ସରକାରଙ୍କୁ ନିର୍ଭୟା ପାଣ୍ଠିର ଖର୍ଚ୍ଚ ବିବରଣୀ ମାଗିଲେ ସୁପ୍ରିମକୋର୍ଟ, ଜାଣନ୍ତୁ ମହିଳା ସମ୍ପର୍କିତ ମାମଲାର ବିଚାର ପ୍ରକ୍ରିୟା ନେଇ କହିଛନ୍ତି କ’ଣ ?
18/12/2019 at 5:12 PM

ନୂଆଦିଲ୍ଲୀ ୧୮ ।୧୨ : ଦେଶରେ ବଢୁଥିବା ମହିଳା ସମ୍ପର୍କିତ ଅପରାଧ ସର୍ବୋପରି ଦୁଷ୍କର୍ମ ମାମଲାର ତଦନ୍ତ ଓ ବିଚାର ପ୍ରକ୍ରିୟା ନେଇ ସୁପ୍ରିମକୋର୍ଟ ବୁଧବାର ଉଦବେଗ ପ୍ରକାଶ କରିଛନ୍ତି। ଏଭଳି ମାମଲାର ତଦନ୍ତ ଓ ବିଚାରରେ ହେଉଥିବା ବିଳମ୍ବ ଯୋଗୁ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଉଥିବା କୋର୍ଟ କହିଥିବା ବେଳେ ନୋଟିସ୍ ଜାରି କରି କେନ୍ଦ୍ର, ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ରାଜ୍ୟମାନଙ୍କୁ ସେମାନଙ୍କର ପ୍ରତିକ୍ରିୟା ମାଗିଛନ୍ତି। କୌଣସି ଦୁଷ୍କର୍ମ ମାମଲାର ତଦନ୍ତ ୨ ମାସ ମଧ୍ୟରେ କାହିଁକି ସରି ନପାରିବ ଓ ଏଭଳି ମାମଲାର ଶୁଣାଣି କିପରି କରାଯାଉଛି ସେ ନେଇ ମଧ୍ୟ ଜବାବ ଦେବାକୁ ସୁପ୍ରିମକୋର୍ଟ କହିଛନ୍ତି।

ସୁପ୍ରିମକୋର୍ଟଙ୍କ ମୁଖ୍ୟ ନ୍ୟାୟାଧୀଶ ଜଷ୍ଟିସ୍ ଏସ୍.ଏ.ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କେନ୍ଦ୍ର ଗୃହସଚିବ, ମୁଖ୍ୟଶାସନ ସଚିବଙ୍କ ଜରିଆରେ କେନ୍ଦ୍ର ସରକାର, ରାଜ୍ୟ ସରକାର ଓ କେନ୍ଦ୍ରଶାସିତ ପ୍ରଦେଶମାନଙ୍କର ସରକାରଙ୍କୁ ନୋଟିସ୍ ଜାରି କରି ଆସନ୍ତା ଫେବୃଆରୀ ମାସ ୭ ତାରିଖ ସୁଦ୍ଧା ପ୍ରତିକ୍ରିୟା ମାଗିଛନ୍ତି। ଏହା ଛଡା ଖଣ୍ଡପୀଠ ନିର୍ଭୟା ଫଣ୍ଡର ଖର୍ଚ୍ଚ ବିବରଣୀ ମଧ୍ୟ ତଲବ କରିଥିବା ଜଣାପଡିଛି।

ସୁପ୍ରିମକୋର୍ଟ କହିଛନ୍ତି ଯେ ପରିସ୍ଥିତିରୁ ଯାହା ଜଣାପଡୁଛି ଏଭଳି ଅପରାଧ ନିୟନ୍ତ୍ରଣ ଲାଗି ଯେଉଁ ଲକ୍ଷ ଥିବା ତାହା ଏପର୍ଯ୍ୟନ୍ତ ପୁରଣ ହୋଇନାହିଁ। ଜାତୀୟ ଅପରାଧ ରେକର୍ଡ (ଏନସିଆରବି)ଙ୍କ ପରିସଂଖ୍ୟାନରୁ ୨୦୧୭ ମସିହାରେ ଦେଶରେ ୩୨ ହଜାର ୫୫୯ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଛି। କୋହଳ ଦଣ୍ଡବିଧାନ ପ୍ରକ୍ରିୟା ଯୋଗୁ ଏଭଳି ଅପରାଧ ଲାଗି ଅପରାଧୀଙ୍କମନରୁ ଭୟ ହ୍ରାସ ହୋଇଛି।