ସୁଶାନ୍ତ କେସ୍‌ର ତଦନ୍ତ କିଏ କରିବ ? ମୁମ୍ବାଇ ପୋଲିସ ନା ସିବିଆଇ, କାଲି ଗୁରୁତ୍ଵପୂର୍ଣ୍ଣ ରାୟ ଶୁଣାଇବେ ସୁପ୍ରିମକୋର୍ଟ

Published By : Prameya-News7 Bureau | August 18, 2020 IST

ନୂଆଦିଲ୍ଲୀ ୧୮।୦୮: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ କେସ୍‌ରେ ସୁପ୍ରିମକୋର୍ଟ ଆସନ୍ତାକାଲି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ଶୁଣାଇବେ। ସର୍ବୋଚ୍ଚ ନ୍ୟାୟାଳୟ ଏହା ସ୍ଥିର କରିବେ ଯେ ସୁଶାନ୍ତଙ୍କ ମୃତ୍ୟୁର ତଦନ୍ତ ସିବିଆଇ କରିବ ନା ମୁମ୍ବାଇ ପୋଲିସ କରିବ। ବିହାର ସରକାର ପାଟନାରେ ରୁଜୁ ଏଫଆଇଆରକୁ ସିବିଆଇକୁ ହସ୍ତାନ୍ତର କରି ସାରିଛି। ଅପରପକ୍ଷେ ମହାରାଷ୍ଟ୍ର ସରକାର ସିବିଆଇକୁ ତଦନ୍ତ ଦାୟିତ୍ଵ ଦେବାକୁ ପ୍ରବଳ ବିରୋଧ କରୁଛି। ଉଚ୍ଚତମ ନ୍ୟାୟାଳୟ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଆବେଦନ ଉପରେ ଆସନ୍ତାକାଲି ପୂର୍ବାହ୍ନ ୧୧ଟାରେ ନିଷ୍ପତ୍ତି ଶୁଣାଇବେ। ରିୟା ପାଟନାରେ ରୁଜୁ ମାମଲା ମୁମ୍ବାଇ ସ୍ଥାନାନ୍ତର କରିବାକୁ କୋର୍ଟରେ ଦାବି କରିଛନ୍ତି।

ଏହା ପୂର୍ବରୁ ସୁପ୍ରିମକୋର୍ଟ ଗତ ମଙ୍ଗଳବାର ଶୁଣାଣି ପରେ ରାୟ ସଂରକ୍ଷିତ ରଖିଥିଲେ। ବିଚାରପତି ହୃଷିକେଷ ରାୟଙ୍କ ପୀଠ ଏହି ହାଇପ୍ରୋଫାଇଲ କେସ୍‌ର ଶୁଣାଣି କରୁଛନ୍ତି। ବରିଷ୍ଠ ଆଡଭୋକେଟ୍‌ ମନିନ୍ଦର ସିଂହ ବିହାର ସରକାରଙ୍କ ତରଫରୁ, ଏଏମ ସିଙ୍ଘଭି ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ, ଶ୍ୟାମ ଦିଓ୍ଵାନ ରିୟାଙ୍କ ପକ୍ଷରୁ ଏବଂ ବିକାଶ ସିଂହ ସୁଶାନ୍ତ ସିଂହଙ୍କ ପରିବାର ପକ୍ଷରୁ ମାମଲା  ଲଢୁଛନ୍ତି। ସମସ୍ତ ପକ୍ଷ ଅଦାଲତରେ ନିଜ ନିଜର ତଥ୍ୟ ରଖି ସାରିଛନ୍ତି। ସମସ୍ତ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ରିୟା ଚକ୍ରବର୍ତ୍ତୀ ସୁଶାନ୍ତ ସିଂହଙ୍କ କେସକୁ ପାଟନାରୁ ମୁମ୍ବାଇ ସ୍ଥାନାନ୍ତର କରିବା ଆବେଦନ ଉପରେ ଉଚ୍ଚତମ ନ୍ୟାୟାଳୟ ରାୟ ସଂରକ୍ଷିତ ରଖିଥିଲେ।

ସୁଶାନ୍ତ କେସ୍‌ର ତଦନ୍ତ କିଏ କରିବ ?

ମହାରାଷ୍ଟ୍ର ସରକାରଙ୍କ ଦଲିଲ୍ ଅନୁଯାୟୀ ମୁମ୍ବାଇ ପୋଲିସ୍‌ ମାମଲାର ତଦନ୍ତ କରି ଏହି ମାମଲାରେ ୫୬ ଜଣଙ୍କ ବୟାନ ରେକର୍ଡ କରିଛି। ମୁମ୍ବାଇ ପୋଲିସ ଯୁକ୍ତି ଅନୁଯାୟୀ ପୂରା ମାମଲା ମୁମ୍ଵାଇ ପୋଲିସ ଅଧିକାର କ୍ଷେତ୍ରରେ ରହିଛି, କାରଣ ଘଟଣା ମୁମ୍ବାଇରେ ଘଟିଛି। ସୁଶାନ୍ତଙ୍କ ପିତା ପାଟନାରେ ଏଫଆଇଆର ରୁଜୁ କରିଛନ୍ତି। ମାତ୍ର ପରେ ସେ ମାମଲାର ସିବିଆଇ ତଦନ୍ତ ଦାବି କରିଛନ୍ତି। ଅପରପକ୍ଷେ ଅଭିଯୁକ୍ତ ରିୟାଚକ୍ରବର୍ତ୍ତୀ କହିଛନ୍ତି ମାମଲାର ତଦନ୍ତ ମୁମ୍ବାଇ ପୋଲିସ କରିବା ଉଚିତ୍। ଏଥିପାଇଁ ପାଟନାର ଏଫଆଇଆର ମୁମ୍ବାଇ ସ୍ଥାନାନ୍ତର କରାଯାଉ।

ଉଦ୍ଧବ ଠାକରେ ସରକାର ସୁଶାନ୍ତଙ୍କ ଅଭିଯୁକ୍ତଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଥିବା ଅଭିଯୋଗ ହୋଇଛି। ତେଣୁ ମୁମ୍ଵାଇ ପୋଲିସ ଜାଣିଶୁଣି କେସ୍‌ ଚପାଇବାକୁ ଚେଷ୍ଟା କରୁଥିବା କୁହାଯାଉଛି। ମୁମ୍ଵାଇ ପୋଲିସର ତଦନ୍ତ ଉପରେ ଭରସା ନରଖି ସୁଶାନ୍ତ ପିତା ପାଟନାରେ ଏଫଆଇଆର ରୁଜୁ କରିଛନ୍ତି। ରିୟା ତାଙ୍କ ପୁଅକୁ ନିଜ କବ୍‌ଜାରେ ରଖିବା, ସୁଶାନ୍ତଙ୍କ ଅର୍ଥ ହେରଫେର କରିବା ଏବଂ ଆକାଉଣ୍ଟରୁ ୧୫ କୋଟି ଟଙ୍କା ହଡପ କରିଥିବା ସୁଶାନ୍ତଙ୍କ ପିତା ଅଭିଯୋଗ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.