ଡାକ୍ତର କହି​‌ଲେ ମୃତ, ଗୁଣିଆ କହୁଛି ପୁଅ ବଞ୍ଚିଛି: ମୃତଦେହରେ ହଳଦୀ ଓ ଚନ୍ଦନ ବୋଳି ଜଗି ବସିଛନ୍ତି ବାପା-ମା

Published By : Prameya-News7 Bureau | May 29, 2021 IST

ସୁବର୍ଣ୍ଣପୁର ୨୯/୫:  ପୁଅକୁ ଡାହାଣୀ କୋପ ଦୃଷ୍ଟି କରିଛି। କିଛି ଚିନ୍ତା କରିବାର ନାହିଁ। ସକାଳ ୭ଟା ବେଳେକୁ ପୁଅ ବଞ୍ଚିଯିବ। ଗୁଣିଆ ପାଖରୁ ଏକଥା ଶୁଣିବା ପରେ ମୃତ ପୁଅକୁ ପାଖରେ ଶୁଆଇ ୩୫ ଘଣ୍ଟାରୁ ଅଧିକ ସମୟ ଧରି ବାପା-ମା ଜଗିବସିଛନ୍ତି କେବେ ତାଙ୍କ ପୁଅ ଜୀବନ ପାଇବ ।  ଆଜିର ଆଧୁନିକ ଯୁଗରେ ଏମିତି ଏକ ଅଭାବନୀୟ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ନାରାୟଣପୁର ଗାଁରେ।

ଗାଁର  ନବଘନ କର୍ମୀଙ୍କ ୧୦ ମାସର ପୁଅକୁ ଝାଡାବାନ୍ତି ହେବାରୁ ଚିକିତ୍ସା ପାଇଁ ବୁର୍ଲ୍ଲା ନେଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କ ପୁଅକୁ ମୃତ ଘୋଷଣା କରିଥିଲେ । କିନ୍ତୁ ଘରକୁ ଆସିଲା ପରେ ଏକ ଗୁଣିଆକୁ  ଡକାଇଥିଲେ ବାପ-ମା । ଗୁଣିଆ କହିଥିଲା ଡାଆଣୀ କୋପରୁ ପୁଅ ମରିଛି । ତା ଦେହରେ ହଲଦୀ ଏବଂ ଚନ୍ଦନ ବୋଳି ଦେଲେ ସେ ସକାଳ ୭ ଟା ଭିତରେ ବଞ୍ଚିଯିବ । ଗୁଣିଆ କଥାରେ ହଳଦୀ ଚନ୍ଦନ ବୋଳି ବାପା ମା ବସିରହିଥିଲେ । ହେଲେ ୭ଟା ମଧ୍ୟରେ ପୁଅ ବଞ୍ଚିନଥିଲା।  ଏହା ପରେ ବାପା-ମା ବୌଦ୍ଧ ଜିଲ୍ଲାର ଆଉ ଏକ ଗୁଣିଆ ପାଖକୁ ମୃତ ପୁଅକୁ ନେଇଯାଇଥିଲେ ।  ସେ ବି କହିଥିଲା ପୁଅ ବଞ୍ଚିଯିବ ।

ହେଲେ ଦୀର୍ଘ ଘଣ୍ଟା ପରେ ବି ମୃତ ପୁଅ ବଞ୍ଚିନାହିଁ ।  କେତେବେଳେ ପୁଅ ଆଖି ଖୋଲିବ ସେହି ଅପେକ୍ଷାରେ ମୃତ ପୁଅକୁ ଧରି ବସି ରହିଛନ୍ତି ବାପ ମା । ଏସବୁ ଅନ୍ଧ ବିଶ୍ବାସକୁ କିନ୍ତୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ସ୍ଥାନୀୟ ଲୋକେ । ପୋଲିସ ଏଥିର ହସ୍ତକ୍ଷେପ କରିବା ଉଚିତ ବୋଲି କହିଛନ୍ତି । ହେଲେ ଏନେଇ ପୋଲିସ ପାଖରେ କିଛି ଖବର ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.