ପିଆଜ ଆଣିବାକୁ ଦିଲ୍ଲୀ ଗଲେ ଯୋଗାଣ ସଚିବ

Published By : Prameya-News7 Bureau | September 26, 2019 IST

ଭୁବନେଶ୍ବର ୨୬।୯: ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି ପିଆଜ ଦର । ବର୍ତ୍ତମାନ ପିଆଜ ଦର ୬୦ ଛୁଇଁଲାଣି । ପିଆଜ ଦର ବୃଦ୍ଧିକୁ ନେଇ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ପିଆଜ ସଙ୍କଟ ଦୂର କରିବା ପାଇଁ ଯୋଗାଣ ସଚିବ ଦିଲ୍ଲୀ ଯାଇଛନ୍ତି । ଦିଲ୍ଲୀରେ କେନ୍ଦ୍ର ମନ୍ତ୍ରୀଙ୍କ ସହ ଯୋଗାଣ ସଚିବ ଆଲୋଚନା କରିବେ । ମହଜୁଦ ପିଆଜର ମାନ ଭଲ ଥିଲେ, ଓଡ଼ିଶା ପିଆଜ ଆଣିବ ବୋଲି ମନ୍ତ୍ରୀ କହିଛନ୍ତି । ମାନ ଯାଞ୍ଚ୍‌ ପରେ ନାଫେଡ୍‌ରୁ ପିଆଜ କିଣାଯିବ । କମ୍‌ ଦାମରେ ପିଆଜ ବିକ୍ରି ନେଇ ସରକାରଙ୍କର ଯୋଜନା ନାହିଁ ବୋଲି ମନ୍ତ୍ରୀ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ପିଆଜ ଦର ଆକାଶ ଛୁଆଁ ହେଲାଣି । ମାସକ ତଳେ ଏହା ୧୬ ରୁ ୧୮ ଟଙ୍କା ଭିତରେ ବିକ୍ରି ହେଉଥିଲା । ଏହା ଏବେ ୫୦ ଟପିଲାଣି । ବଢୁଥିବା ପିଆଜ ଦର ଏବେ ସରକାରଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇଛି । ନାସିକ୍‌ ଓ ଆନ୍ଧ୍ରରୁ ଆମଦାନୀ କମୁଥିବାରୁ ଦର ବୃଦ୍ଧି ଘଟୁଥିବା ବ୍ୟବସାୟୀ କହିଛନ୍ତି । ଯାହାକୁ ନେଇ ଖାଉଟିଙ୍କ ଚିନ୍ତା ବଢିଯାଇଛି ।

ପିଆଜ କିଲୋ ୫୦ ଟପି ୬୦ ଧରିଲାଣି । ସିଧାସଳଖ ପଖାଳ କଂସାକୁ ମାଡ କରିଛି । ମାସକ ତଳେ ପିଆଜ ଥିଲା କିଲୋଗ୍ରାମ ପିଛା ୧୬ ରୁ ୧୮ ଟଙ୍କା ମଧ୍ୟରେ । ହେଲେ ହଠାତ୍ ତାହା ବଢି ପାଖାପାଖି ୩ ଗୁଣା ହେଲାଣି । ଯାହାକୁ ନେଇ ଚିନ୍ତାରେ ଖାଉଟି । କହିବାକୁ ଗଲେ ରୋଷେଇ ଘରୁ ଏକ ପ୍ରକାର ପିଆଜ ଗାଏବ ହେବା ଆରମ୍ଭ କଲାଣି । ଯେଉଁଠି ଲୋକେ କେଜିଏ ନେଉଥିଲେ ସେଠି ଏବେ ଅଢେଇଶହ ଗ୍ରାମରେ କାମ ଚଳାଉଛନ୍ତି । ଭୁବନେଶ୍ବର ହେଉ କି ବ୍ରହ୍ମପୁର ଅଥବା ବରଗଡ ସାରା ରାଜ୍ୟରେ ପିଆଜ ଏବେ ଲୋକଙ୍କ ଆଖିରୁ ଲୁହ ବାହାର କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.