ନିର୍ବାଚନୀ ପାଣ୍ଠି ସଂପର୍କରେ ଗୁରୁତ୍ବପୂର୍ଣ୍ଣ ରାୟ, ଇଲେକ୍ଟୋରାଲ ବଣ୍ଡ ସଂପର୍କିତ ସମସ୍ତ ତଥ୍ୟ ଦେବେ ରାଜନୈତିକ ଦଳ : ସୁପ୍ରିମକୋର୍ଟ

Published By : Prameya-News7 Bureau | April 12, 2019 IST

ନୂଆଦିଲ୍ଲୀ ୧୨|୪: ନିର୍ବାଚନୀ ପାଣ୍ଠି ସଂପର୍କରେ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିକୋର୍ଟ । ଇଲେକ୍ଟୋରାଲ ବଣ୍ଡ ସଂପର୍କିତ ସମସ୍ତ ତଥ୍ୟ ରାଜନୈତିକ ଦଳ ଦେବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ପ୍ରଧାନ ବିଚାରପତି ରଂଜନ ଗୋଗୋଇଙ୍କ ନେତୃତ୍ବାଧୀନ ତିନିଜଣିଆ ଖଣ୍ଡପୀଠ ରାୟ ଶୁଣାଇଛନ୍ତି । ଜଉମୁଦ ଲଫାପାରେ ନିର୍ବାଚନ କମିଶନରଙ୍କୁ ଦେବ ତଥ୍ୟ । ଇଲେକ୍ଟୋରାଲ ବଣ୍ଡ ଉପରେ ଅନ୍ତରୀଣ ସ୍ଥଗିତାଦେଶ ଦାବି ଅଗ୍ରାହ୍ୟ କରିଛନ୍ତି କୋର୍ଟ । ମେ ୧୫ତାରିଖ ସୁଦ୍ଧା ମିଳିଥିବା ପାଣ୍ଠି ବାବଦରେ ହିସାବ ଦେବେ । ମେ ୩୧ସୁଦ୍ଧା ନିର୍ବାଚନ କମିଶନଙ୍କୁ ଚାନ୍ଦା ହିସାବ ଦେବେ ରାଜନୈତିକ ଦଳ ।  

ଇଲକ୍ଟୋରାଲ ବଣ୍ଡ ଉପରେ ରହିତା ଦେଶ ଜାରି କରିବାକୁ କିମ୍ବା ତାହାର ଦାତାଙ୍କ ନାମ ସାଧାରଣରେ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରି ଦାୟର ମାମଲା ଉପରେ ଗତକାଲି ଶୁଣାଣି ପରେ ଆଜିକୁ ରାୟ ପାଇଁ ଦିନ ଧାର୍ଯ୍ୟ କରିଥିଲେ କୋର୍ଟ । ଗତ ବର୍ଷ ନରେନ୍ଦ୍ର ମୋଦି ସରକାରଙ୍କ ରାଜନୈତୀକ ଦଳଙ୍କୁ ଚାନ୍ଦା ଦେବାର ଏକ ମାଧ୍ୟମ ଭାବେ ଇଲକ୍ଟୋରାଲ ବଣ୍ଡ ପ୍ରଚଳନ କରିଥିଲେ । ଏଥିରେ ଦାତାଙ୍କ ନାମ ଗୋପନ ରଖାଯିବାର ନିୟମ ରହିଛି । କିନ୍ତୁ ଏହା ସ୍ବଚ୍ଛ ଓ କଳାଧନ ମୁକ୍ତ ନିର୍ବାଚନର ପରିପନ୍ଥୀ ବୋଲି ଅଭିଯୋଗ କରିଥିଲେ ସ୍ବେଚ୍ଛାସେବୀ ଅନୁଷ୍ଠାନ ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମ୍ସ । ଏହାର ସଦସ୍ୟ ଆଇନଜୀବୀ ପ୍ରଶାନ୍ତ ଭୂଷଣ ଏନେଇ ସୁପ୍ରିମକୋର୍ଟରେ ଏକ ପିଆଇଏଲ ଦାୟର କରିଥିଲେ ।  ପ୍ରଧାନ ବିଚାରପତି ରଂଜନ ଗୋଗୋଇଙ୍କ ନେତୃତ୍ବାଧିନ ତିନିଜଣିଆ ଖଣ୍ଡପୀଠ ଗୁରୁବାର ଏହାର ଶୁଣାଣି କରିଥିଲେ । ତେବେ ମାମଲାରେ ପ୍ରତିପକ୍ଷ କେନ୍ଦ୍ର ସରକାର ଏବଂ ନିର୍ବାଚନ କମିଶନ ପରସ୍ପରର ଯୁକ୍ତି ରଖିଥିଲେ । କେନ୍ଦ୍ରସରକାରଙ୍କ ପକ୍ଷରୁ ଆଟର୍ଣ୍ଣି ଜେନେରାଲ ଯୁକ୍ତି କରିଥିଲେ ଯେ, ନିର୍ବାଚନୀ ସଂସ୍କାର, ସ୍ବଚ୍ଛତା ଏବଂ କଳାଧନର ଉପଯୋଗକୁ ରୋକିବା ଲାଗି ଇଲେକ୍ଟୋରାଲ ବଣ୍ଡ ସହାୟକ। ଏହାର ଦାତା ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ସମର୍ଥକ ହୋଇଥିବାରୁ ସେମାନଙ୍କ ନାମ ଗୋପନ ରଖାଯିବା ଦରକାର । କିନ୍ତୁ ନିର୍ବାଚନ କମିଶନ ଇଲେକ୍ଟୋରାଲ ବଣ୍ଡ ଦାତାଙ୍କ ନାମ ପ୍ରକାଶ ସପକ୍ଷରେ ଯୁକ୍ତି ରଖିଥିଲେ ।

ପ୍ରକାଶ ଯୋଗ୍ୟ ଯେ, ମୋଦି ସରକାର ପ୍ରଚଳନ କରିଥିବା ଏହି ନିର୍ବାଚନୀ ଚାନ୍ଦାର ଇଲେକ୍ଟୋରାଲ ବଣ୍ଡ ଜରିଆରେ ୨୦୧୭-୧୮ ରେ ବିଜେପିରୁ ୨୧୦ କୋଟି ଟଙ୍କା ମିଳିଥିବା ବେଳେ କଂଗ୍ରେସକୁ ମାତ୍ର ୫ କୋଟି ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.