ମନେ ହେଉଛି ସରକାରଙ୍କ ସ୍ତରରେ ସମାଧାନର ଆଶା କମ୍ ! ଖୁବ୍ ଶୀଘ୍ର ଜାତୀୟ ପ୍ରସଙ୍ଗ ପାଲଟିପାରନ୍ତି ଚାଷୀ: ସୁପ୍ରିମକୋର୍ଟ

Published By : Prameya-News7 Bureau | December 16, 2020 IST

ନୂଆଦିଲ୍ଲୀ ୧୬।୧୨: କେନ୍ଦ୍ର ସରକାରଙ୍କ ସଂଶୋଧିତ କୃଷିଆଇନ-୨୦୨୦କୁ ନେଇ ଚାଷୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଚାଷୀଙ୍କ ନିବେଦନର କୋର୍ଟ ଶୁଣାଣି କରିବା ପୂର୍ବରୁ ବୁଧବାର ଆନ୍ଦୋଳନରତ ଚାଷୀଙ୍କୁ ହଟାଇବା ଲାଗି ଏକ ପିଟିସନ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି।  ଏଥିରେ କୋର୍ଟ ସୋଲିସିଟର ଜେନେରାଲ ତୁଷାର ମେହେଟାଙ୍କୁ ସରକାରଙ୍କ ସ୍ତରରେ ଏବେ ସମସ୍ୟାର ସମାଧାନ ଆଶା କମ୍‌ ଏଣୁ ଚାଷୀ ଖୁବ୍ ଶୀଘ୍ର ଜାତୀୟ ପ୍ରସଙ୍ଗ ହୋଇପାରନ୍ତି ବୋଲି କହିଛନ୍ତି। 

ସୁପ୍ରିମକୋର୍ଟଙ୍କ ମୁଖ୍ୟ ନ୍ୟାୟାଧୀଶ ଏସ୍.ଏ.ବୋବଡେଙ୍କ ଅଦାଲତ ଆଗତ ପିଟିସନର ଶୁଣାଣି କରି କହିଛନ୍ତି ଯେ ବିକ୍ଷୋଭରତ ଚାଷୀଙ୍କ ସହ ସରକାର ଆଲୋଚନାର ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ଫଳାଫଳ ଆସି ନାହିଁ। ଏଣୁ କୃଷକ ସଙ୍ଗଠନ ଓ ଅନ୍ୟମାନଙ୍କୁ ନେଇ ସରକାର ଏକ କମିଟି ଗଠନ କରନ୍ତୁ ବୋଲି ଜଷ୍ଟିସ୍‌ ବୋବଡେ କହିଛନ୍ତି। ଏଥିରେ ଚାଷୀଙ୍କୁ ମଧ୍ୟ ପକ୍ଷ କରିବା ଲାଗି କୋର୍ଟ ଅନୁମତି ଦେଇଛନ୍ତି। ମାମଲାର ପରବର୍ତ୍ତି ଶୁଣାଣି ଡିସେମ୍ବର ୧୭ ଗୁରୁବାର ହେବ।

ରାଜଧାନୀରେ ଚାଷୀଙ୍କ ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟରେ ଏକାଧିକ ଆବେଦନ କରାଯାଇଛି। ଯେଉଁଥିରେ ଚାଷୀଙ୍କ ଆନ୍ଦୋଳନ ଯୋଗୁ ଟ୍ରାଫିକ ସମସ୍ୟା ଉପୁଜୁଥିବା, ପ୍ରଦର୍ଶନ ସ୍ଥଳରେ ସୋସିଆଲ ଡିଷ୍ଟାନସିଂ ରହୁନଥିବାରୁ କୋଭିଡ ବ୍ୟାପିବା ଆଦି ଆଶଙ୍କା କରାଯାଇଛି। ଏଥିରେ କୋର୍ଟ ମାମଲାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କୁ( ଦିଲ୍ଲୀ, ୟୁପି, ହରିୟାଣା ଓ ପଞ୍ଜାବ) ଜବାବ ତଲବ କରିଛନ୍ତି। ଏଥିରେ ଆବେଦନକାରୀଙ୍କ ଓକିଲ ଶାହିନବାଗ୍‌ ଉଦାହରଣ ଦେବାରୁ ମୁଖ୍ୟନ୍ୟାୟାଧୀଶ ଆଇନଶୃଙ୍ଖଳା ସମ୍ପର୍କିତ ମାମଲାରେ କୌଣସି ଉଦାହରଣ ଦିଆଯାଏନି ବୋଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.