୍ରଙ୍କ ପକ୍ଷରୁ ଦାୟର ଆବେଦନ ଉପରେ ସର୍ବୋଚ୍ଚ ଅଦାଲତ ଶୁକ୍ରବାର ଶୁଣାଣି କରିଛନ୍ତି।

ସୁପ୍ରିମକୋର୍ଟ ଶୁଣାଣି  ବେଳେ ଆବେଦନକାରୀଙ୍କ ଓକିଲଙ୍କୁ ପ୍ରଶ୍ନ କରିଛନ୍ତି ଯେ, ଯଦି ଫି ନଦିଅନ୍ତି ତେବେ କଲେଜ୍ କେମିତି ଚାଲିବ। କଲେଜ୍ ନିଜର କର୍ମଚାରୀଙ୍କୁ ଦରମା କେମିତି ଦେବ। ଓକିଲ କଲେଜ୍ ଛାତ୍ରଙ୍କୁ ଫିରେ କିଛି ଛାଡ ଦେବାକୁ କଲେଜ୍‌ ପ୍ରଶାସନକୁ ଆଦେଶ ଦେବାକୁ ସୁପ୍ରିମକୋର୍ଟରେ ଅନୁରୋଧ କରିଥିଲେ। ହେଲେ ସର୍ବୋଚ୍ଚ ଅଦାଲତ ଏହା କହି ନିର୍ଦ୍ଦେଶ ଦେବାକୁ ମନା କରିଛନ୍ତି ଯେ, ତାଙ୍କୁ ସମ୍ବନ୍ଧିତ  ବିଶ୍ଵ ବିଦ୍ୟାଳୟ ସହ ପ୍ରଥମେ ଆଲୋଚନା କରିବାକୁ ପଡିବ।

ଛାତ୍ର ନିଜର ଦଲିଲ୍‌ରେ ଏହି ଯୁକ୍ତି ବାଢିଥିଲେ ଯେ, କୋଭିଡ୍-୧୯ ଲକ୍‌ଡାଉନ୍‌ କାରଣରୁ ଉଦ୍ୟୋଗ ସେକ୍ଟରରେ ବିପୁଳ କ୍ଷତି ଘଟିଛି। କମ୍ପାନୀ ନିଜ କର୍ମଚାରୀଙ୍କ ବେତନ କାଟୁଛନ୍ତି ଏବଂ ଲକ୍ଷାଧିକ ଲୋକ ନିଜର ଚାକିରି ହରାଇ ସାରିଛନ୍ତି। କେନ୍ଦ୍ର ସରକାର ଓ ରାଜ୍ୟ ସରକାର ପ୍ରଥମରୁ ହିଁ ସ୍କୁଲ ପିଲାଙ୍କ ଫି ନ ବଢାଇବାକୁ କହି ସାରିଛନ୍ତି।

ବିଶେଷ କରି ଅନେକ ଅଭିଭାବକ  ଲକ୍‌ଡାଉନ୍ କାରଣରୁ ନିଜର ଚାକିରି ହରାଇଛନ୍ତି। ଏମିତି ସ୍ଥିତିରେ ସେମାନେ ଘରୋଇ କଲେଜ୍‌ରେ ପଢୁଥିବା ନିଜ ପିଲାଙ୍କ ଫି ଦେଇ ପାରୁ ନାହାନ୍ତି। ଆବେଦନରେ ଏହି ପ୍ରସଙ୍ଗ ଉପରେ ସର୍ବୋଚ୍ଚ ନ୍ୟାୟାଳୟର ଧ୍ୟାନ ଆକର୍ଷିତ କରିବାକୁ ଚେଷ୍ଟା କରାଯାଇଥିଲା। ମାତ୍ର କୋର୍ଟ ଆବେଦନକୁ ଖାରଜ କରି ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.