କରୋନା ପ୍ରଭାବ: ଅଦାଲତଙ୍କ କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ ଅସମ୍ଭବ, ଖୁବ ଶୀଘ୍ର ଭର୍ଚୁଆଲ କୋର୍ଟ ପାଇଁ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି...

Published By : Prameya-News7 Bureau | March 16, 2020 IST

ନୂଆଦିଲ୍ଲୀ୧୬/୩: କରୋନା ଭାଇରସ୍‌ରେ ପୂରା ବିଶ୍ବ ଆତଙ୍କିତ। ଏହି ସମୟରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଏସ୍‌ଏ ବୋବଡ଼େ ଏକ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ସେ କହିଛନ୍ତି, କରୋନା ଭାଇରସ୍‌ ଭୟରେ ଦେଶବାସୀ ଭୟଭୀତ। ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥାଗୁଡିକକୁ ବନ୍ଦ ରଖିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ହେଲେ ଅଦାଲତ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବା ସମ୍ଭବ ନୁହେଁ। ଏହ ବିକଳ୍ପରେ ଖୁବ ଶୀଘ୍ର ଭର୍ଚୁଆଲ ଅଦାଲତ ଖୋଲା ହେବ। କିନ୍ତୁ ବର୍ତ୍ତମାନ ସମୟରେ ସୀମିତ ସମୟ ପାଇଁ ଅଦାଲତ ବନ୍ଦ ରହିବ। ଏଥିସହ କରୋନା ଭାଇରସ୍‌କୁ ନେଇ ବିଶେଷଜ୍ଞମାନେ ଯେଉଁ ସୁରକ୍ଷା ବ୍ୟବସ୍ଥା ଆପଣାଇଛନ୍ତି। ତାହାକୁ ପାଳନ କରିବାକୁ ସିଜେଆଇ ବାର କାଂଉସିଲକୁ ନିବେଦନ କରିଛନ୍ତି। ସୋମବାର ଅର୍ଥାତ ଆଜି ସକାଳୁ ସୁପ୍ରିମକୋର୍ଟ ବାହାରେ ଥର୍ମାଲ ସ୍କ୍ରିନିଂ କରୁଥିବା ଲୋକଙ୍କ ଲମ୍ବା ଧାଡି ଦେଖିବାକୁ ମିଳିଥିଲା।

ସେହିପରି ଜଷ୍ଟିସ୍‌ ଡିଓ୍ବାଇ ଚନ୍ଦ୍ରଚୁଡଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ଭର୍ଚୁଆଲ କୋର୍ଟ ଆରମ୍ଭ ହେବ। କିନ୍ତୁ ତଳ କୋର୍ଟରେ ଏହା ବହୁତ କଷ୍ଟ ହେବ। କାହିଁକି ନା ସେଠାରେ ବିଭିନ୍ନ ପ୍ରକାର ଚ୍ୟାଲେଞ୍ଜକୁ ସାମ୍ନା କରିବାକୁ ପଡ଼ିବ। ଏହି ଖଣ୍ଡପୀଠ ଆହୁରି ମଧ୍ୟ କହିଛନ୍ତି ଯେ, ଏମିତି ସ୍ଥାନରେ ଭର୍ଚୁଆଲ କୋର୍ଟ ନ ହେଉ, ଯେଉଁଠି ସଂକ୍ରମଣ ଅଧିକ ମାତ୍ରାରେ ବ୍ୟାପିବାର ସମ୍ଭାବନା ରହିଛି। ଏଥିସହ ଆଗାମୀ ନିଷ୍ପତ୍ତି ଡିଜିଟାଲ ଏବଂ ଭର୍ଚୁଆଲ କୋର୍ଟ ମାଧ୍ୟମରେ ନିଆଯିବ।

ଅନ୍ୟପଟେ କରୋନା ଭାଇରସ୍‌ ନିମନ୍ତେ ଜେଲ୍‌ରେ ଥିବା କଏଦୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। କରୋନା ଭାଇରସ୍‌କୁ ନଜରରେ ରଖି ଜେଲ୍‌ରେ ଥିବା କଏଦୀଙ୍କୁ କିପରି ସୁରକ୍ଷା ଯୋଗା ଦିଆଯାଉଛି। ସେନେଇ  ମାର୍ଚ୍ଚ ୨୦ ସୁଦ୍ଧା ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବ ଏବଂ ଜେଲର ମହାନିର୍ଦ୍ଦେଶକଙ୍କୁ ଏହାର ଜବାବ ମାଗିଛନ୍ତି। କୋର୍ଟ କହିଛନ୍ତି ,ଯେ କରୋନା ଭାଇରସର ବିପଦକୁ ଦୃଷ୍ଟିରେ ରଖି କେତେକ ରାଜ୍ୟ ପଦକ୍ଷେପ ନେଇଛନ୍ତି। ତଥାପି ଅନେକ ରାଜ୍ୟ ଉପଯୁକ୍ତ ନିଷ୍ପତ୍ତି ନେଇ ନାହାଁନ୍ତି। ଜେଲରେ ଥିବା ବନ୍ଦୀ କଏଦୀଙ୍କ ସୁରକ୍ଷା ନେବା ପାଇଁ ମଧ୍ୟ ଅଦାଲତ ପକ୍ଷରୁ ସୂଚନା ଦିଆଯାଇଛି। ଜେଲ୍‌ରେ କଏଦୀମାନେ ଏକାଠି ନ ହେବା ପାଇଁ ମରାମର୍ଶ ମଧ୍ୟ ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.