ବାଣ ବିକ୍ରି ଉପରେ ସର୍ତ୍ତ ରଖିଲେ ସୁପ୍ରିମକୋର୍ଟ ; ଦୀପାବଳିରେ ୨ଘଣ୍ଟା ବାଣ ଫୁଟାଇବାକୁ ଅନୁମତି

Published By : Prameya-News7 Bureau | October 23, 2018 IST

ନୂଆଦିଲ୍ଲୀ ୨୩|୧୦: ଦେଶବ୍ୟାପୀ ବାଣ ତିଆରି, ବିକ୍ରି ଏବଂ ଫୁଟାଇବା ଉପରେ କଟକଣା ନେଇ ସୁପ୍ରିମକୋର୍ଟ ଆଜି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି ।କୋର୍ଟ କହିଛନ୍ତି ପୂର୍ଣ୍ଣ କଟକଣା ଲଗିବ ନାହିଁ । ବାଣ ବିକ୍ରି ଓ ଫୁଟାଇବା ଉପରେ ସର୍ତ୍ତ ରଖି ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ । କମ୍ ପ୍ରଦୂଷଣ ବାଣ ବିକ୍ରି କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଦୀପାବଳିରେ ମାତ୍ର ୨ଘଣ୍ଟା ବାଣ ଫୁଟାଇବାକୁ ଅନୁମତି ଦିଆଯାଇଛି । ରାତି ୮ଟାରୁ ୧୦ଟା ପର୍ଯ୍ୟନ୍ତ ବାଣ ଫୁଟାଇବାକୁ ଅନୁମତି । ବାଣ ବିକ୍ରି ଉପରେ କଟକଣା ଲଗାଇବା ନେଇ ହୋଇଥିବା ଆବେଦନ ଉପରେ ଏହି ରାୟ ଶୁଣାଇଛନ୍ତି କୋର୍ଟ । ଦୀପାବଳି ସମୟରେ ଦେଶର ବିଭିନ୍ନ ସହରରେ ବାୟୁ ଏବଂ ଶବ୍ଦ ପ୍ରଦୂଷଣ ମାତ୍ରା ଯେଉଁଭଳି ଭାବରେ ବୃଦ୍ଧି ପାଉଥିବାରୁ ଏହା ଉପରେ କଟକଣା ଲଗାଯିବା ନେଇ ଆେବଦନ ହୋଇଥିଲା । ତେବେ ଏହି ରାୟ ଫଳରେ ବାଣ ତିଆରି ଏବଂ ବ୍ୟବସାୟ ସହ ଜଡିତ ଶହ ଶହ ଲୋକଙ୍କ ରୋଜଗାର ଉପରେ ପ୍ରଭାବ ପକାଇବା ଆଶଙ୍କା ରହିଛି । ୨୦୧୭ ମସିହାରେ ଦିଲ୍ଲୀ ଏନସିଆରରେ ଦୀପାବଳି ସମୟରେ ବାଣ ବିକ୍ରି ଉପରେ କଟକଣା ଲଗାଇଥିଲେ । ତେବେ ସାରା ଦେଶରେ କଟକଣା ଲଗାଇବା ନେଇ କେନ୍ଦ୍ର ସରକାର ଆପତ୍ତି ଉଠାଇଥିଲେ । ଏହା ବଦଳରେ ନିୟନ୍ତ୍ରଣ ବ୍ୟବସ୍ଥା ଲାଗୁ କରିବା ନେଇ ସର୍ବୋଚ୍ଚ ନ୍ୟାୟାଳୟ ରାୟ ଦେବା ସପକ୍ଷରେ ଯୁକ୍ତି ରଖିଥିଲେ । ବାଣ ତିଆରିରେ ଲାଗୁଥିବା ଏମିତି କିଛି ସାମଗ୍ରୀ ଯାହା ପ୍ରଦୂଷଣ ମାତ୍ରା ବଢାଇଥାଏ ତାର ବ୍ୟବହାର ଉପରେ କଟକଣା ଲଗାଇବାକୁ କହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.