ସୁପର ସୋନିକ କ୍ରୁଜ ମିସାଇଲ ବ୍ରହ୍ମୋସର ସଫଳ ପରୀକ୍ଷଣ

Published By : Prameya-News7 Bureau | July 12, 2021 IST

ବାଲେଶ୍ଵର ୧୨।୭: ସୁପର ସୋନିକ କ୍ରୁଜ ମିସାଇଲ ବ୍ରହ୍ମୋସର ସୋମବାର ସଫଳତାର ସହ ପରୀକ୍ଷଣ ହୋଇଛି। ଚାନ୍ଦିପୁର ଆଇଟିଆରର ୩ନଂ ଲଞ୍ଚପ୍ୟାଡ଼ରୁ ପୂର୍ବାହ୍ନ ୧୦ଟା ୩୦ମିନିଟରେ ଏହି ପରୀକ୍ଷଣ କରାଯାଇଥିଲା। ଏହି ପରୀକ୍ଷା ପାଇଁ ପ୍ରତିରକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ କରାଯାଇଥିଲା। ଋଷ ଓ ଭାରତର ମିଳିତ ସହଯୋଗରେ ନିର୍ମିତ ଏହି କ୍ଷେପଣାସ୍ତ୍ରକୁ ଯେକୌଣସି ପରିସ୍ଥିତିରେ ସ୍ଥଳଭାଗ, ଯୁଦ୍ଧ ଜାହାଜ ଓ ରେଳ ଲଞ୍ଚରରୁ ଉତକ୍ଷେପଣ କରାଯାଇପାରିବ ।

ଏହା ଶବ୍ଦର ବେଗଠାରୁ ୩ ଗୁଣ ଅଧିକ ବେଗରେ ଗତି କରିପାରିବ । ଏହି କ୍ଷେପଣାସ୍ତ୍ରଟିରେ ୨ଟି ଷ୍ଟେଜ ବିଶିଷ୍ଟ ଇଞ୍ଜିନ ବ୍ୟବହାର କରାଯାଇଛି । ଏହା ୩ ହଜାର କିଲୋଗ୍ରାମ ପର୍ଯ୍ୟନ୍ତ ଉଭୟ ଆଣବିକ ଓ ପାରମ୍ପରିକ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରହିଛି । ସ୍ଥଳଭାଗରୁ ଏହା ୪୫୦ରୁ ୬୦୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ। 

କେବଳ ଏତିକି ନୁହେଁ, ବାୟୁସେନାର ଯୁଦ୍ଧ ବିମାନରୁ ଏହି କ୍ଷେପଣାସ୍ତ୍ର ୪୦୦ କିଲୋମିଟର ପର୍ଯ୍ୟନ୍ତ ଟାର୍ଗେଟ ହିଟ୍ କରିପାରିବାର କ୍ଷମତା ରଖିଛି । ଘଣ୍ଟା ପ୍ରତି ୩ହଜାର ୪ଶହ କିଲୋମିଟରରୁ ୩ହଜାର ୭ଶହ କିଲୋମିଟର ବେଗରେ ଗତି କରିପାରୁଥିବା ସୁପର ସୋନିକ କ୍ରୁଜ ମିଜାଇଲ ବ୍ରହ୍ମୋସକୁ ୨୦୦୬ ମସିହାରୁ ପ୍ରତିରକ୍ଷା ବିଭାଗରେ ବ୍ୟବହାର କରାଯାଇଛି। ଏହାର ଲମ୍ବ ୮.୪ ମିଟର, ମୋଟେଇ ୦.୬ ମିଟର ଓ ଓଜନ ୩ ହଜାର ରହିଛି । ଏହା ଭାରତର ବ୍ରହ୍ମପୁତ୍ର ନଦୀ ଓ ଋଷର ମସ୍କଭା ନଦୀର ନାମ ଅନୁସାରେ ଏହାର ନାମକରଣ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.