ସୁପ୍ରିମକୋର୍ଟ ବଦଳାଇଲେ ପୁରୁଣା ଆଦେଶ, ଘରୋଇ ଡାକ୍ତରଖାନାରେ କେବଳ ଗରିବଙ୍କ ହେବ ମାଗଣା କରୋନା ଟେଷ୍ଟ

Published By : Prameya-News7 Bureau | April 13, 2020 IST

ନୂଆଦିଲ୍ଲୀ ୧୩।୦୪: ସୁପ୍ରିମକୋର୍ଟ କରୋନା ଟେଷ୍ଟ ଫ୍ରି କରାଇବା ନିଜର ପୁରୁଣା ଆଦେଶରେ ପରିବର୍ତ୍ତନ କରି ଏବେ ଏହାକୁ କେବଳ ଗରିବ ବର୍ଗରେ ସୀମିତ କରି ଦେଇଛନ୍ତି। ନୂତନ ଆଦେଶ ମୁତାବକ ଗରିବ ରେଖା ତଳେ ରହୁଥିବା, EWS  ଓ ଆୟୁଷ୍ମାନ ଭାରତ କାର୍ଡ ଥିବା ରୋଗୀଙ୍କ କରୋନା ଟେଷ୍ଟ ମାଗଣାରେ କରାଯିବ। ଏହା ପୂର୍ବରୁ ଆଦେଶରେ ଦେଶର ସର୍ବୋଚ୍ଚ ଅଦାଲତ କହିଥିଲେ ଯେ, ସରକାରୀ କିମ୍ବା ଘରୋଇ ଲ୍ୟାବ୍‌ରେ କରୋନା ଭାଇରସ୍‌ ଯାଞ୍ଚ ମାଗଣାରେ କରାଯାଇ ପାରିବ। ଏହି ଆଦେଶ ପରେ ଜଣେ ଡାକ୍ତର ଅପିଲ୍ କରିଥିଲେ ଯେ, ଏହି ଆଦେଶରେ ପୁନର୍ବାର ବିଚାର କରାଯିବା ଉଚିତ୍ ଓ କେବଳ ଗରିବଙ୍କ ପାଇଁ ହିଁ ଟେଷ୍ଟ ମାଗଣା କରାଯିବା ଉଚିତ୍।

ସୁପ୍ରିମକୋର୍ଟ କହିଛନ୍ତି ଯେ, କୋଭିଡ୍-୧୯ ଟେଷ୍ଟ ଦୁର୍ବଳ ଶ୍ରେଣୀ ବର୍ଗଙ୍କ ପାଇଁ ଯେଉଁମାନେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ପରି ଯୋଜନାରେ ଅନ୍ତର୍ଭୁକ୍ତ ଥିବେ।  ଯେଉଁ ଘରୋଇ ଲ୍ୟାବ୍ ICMR ଦ୍ଵାରା ନିର୍ଦ୍ଧାରିତ ଶୁଳ୍କ ପୈଠ କରି ପାରିବେ ସେହି ଲ୍ୟାବ୍‌ଗୁଡିକରେ ନିଃଶ୍ଳୁକ କରୋନା ଟେଷ୍ଟ କରାଯାଇ ପାରିବ। ଘରୋଇ ଲ୍ୟାବ୍‌ରେ ଗରିବଙ୍କ ପାଇଁ ଟେଷ୍ଟ ନିଃଶ୍ଳୁକ ରହିବ, ଯାହାର ଅର୍ଥ କେନ୍ଦ୍ର ସରକାର ପୈଠ କରିବେ। ଯେଉଁ ଲୋକ ଟେଷ୍ଟ ଫି ଦେବାକୁ ସକ୍ଷମ ସେମାନଙ୍କର କରୋନା  ପରୀକ୍ଷଣ ମାଗଣାରେ ହେବ ନାହିଁ।

ସୁପ୍ରିମକୋର୍ଟ ଏହା ସହିତ ମଧ୍ୟ କହିଛନ୍ତି ଯେ, କରୋନା ଭାଇରସ୍‌ର ଯାଞ୍ଚ କେବଳ ସେହି ଲ୍ୟାବ ରେ ହେବ ଯାହା NABL  ଅର୍ଥାତ National Accreditation Board for Testing and Calibration Laboratories  ରୁ ମାନ୍ୟତାପ୍ରାପ୍ତ ଲ୍ୟାବ୍ କିମ୍ବା ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ କିମ୍ବା ICMR ରୁ ମଞ୍ଜୁରୀ ପ୍ରାପ୍ତ କୌଣସି ଏଜେନ୍ସି ଜରିଆରେ କରାଯାଇ ପାରିବ।

ଦେଶରେ ସଂପ୍ରତି ୧୫୭ଟି ସରକାରୀ ଲ୍ୟାବ୍ ଓ ୬୭ ଟି ଘରୋଇ ଲ୍ୟାବରେ କରୋନ ପରୀକ୍ଷଣ କରାଯାଉଛି। ସରକାର କହିଛନ୍ତି ଯେ ଆୟୁଷ୍ମାନ ଯୋଜନାରେ ଥିବା ୧୦.୦୭ କୋଟି ଲୋକ କରୋନା ଟେଷ୍ଟ ମାଗଣାରେ କରିବାକୁ ଯୋଗ୍ୟ ଅଟନ୍ତି।

ସୁପ୍ରିମକୋର୍ଟରେ ଦାୟର ଯାଚିକାରେ ଘରୋଇ ସଂସ୍ଥା ଦ୍ଵାରା କରୋନା ପରୀକ୍ଷଣ ପାଇଁ ସର୍ବାଧିକ ୪୫୦୦ ଟଙ୍କା ସ୍ଥିର କରିବା ପାଇଁ ଇଣ୍ଡିଆନ କାଉନସିଲ୍ ଅଫ ମେଡିକାଲ ରିସର୍ଚ୍ଚ(ଆଇସିଏମଆର)ର ପରାମର୍ଶକୁ ଚ୍ୟାଲେଞ୍ଜ କରାଯାଇଥିଲା। ଯାଚିକାରେ କରୋନା ଯାଞ୍ଚ ସମସ୍ତ ପ୍ରକାରର ଲ୍ୟାବ୍‌ରେ କରାଇବାକୁ ଦାବି କରାଯାଇଥିଲା। ମାଗଣାରେ ଟେଷ୍ଟ କରାଯିବାର ପ୍ରସ୍ତାବ ଦେଇ ଆବେଦନକାରୀ କହିଥିଲେ ଯେ, ଘରୋଇ ଲ୍ୟାବ୍‌ରେ ଟେଷ୍ଟିଙ୍ଗ ଫି ଉପରେ ପରଦା ପକାଇବା ସମ୍ବିଧାନର ଆଦର୍ଶ ଓ ମୂଲ୍ୟର ଉଲ୍ଲଂଘନ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.