ଟଳିଲା ଚାଷୀଙ୍କ ସହ ସରକାରଙ୍କ ୧୦ତମ ବୈଠକ, ଜାନୁୟାରୀ ୨୧ରେ ଆଲୋଚନା କରିବେ ସୁପ୍ରିମକୋର୍ଟ କମିଟି

Published By : Prameya-News7 Bureau | January 19, 2021 IST

ନୂଆଦିଲ୍ଲୀ ୧୯।୧:  କୃଷି ଆଇନକୁ ନେଇ ସରକାର ଓ ଚାଷୀଙ୍କ ମଧ୍ୟରେ ମଙ୍ଗଳବାର ସ୍ଥିରିକୃତ ୧୦ମ ବୈଠକ ଟଳିଛି। ଅନ୍ୟପକ୍ଷରେ ସୁପ୍ରିମକୋର୍ଟ ଗଠନ କରିଥିବା କମିଟି ଜାନୁୟାରୀ ୨୧ ତାରିଖ ଦିନ ଚାଷୀଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡିଛି। ସୁପ୍ରିମକୋର୍ଟ କମିଟି ସଦସ୍ୟ ଅନୀଲ ଘନବଟ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି।

କୃଷି ଆଇନ ବିରୋଧରେ ଚାଷୀ ଦୀର୍ଘ ୫୫ ଦିନ ହେଲା ଦିଲ୍ଲୀ ପ୍ରବେଶମାର୍ଗମାନଙ୍କରେ ଧାରଣାଦେଇ ବସିଛନ୍ତି। କେନ୍ଦ୍ର କୃଷିମନ୍ତ୍ରୀ  ପ୍ରସଙ୍ଗରେ ଚାଷୀଙ୍କ ସହ ଅନେକ ପର୍ଯ୍ୟାୟ ଆଲୋଚନା କରିସାରିଲେଣି। ହେଲେ ସମାଧାନର ବାଟ ବାହାରିପାରୁନି। ଏଥିରେ ସୁପ୍ରିମକୋର୍ଟ ଚାଷୀ ଓ ସରକାରଙ୍କ ମଧ୍ୟରେ ଏକ ନିରପେକ୍ଷ କମିଟି ଗଠନ କରିଛନ୍ତି। ଏହି କମିଟି ଚାଷୀଙ୍କ ସମେତ ସରକାରଙ୍କ ମତାମତ କୋର୍ଟଙ୍କୁ ଜଣାଇବେ।

ଏଥିଲାଗି ମଙ୍ଗଳବାର ସୁପ୍ରିମକୋର୍ଟ କମିଟିଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା। ୩ ସଦସୀୟ ସମିତି ଜାନୁୟାରୀ ୨୧ ପୂର୍ବାହ୍ନ ୧୧ଟା ବେଳେ ଆନ୍ଦୋଳନରତ ଚାଷୀଙ୍କ ନିକଟକୁ ଯାଇ ଆଇନ ସମ୍ପର୍କରେ ସେମାନଙ୍କର ମତାମତ ଗ୍ରହଣ କରିବେ। ସେହିପରି କମିଟିରେ ଉପସ୍ଥିତ ହୋଇ ନ ପାରିବେ ଚାଷୀ ସଙ୍ଗଠନଙ୍କ ମତାମତ ଭିଡିଓ କନଫରେନସିଂରେ ନିଆଯିବ ବୋଲି ଘନବଟ କହିଛନ୍ତି।

ସେପଟେ  ରାଜଧାନୀରେ ଆନ୍ଦୋଳନରତ ଚାଷୀଙ୍କ ସାଧାରଣତନ୍ତ୍ର ଦିବସ ଟ୍ରାକ୍ଟର ରାଲି ଉପରେ କୋର୍ଟ ରହିତାଦେଶ ଜାରି କରିବାକୁ ମନା କରିଦେଇଛନ୍ତି। ଏହା ଅଇନଶୃଙ୍ଖଳା ସମ୍ପର୍କିତ ହୋଇଥିବାରୁ ରାଜଧାନୀ ଦିଲ୍ଲୀରେ ଚାଷୀ ଟ୍ରାକ୍ଟର ପରେଡ ଆୟୋଜନ କରିପାରିବେ କି ନା ସେ ନେଇ ନିଷ୍ପତ୍ତି ଦିଲ୍ଲୀ ପୋଲିସ ନେବେ ବୋଲି କୋର୍ଟ କହିଛନ୍ତି। ମୁଖ୍ୟବିଚାର ପତି ଜଷ୍ଟିସ୍‌ ଏସ୍.ଏ.ବୋବଡେ, ଜଷ୍ଟିସ୍ ନାଗେଶ୍ୱର ରାଓ ଓ ଜଷ୍ଟିସ ବିନୀତ ଶରଣଙ୍କ ପୀଠ ମଙ୍ଗଳବାର ଏହି ମାମଲାର ଶୁଣାଣି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.