ସୁପ୍ରିମ୍‌କୋର୍ଟରେ ସିବିଆଇ ବିବାଦ ମାମଲା : ୨୯ ନଭେମ୍ବରକୁ ଘୁଞ୍ଚିଲା ମାମଲାର ଶୁଣାଣି

Published By : Prameya-News7 Bureau | November 20, 2018 IST

ନୂଆଦିଲ୍ଲୀ ୨୦|୧୧: ଘୁଞ୍ଚିଲା ସିବିଆଇ ବିବାଦ ମାମଲାର ଶୁଣାଣି। ସିବିଆଇ ମାମଲାରେ ସୁପ୍ରିମକୋର୍ଟ ଶୁଣାଣିକୁ ୨୯ ନଭେମ୍ବର ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି । ଆଜି ଏହି ବହୁ ପ୍ରତିକ୍ଷୀତ  ଶୁଣାଣିକୁ ସାରା ଦେଶ ଅପେକ୍ଷା କରି ରହିଥିଲେ ମଧ୍ୟ ସୁପ୍ରିମକୋର୍ଟ ନଭେମ୍ବର ୨୯ ପର୍ଯ୍ୟନ୍ତ ମାମଲାର ଶୁଣାଣି ସ୍ଥଗିତ ରଖିଛନ୍ତି। ଚିଫ୍ ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ବେଞ୍ଚରେ ଆଜି ଏହି ଗୋଟିଏ ମାମଲାର ଶୁଣାଣି ହେବାକୁ ଥିଲେ ମଧ୍ୟ କୋର୍ଟ ଏହାକୁ ଆଜି ଶୁଣାଣି କରିବାକୁ ମନା କରିଦେଇଛନ୍ତି। ସିବିଆଇ ମୁଖ୍ୟଙ୍କ ବିରୋଧରେ ଦୁର୍ନୀତି ମାମଲାରେ ଚିଫ୍ ଭିଜିଲାନ୍ସ କମିଶନର ଏବଂ ଆଲୋକ ବର୍ମାଙ୍କ ପକ୍ଷରୁ କୋର୍ଟରେ ଦାୟର ହୋଇଥିବା ଲଫାପା ବନ୍ଦ ଉତ୍ତର କେମିତି ଲିକ୍ ହେଲା ସେନେଇ ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ। ଆପଣଙ୍କ ମଧ୍ୟରୁ କେହି ମଧ୍ୟ ଶୁଣାଣି ପାଇଁ ଯୋଗ୍ୟ ନୁହଁନ୍ତି ବୋଲି କୋର୍ଟ କହିଛନ୍ତି । ଆଲୋକ ବର୍ମା ତାଙ୍କୁ ସିବିଆଇ ନିର୍ଦ୍ଦେଶକ ପଦରୁ ହଟାଯିବାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଯାଇଥିଲେ। ପୂର୍ବରୁ ଗତ ଶୁକ୍ରବାର ଦିନ ସୁପ୍ରିମକୋର୍ଟ ସିବିଆଇ ମାମଲାରେ ଶୁଣାଣି କରି କହିଥିଲେ ଯେ, ଆଲୋକ ବର୍ମାଙ୍କୁ ସିଭିସି ରିପୋର୍ଟରେ କ୍ଲିନଚିଟ୍  ଦିଆଯାଇନାହିଁ । ସିଭିସି ରିପୋର୍ଟ ମଧ୍ୟ ସଂପୂର୍ଣ୍ଣ ଗ୍ରହଣୀୟ ନୁହେଁ ବୋଲି ସୁପ୍ରିମକୋର୍ଟ ଶୁକ୍ରବାର ଶୁଣାଣି କହିଥିଲେ। ସିଭିସି ଆଲୋକ ବର୍ମାଙ୍କ ସଂପର୍କରେ ତାର ରିପୋର୍ଟ ଦେବାପରେ ଆଲୋକ ବର୍ମା ଗତକାଲି ସୁପ୍ରିମକୋର୍ଟରେ ବନ୍ଦ ଲଫାପାରେ ଜବାବ ଦେଇଥିଲେ। ତେବେ ଉଭୟ ରିପୋର୍ଟ କେମିତି ଲିକ୍  ହେଲା ସେନେଇ ସୁପ୍ରିମକୋର୍ଟ ଆଶ୍ଚର୍ଯ୍ୟପ୍ରକାଶ କରିଛନ୍ତି। ସେପଟେ ସିବିଆଇ କାହାଣୀରେ ନୂଆ ମୋଡ ଆସିଛି । ମନ୍ତ୍ରୀ ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ଟାଣିଛନ୍ତି ସିବିଆଇ ଅଧିକାରୀ । ବିଭିନ୍ନ ମାମଲାରେ ମନ୍ତ୍ରୀ ଲାଂଚ ନେଉଛନ୍ତି ଓ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭଲ ହସ୍ତକ୍ଷେପ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ସିବିଆଇ ଡିଆଇଜି ମନୀଷ କୁମାର ସିହ୍ନା । ହାଇଦ୍ରାବାଦ ବ୍ୟବସାୟୀ ସତୀଶ ସିହ୍ନାଙ୍କ ମାମଲାରେ ଜଣେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ କୋଟି କୋଟି ଟଙ୍କା ଲାଂଚ ନେଇଥିବା ବେଳେ ଡୋଭଲ ହସ୍ତକ୍ଷେପ କରିଥିବା ସିହ୍ନା ଅଭିଯୋଗ କରିଛନ୍ତି । ସେହିପରି ରାକେଶ ଅସ୍ଥାନା ମାମଲାରେ ମଧ୍ୟ ଡୋଭଲ ବାଧା ସୃଷ୍ଟି କରିଥିବା ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.