ଅନ୍ଧ ବିଶ୍ବାସ ! ମୃତ ପୁଅକୁ ଜୀବିତ କରାଇବାକୁ ଚେଷ୍ଟା

Published By : Prameya-News7 Bureau | August 10, 2018 IST

କେନ୍ଦ୍ରାପଡା ୧୦|୮-ଆସ୍ଥା ଏବଂ ଅନ୍ଧବିଶ୍ବାସ ଆଜି ବି କେମିତି ମଣିଷଙ୍କୁ ଜାବୁଡ଼ି ଧରିଛି ତା’ର ଆଉ ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବଳିପାଳ ଗାଁରେ । ରାତି ଅଧରେ ଅସୁସ୍ଥ ପୁଅ ମହେଶକୁ ଧରି ଡାକ୍ତରଖାନା ଗଲେ ବାପାମାଆ । ଆଉ ପରୀକ୍ଷା ନିରୀକ୍ଷା ପରେ ସେଠାରେ ପୁଅକୁ ମୃତ ଘୋଷଣା କଲେ ଡାକ୍ତର । ହେଲେ ଡାକ୍ତରଙ୍କ କଥାକୁ ମାନିବାକୁ ନାରାଜ ମହେଶର ବାପାମାଆ । ପୂରା ପରିବାର ହରିୟାଣାର ବାବା ରାମପାଲଙ୍କ ଭକ୍ତ ହୋଇଥିବାରୁ ବାବା ଚାହିଁଲେ ପୁଅକୁ ବଞ୍ଚାଇଦେବେ ଭାବି ଘରେ ମୃତଦେହକୁ ପକାଇ ରଖିଥିଲେ । ହେଲେ ପରିବାରର ଏଭଳି କାର୍ଯ୍ୟକୁ ନାପସନ୍ଦ କରିବା ସହ ସାହିରୁ ମୃତଦେହ ନଉଠିଲେ କେହି ରୋଷେଇବାସ କରିପାରୁନଥିବାରୁ ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା । କ’ଣ ଥିଲା ପୂରା ଘଟଣା ଚାଲନ୍ତୁ ଦେଖିବା । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଥାନା ବଳିପାଳ ଗାଁର ଶ୍ରୀଧର ପ୍ରଧାନ । ଗଲାକାଲି ରାତି ଅଧରେ ଶ୍ରୀଧରଙ୍କ ୭ବର୍ଷର ପୁଅ ମହେଶ ଅସୁସ୍ଥ ହୋଇପଡ଼ିବାରୁ ତାକୁ କେନ୍ଦ୍ରାପଡ଼ା ଡାକ୍ତରଖାନା ନେଇଥିଲେ । ସେଠାରେ ପରୀକ୍ଷା ନିରୀକ୍ଷା ପରେ ଡାକ୍ତର ପିଲାଟିକୁ ମୃତ ଘୋଷଣା କରିଥିଲେ । ହେଲେ ଡାକ୍ତରଙ୍କ କଥାକୁ ମାନିବାକୁ ନାରାଜ ମହେଶର ବାପାମାଆ । ପୂରା ପରିବାର ହରିୟାଣାର ବାବା ରାମପାଲଙ୍କ ଭକ୍ତ । ତେଣୁ ବାବା କାଳେ ପୁଅକୁ ବଞ୍ଚାଇଦେବେ ଭାବି ଘରେ ପୁଅର ମୃତଦେହକୁ ରଖି ପୂଜାର୍ଚ୍ଚନା କରୁଛନ୍ତି । ଆଉ ଅପେକ୍ଷା କରିଛନ୍ତି ମାଲିକ ମାନେ ବାବାଙ୍କ ଆଦେଶକୁ । ଶ୍ରୀଧର ମାଲିକଙ୍କ ନିର୍ଦେଶକୁ ଅନାଇ ବସିଛନ୍ତି । ଆଉ ମନରେ ବାବାଙ୍କ କୃପାର ବିଶ୍ବାସ ଭରିବାକୁ ଦୁଇ ତିନି ଜଣ ଗୁରୁଭାଇ ମଧ୍ୟ ପହଞ୍ଚି ଯାଇଥିଲେ ଗାଁରେ । ତେଣେ ଏସବୁ କାଣ୍ଡକୁ ସହଜରେ ଗ୍ରହଣ କରିପାରୁ ନଥିଲେ ଗାଁ ଲୋକେ । କାଲି ରାତିରୁ ସାହିରେ ପିଲାଟିର ମୃତ ଦେହ ପଡ଼ି ରହିଥିବାରୁ ଗାଁରେ କେହି କାହା ଘରେ ରୋଷେଇବାସ କି ପୂଜାର୍ଚ୍ଚନା କରିପାରୁ ନଥିବାରୁ ବଢ଼ିଥିଲା ଉତ୍ତେଜନା । ଜଣେ ଭଣ୍ଡ ବାବା ଯିଏ ଏବେ ଜେଲ୍ରେ ଅଛି ତା’ ଉପରେ ଏମିତି ଭରସା କରି ପୁଅର ମୃତଦେହକୁ ସଂସ୍କାର ନକରି ଘରେ ପକାଇରଖିଥିବାରୁ ଅସନ୍ତୋଷ ଜାହିର କରିଥିଲେ ସାହି ପଡ଼ିଶା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.