୧.୪୭ ଲକ୍ଷକୋଟି ଟଙ୍କା ବକେୟା ମାମଲା: ସରକାର ଓ ଟେଲିକମ୍ କମ୍ପାନୀଙ୍କ ଉପରେ ସୁପ୍ରିମକୋର୍ଟ ଖପ୍ପା

Published By : Prameya-News7 Bureau | February 14, 2020 IST

ନୂଆଦିଲ୍ଲୀ ୧୪।୨: ଆଡଜଷ୍ଟେଡ ଗ୍ରସ ରେଭିନ୍ୟୁ (ଏଜିଆର) ମାମଲାରେ ସୁପ୍ରିମକୋର୍ଟ ଶୁକ୍ରବାର ଭାରତ ସରକାର ଓ ଟେଲିକମ୍ କମ୍ପାନୀମାନଙ୍କ ମନବୃତ୍ତିକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ୧.୪୭ ଲକ୍ଷ କୋଟି ଟଙ୍କାର ରାଜସ୍ୱ ଆଦାୟକୁ ନେଇ ନିର୍ଦ୍ଦେଶ ପାଳନ ହୋଇ ନଥିବାରୁ କୋର୍ଟ କଡାମନ୍ତବ୍ୟ ଦେଇଛନ୍ତି। ବକେୟା ରାଜସ୍ୱ ପୈଠ ଲାଗି କୋର୍ଟ ଟେଲିକମ କମ୍ପାନୀମାନଙ୍କୁ ଜାନୁୟାରୀ ୨୩ ତାରିଖ ପର୍ଯ୍ୟନ୍ତ ସମୟ ଦେଇଥିଲେ। ତେବେ ଏହି ସମୟ ମଧ୍ୟରେ କମ୍ପାନୀମାନେ  ବକେୟା ପୈଠ କରିନଥିବା ବେଳେ ଏଥିଲାଗି ନୂଆ ଅନୁସୂଚୀ ଜାରି କରିବାକୁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ କୋର୍ଟ ତାକୁ ମଧ୍ୟ ଅଗ୍ରାହ୍ୟ କରିଦେଇଛନ୍ତି।

ଗତ ଅକ୍ଟୋବର ୨୪ ତାରିଖରେ କୋର୍ଟ ଜାନୁୟାରୀ ୨୩ସୁଦ୍ଧା ସେମାନଙ୍କର ଏଜିଆର ବାବଦ ବକେୟା ପୈଠ ଲାଗି ଟେଲିକମ କମ୍ପାନୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଏହି ନିର୍ଦ୍ଦେଶର ପୁନର୍ବିଚାର ଲାଗି ଟେଲିକମ କମ୍ପାନୀମାନେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ତାହା ଅଗ୍ରାହ୍ୟ ହୋଇଯାଇଥିଲା। ଏଥିରେ ଭାରତୀ ଏୟାରଟେଲ, ଭୋଡାଫୋନ-ଆଇଡିଆ ଓ ଟାଟା ଟେଲି ଅଧିକ ସମୟ ଦାବି କରି ପୁଣି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ଯେଉଁ ଟେଲିକମ କମ୍ପାନୀମାନଙ୍କର ଏଜିଆର ଆଧାରରେ ସ୍ପେକ୍ଟ୍ରମ ଓ ଲାଇସେନ୍ସ ଫି ବାକି  ରଖିଛନ୍ତି ସେମାନଙ୍କ ମଧ୍ୟରୁ କେବଳ ରିଲାଏନ୍ସ ଜିଓ  ୧୯୫ କୋଟି ଟଙ୍କା ପୈଠ କରିଛନ୍ତି। ଏଣୁ ମାମଲାର ବିଚାର କରୁଥିବା ଜଷ୍ଟିସ୍ ଅରୁଣ ମିଶ୍ରଙ୍କ ବେଞ୍ଚ ଭାରତୀ ଏୟାରଟେଲ, ଭୋଡାଫୋନ, ଏମଟିଏନଏଲ, ବିଏସଏନଏଲ, ରିଲାଏନ୍ସ କମ୍ୟୁନିକେସନ, ଟାଟା ଟାଲିକମ୍ୟୁନିକେସନ ଓ ଅନ୍ୟ କମ୍ପାନୀମାନଙ୍କ ପରିଚାଳନା ନିର୍ଦ୍ଦେଶକମାନଙ୍କୁ ମାର୍ଚ୍ଚ ୧୭ ତାରିଖରେ କୋର୍ଟରେ ହାଜର ହେବାକୁ  ନିର୍ଦ୍ଦେଶ ଦେଇଛନ୍ତି। 

ତେବେ ଦୂରସଞ୍ଚାର ବିଭାଗର ରାଜସ୍ୱ ବିଭାଗ ସହ ସମ୍ପୃକ୍ତ ଜନୈକ ଡେସ୍କ ଅଫିସର ଗତ ଦିନରେ ସାମ୍ବିଧାନିକ ପଦପଦବୀରେ ଅବସ୍ଥାପିତ ଅନ୍ୟ ଅଫିସରଙ୍କୁ ଚିଠି ଲେଖି ଏଜିଆର ବକେୟା ପୈଠ ନ କରିଥିଲେ ମଧ୍ୟ ଟେଲିକମ କମ୍ପାନୀ ମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ପ୍ରସଙ୍ଗରେ କୋର୍ଟ ଅସନ୍ତୋଷ ପ୍ରକାଶ କରିବାରୁ ଦୂର ସଞ୍ଚାର ବିଭାଗ ନିଜର ଚିଠି ତୁରନ୍ତ ପ୍ରତ୍ୟାହାର କରିନେଇଛନ୍ତି। ଡେସ୍କ ଅଫିସରଙ୍କ ଚିଠି ଯୋଗୁ ବକୈୟା ପୈଠ ହୋଇନଥିବା ଜାଣିବାପରେ କୋର୍ଟ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ମାମଲାରେ କୋର୍ଟ ନିର୍ଦ୍ଦେଶ ଦେଇ ସାରିଥିବା ବେଳେ କିପରି ଜଣେ ଡେସ୍କ ଅଫିସର ଏପରି ଚିଠି କରିପାରିବେ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। 

ଯଦି ଅଧିକାରୀ ଏ ସବୁ କରିପାରନ୍ତି ତେବେ କୋର୍ଟ କଚେରୀ ବନ୍ଦ ନ କରି କାହିଁକି ରଖାଯାଇଛି ବୋଲି କୋର୍ଟ କହିଥିବା ବେଳେ ରାୟ ଉଲ୍ଲଂଘନ କରିଥିବାରୁ ଟେଲିକମ କମ୍ପାନୀମାନଙ୍କୁ ଦେଶରେ ଆଇନ କାନୁନ ଅଛି କି ନା ବୋଲିପ୍ରଶ୍ନ କରିଥିଲେ। ଯଦି ସେମାନେ କୋର୍ଟଙ୍କ ଆଦେଶ ପାଳନ ନ କରିପାରିବେ ସେମାନେ ଦେଶ ଛାଡିଦେବା ଦରକାର ବୋଲି କହିଛନ୍ତି କୋର୍ଟ। ତେବେ କୋର୍ଟଙ୍କ ଅସନ୍ତୋଷ ସହ ଟେଲିକମ ବିଭାଗ ନିଜର ଆଦେଶ ତୁରନ୍ତପ୍ରତ୍ୟାହାର କରିନେବା ସହ ବକୈୟା ପୈଠ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ତେବେ ଆସନ୍ତୁ ଜାଣିବା କେଉଁ କମ୍ପାନୀ ଉପରେ ରହିଛି କେତେଟଙ୍କାର ରାଜସ୍ୱ ବାକି।

ଏଜିଆରକୁ ନେଇ ଟେଲିକମ ବିଭାଗ ଓ କମ୍ପାନୀମାନଙ୍କ ମଧ୍ୟରେ ଗତ ୧୪ ବର୍ଷ ହେଲା ବିବାଦ ଲାଗି ରହିଛି। ଟେଲିକମ କମ୍ପାନୀମାନେ ପ୍ରଥମେ ପ୍ରସଙ୍ଗକୁ ନେଇ ଟେଲିକମ ଟ୍ରିବ୍ୟୁନାଲର ଦ୍ୱାରସ୍ଥ ହୋଇଥିଲେ। ତେବେ ମାମଲା କୋର୍ଟକୁ ଯିବା ପରେ ସରକାରଙ୍କ ପକ୍ଷରେ ରାୟ ମିଳିଛି। ଏଣୁ ଏବେ ଭୋଡାଫୋନ ଓ ଆଇଡିଆ ଉପରେ ୫୩ ହଜାର ୩୮ କୋଟି ଟଙ୍କା ବକେୟା ପଡିଥିବା ବେଳେ ଭାରତୀ ଏୟାର ଟେଲ ଉପରେ ୩୫ ହଜାର ୫୮୬ କୋଟି, ଟାଟା ଟେଲି ଉପରେ ୧୩ ହଜାର ୮୨୩କୋଟିଟଙ୍କା ବକେୟା ରହିଛି। ସେହିପରି ରିଲାଏନ୍ସ ଜିଓ, ରିଲାଏନ୍ସ କମ୍ୟୁନିକେସନସ୍, ବିଏସଏନଏଲ, ଏମଟିଏନଏଲ ଓ ଅନ୍ୟମାନଙ୍କ ଉପରେ ୪୫ ହଜାର କୋଟି ଟଙ୍କାର ଏଜିଆର ବକେୟା ଥିବା ଜଣାପଡିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.