ମରାଠା ରିଜର୍ଭେସନକୁ ଝଟକା, ଶିକ୍ଷା ଓ ନିଯୁକ୍ତିରେ ସଂରକ୍ଷଣର ୫୦% ସୀମା କାୟମ ରଖିଲେ ସୁପ୍ରିମକୋର୍ଟ

Published By : Prameya-News7 Bureau | May 05, 2021 IST

ନୂଆଦିଲ୍ଲୀ ୫।୫: ମହାରାଷ୍ଟ୍ର ସରକାରଙ୍କ ମରାଠା ଆରକ୍ଷଣ ନେଇ ବୁଧବାର ସୁପ୍ରିମକୋର୍ଟ ତାଙ୍କ ନିଷ୍ପତ୍ତି ଘୋଷଣା କରିଛନ୍ତି। ଏଥିରେ ସଂରକ୍ଷଣ ଲାଗି ନିର୍ଦ୍ଧାରିତ ୫୦ ପ୍ରତିଶତ ସୀମା ଉଲ୍ଲଂଘନ ହୋଇପାରିବ ନାହିଁ ବୋଲି ସ୍ପଷ୍ଟ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ୫ ଜଣିଆ ବିଚାରପତିଙ୍କ ସାମ୍ବିଧାନିକ ପୀଠ ଇନ୍ଦିରା ସାହାଣୀ ମାମଲାରେ କୋର୍ଟଙ୍କ ନିଷ୍ପତ୍ତିକୁ ଉପଯୁକ୍ତ କହିଥିବା ବେଳେଏହାର ପୁନର୍ବିଚାରର ଆବଶ୍ୟକତା ନଥିବା କହିଛନ୍ତି।

ସୁପ୍ରିମକୋର୍ଟ ମହାରାଷ୍ଟ୍ରରେ ମରଠା ସମୂଦାୟକୁ ଶିକ୍ଷା ଓ ନିଯୁକ୍ତିରେ ସଂରକ୍ଷଣର ୫୦ ପ୍ରତିଶତ ସୀମା ଅତିକ୍ରମ କରି ସୁବିଧା ପ୍ରଦାନ କରାଯାଇପାରିବ ନାହିଁ ବୋଲିସ୍ପଷ୍ଟ କରିଦେଇଛନ୍ତି। ମରାଠା ସମୂଦାୟର ଲୋକେ ଶିକ୍ଷା ଓ ସାମାଜିକ କ୍ଷେତ୍ରରେ ଏତେ ବି ପଛୁଆ ନାହାନ୍ତି ଯେଉଁମାନଙ୍କୁ ସଂରକ୍ଷଣ ନିହାତି ଆବଶ୍ୟକ ବୋଲି ପୀଠ କହିଛନ୍ତି।

ସୁପ୍ରିମକୋର୍ଟରେ ବମ୍ବେ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚାଲେଞ୍ଜ କରାଯାଇଥିଲା। ଯେଉଁଥିରେ ମହାରାଷ୍ଟ୍ରରେ ଶିକ୍ଷାନୁଷ୍ଠାନ ଓ ସରକାରୀ ଚାକିରୀରେ ମରାଠାମାନଙ୍କ ଲାଗି ସଂରକ୍ଷଣକୁ କାୟମ ରଖିଥିଲେ। ତେବେ ଜଷ୍ଟିସ୍ ଅଶୋକ ଭୂଷଣଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ବିଚାରପତିଙ୍କ ସମ୍ବିଧାନ ପୀଠ ଆରକ୍ଷଣ ଲାଗି ୫୦ ପ୍ରତିଶତ ସୀମାର ଉଲ୍ଲଂଘନ ହୋଇପାରିବ ନାହିଁ ବୋଲିସ୍ପଷ୍ଟ କହିଛନ୍ତି। ଗତମାର୍ଚ୍ଚ ୨୬ ତାରିଖ ଦିନ ସମ୍ବିଧାନ ପୀଠ ମାମଲାର ଶୁଣାଣି କରିଥିବା ବେଳେ ରାୟ ସଂରକ୍ଷିତ ରଖିଥିଲେ। ତେବେ ସୁପ୍ରିମକୋର୍ଟଙ୍କ ରାୟକୁ ଦୁର୍ଭାଗ୍ୟପୂର୍ଣ୍ଣ କହିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ।

କ’ଣ କହିଥିଲେ ବମ୍ବେ ହାଇକୋର୍ଟ
ବମ୍ବେ ହାଇକୋର୍ଟ ଜୁନ ୨୦୧୯ରେ ରାଜ୍ୟ ସରକାରଙ୍କ ଆଇନକୁ କାୟମ ରଖି ୧୬ ପ୍ରତିଶତ ସଂରକ୍ଷଣ ଉଚିତ ନୁହେଁ ବୋଲି କହିଥିଲେ। ତେବେ ରୋଜଗାରରେ ସଂରକ୍ଷଣ ୧୨ ପ୍ରତିଶତରୁ ଅଧିକ ନୁହେଁ ଓ ନାମ ଲେଖାରେ ୧୩ ପ୍ରତିଶତରୁ ଅଧିକ ନକରିବାକୁ କହିଥିଲେ। ଏ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ମହାରାଷ୍ଟ୍ରର ସଂରକ୍ଷଣ ନିଷ୍ପତ୍ତି ସମ୍ପୂର୍ଣ୍ଣ ସାମ୍ବିଧାନିକ ଓ ସମ୍ବିଧାନର ୧୦୨ ତମ ସଂଶୋଧନରେ ରାଜ୍ୟର ବିଧାୟୀ ଅଧିକାର ସମାପ୍ତ ହେଉ ନଥିବା କହିଥିଲେ। ଉଲ୍ଲେଖ ଯୋଗ୍ୟ ଯେ କେବଳ ମହାରାଷ୍ଟ୍ର ନୁହେଁ କର୍ଣ୍ଣାଟକ, ପଞ୍ଜାବ, ତାମିଲନାଡୁ ଆନ୍ଧ୍ରପ୍ରଦେଶ ସମେତ ଦେଶର କେତେକ ରାଜ୍ୟ ମହାରାଷ୍ଟ୍ର ଭଳି ସଂରକ୍ଷଣ ନୀତି ଅବଲମ୍ବନ କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.