କେନ୍ଦ୍ର ଓ ଏୟାର ଇଣ୍ଡିଆକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା, କହିଲେ- କରୋନା କ'ଣ ବିମାନରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ସଂକ୍ରମିତ କରେ ନାହିଁ ?

Published By : Prameya-News7 Bureau | May 25, 2020 IST

ନୂଆଦିଲ୍ଲୀ ୨୫।୦୫: ସୁପ୍ରିମକୋର୍ଟ ବିଦେଶରେ ଫସିଥିବା ଭାରତୀୟଙ୍କୁ ସ୍ଵଦେଶରୁ ଅଣାଯାଉଥିବା ଏୟାର ଇଣ୍ଡିଆର ଉଡାଣରେ ସାମାଜିକ ଦୂରତା ନିୟମ ପାଳନ ହେଉନଥିବା  ନେଇ କେନ୍ଦ୍ର ସରକାର ଓ ସରକାରୀ ବିମାନ କମ୍ପାନୀକୁ ସୋମବାର ତାଗିଦ୍ କରିଛନ୍ତି। କୋର୍ଟ ପ୍ରଶ୍ନ କରିଛନ୍ତି, କଣ ଭାଇରସ୍‌ ଜାଣିଛି କି, ବିମାନରେ ବସୁଥିବା ଯାତ୍ରୀଙ୍କୁ ସଂକ୍ରମିତ କରିବ ନାହିଁ ?

ସର୍ବୋଚ୍ଚ ଅଦାଲତ ବନ୍ଦେ ଭାରତ ଅଭିଯାନ ଆଧାରରେ ଭାରତୀୟଙ୍କୁ ସ୍ଵଦେଶ ଆଣୁଥିବା ସରକାରୀ ବିମାନ କମ୍ପାନୀ ଏୟାର ଇଣ୍ଡିଆକୁ ଅଣ ନିର୍ଦ୍ଧାରିତ ଉଡାଣର ୧୦ ଦିନ ପର୍ଯ୍ୟନ୍ତ ମଝି ସିଟ୍‌ରେ ବସାଇ ଯାତ୍ରୀଙ୍କୁ ଆଣିବାକୁ ଅନୁମତି ଦେଇଛନ୍ତି। ଏହା ପରେ ମେ ୨୨ରେ ବମ୍ବେ ହାଇକୋର୍ଟ ଦେଇଥିବା ରାୟକୁ ପାଳନ କରାଯିବ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ମେ ୨୨ରେ ହାଇକୋର୍ଟ ନିଜ ରାୟରେ କହିଥିଲେ ଯେ, ବିମାନରେ ଯାତ୍ରା ସମୟରେ ମଝି ସିଟ୍‌ ଖାଲି ରଖାଯିବ।

ମୁଖ୍ୟ ବିଚାରପତି ଶରଦ ଅରବିନ୍ଦ ବୋବଡେ, ଜଷ୍ଟିସ୍ ଏ ଏସ ବୋପନ୍ନା ଓ ଜଷ୍ଟିସ୍ ହୃଷିକେଶ ରୟଙ୍କ ଖଣ୍ଡପୀଠ ଇଦ ଉଲ ଫିତର ଛୁଟି ଦିନରେ ଜରୁରୀକାଳୀନ ଶୁଣାଣି କରି କେନ୍ଦ୍ର ସରକାର ଓ ଏୟାର ଇଣ୍ଡିଆ ତରଫରୁ କୋର୍ଟରେ ହାଜର ସଲିସିଟର ଜେନେରାଲ ତୁଷାର ମେହଟ୍ଟାଙ୍କୁ କଡା ତାଗିଦ୍ କରିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି, ଆପଣଙ୍କୁ ଜନତାଙ୍କ ସ୍ଵାସ୍ଥ୍ୟ ଚିନ୍ତା ନାହିଁ। ଆପଣଙ୍କୁ ବିମାନ କମ୍ପାନୀର ସ୍ଵାସ୍ଥ୍ୟ ପ୍ରତି ବହୁତ ଚିନ୍ତା।

ଶୁଣାଣି ବେଳେ ମେହେଟ୍ଟାଙ୍କୁ କହିଛନ୍ତି, ମଝି ସିଟ୍‌ ଖାଲି ରଖି ସାମାଜିକ ଦୂରତା ପାଳନ କରିବାଠୁ ଭଲ ଯାତ୍ରୀଙ୍କ ଯାଞ୍ଚ କରି ସେମାନଙ୍କୁ କ୍ଵାରେଣ୍ଟାଇନ୍‌ରେ ରଖିବା। ଏହା ଉପରେ ବିଚାରପତି ବୋବଡେ ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି, ଆପଣ କେମିତି କହି ପାରିବେ ଯେ, ମଝି ସିଟ୍‌ରେ ବସିଲେ ମଧ୍ୟ ସଂକ୍ରମଣ ଉପରେ କୌଣସି ଫରକ ପଡିବ ନାହିଁ ? କଣ କରୋନା ଭାଇରସ୍‌କୁ ଜଣା ଅଛି କି ବିମାନରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ସଂକ୍ରମିତ କରିବ ନାହିଁ। ପରସ୍ପର ପାଖରେ ବସିଲେ ସଂକ୍ରମଣ ହେବ ବୋଲି ବିଚାରପତି ଏସଏ ବୋବଡେ କହିଛନ୍ତି।

ମେହଟ୍ଟା ଶୁଣାଣି ସମୟରେ ଅନ୍ତରୀଣ ଆଶ୍ଵସ୍ତି ଦାବି କରି କହିଛନ୍ତି, ମଝି ସିଟ୍‌ରେ ଯାତ୍ରା କରିବାକୁ ଅନୁମତି ନଦେବା ପୂର୍ବରୁ ସଙ୍କଟରେ ଫସିଥିବା ଭାରତୀୟଙ୍କୁ ବିନା ପରିବାରରେ ଯାତ୍ରା କରିବାକୁ ପଡିବ। ଯେଉଁ ଯାତ୍ରୀଙ୍କୁ ମଝି ସିଟ୍‌ ଆବଣ୍ଟିତ କରାଯାଇଛି ସେମାନଙ୍କୁ ବିମାନରୁ ଓହ୍ଲାଇ ଦିଆଯିବ ଏବଂ ସେ ପରିବାର ସହିତ ଯାତ୍ରା କରି ପାରିବେ ନାହିଁ। ଏଥିରେ ସମସ୍ୟା ଅଧିକ ବଢିବ। ଶୀର୍ଷ ଅଦାଲତ ବମ୍ବେ ଉଚ୍ଚ ନ୍ୟାୟାଳୟକୁ ଏହି ମାମଲାର ତ୍ଵରିତ୍ଵ ସମାଧାନ କରିବାକୁ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.