ସୁପର୍ ପାଓ୍ୱାର ପାଇଁ ଚୀନ୍ ଓ ଫ୍ରାନ୍ସର ସୁପର ସୋଲଜର : ନିଦ ଲାଗିବନି କିମ୍ବା କଷ୍ଟ ହେବନି, ପଶୁ ଭଳି ରହିବ ଶୁଣିବା ଓ ଦେଖିବା କ୍ଷମତା

Published By : Prameya-News7 Bureau | December 25, 2020 IST

ନୂଆଦିଲ୍ଲୀ,୨୫/୧୨: ସାରା ବିଶ୍ୱ ଉପରେ ଦବଦବା ପ୍ରତିଷ୍ଠା ପାଇଁ ପ୍ରୟାସ କରୁଛି ଚୀନ । ନିଜ ସୈନ୍ୟଙ୍କୁ ଅଧିକ ବିକଶିତ କରୁଛି । ଏପରିକି ଫ୍ରାନ୍ସ ମଧ୍ୟ ଚୀନ ରାସ୍ତାରେ ପାଦ ଦେଇଛି । ଏଥିପାଇଁ ତିଆରି କରୁଛି ସୁପର ସୋଲଜର୍ ।

ନ୍ୟୁୟର୍କ ପୋଷ୍ଟର ରିପୋର୍ଟ ଅନୁସାରେ, ଫ୍ରାନ୍ସ ଗତ ସପ୍ତାହରେ ଏକ ନିଷ୍ପତ୍ତି ନେଇଛି । ନିଷ୍ପତ୍ତି କ୍ରମେ ସେଠାକାର ସୈନ୍ୟଙ୍କୁ ଶାରୀରିକ ଓ ମାନିସକ ଭାବେ ଆହୁରି ସଶକ୍ତ କରାଯିବ । ସେମାନଙ୍କଠାରେ ଲୋକେସନ୍ ଟ୍ରାକିଂ ଓ କନେକ୍ଟିଭିଟି ରହିବ । ସୈନ୍ୟଙ୍କୁ ଏକ ମେଡିସିନ୍ ଦିଆଯିବ । ଯେଉଁଥିରେ ସେମାନେ ଦୀର୍ଘ ସମୟ ଧରି ଅନିଦ୍ରା ରହିପାରିବେ । ଏପରିକି ସେମାନଙ୍କ ଶୁଣିବା ଶକ୍ତି ମଧ୍ୟ ବୃଦ୍ଧି ପାଇବ । ଏହି ଔଷଧ ସୈନ୍ୟଙ୍କ ଡିଏନଏକୁ ନିୟନ୍ତ୍ରଣ କରିବା ସହ ରୋବର୍ଟ ଭଳି କାମ କରିବାକୁ ଶକ୍ତି ଯୋଗାଇବ ।

କିଙ୍ଗସ୍ କଲେଜ ଲଣ୍ଡନର ପ୍ରଫେସର ମାଇକେଲ୍ କ୍ଲାର୍କଙ୍କ ସୂଚନା ଅନୁସାରେ, ଏପରି କିଛି ଔଷଧ ଲ୍ୟାବରେ ପ୍ରସ୍ତୁତ ହୋଇଛି ଯାହା ଡିଏନଏକୁ ଅଧିକ ବିକଶିତ କରିପାରିବ । ଆହୁରି ମଧ୍ୟ ମଣିଷର ଶକ୍ତି ବୃଦ୍ଧି କରିବ ।ପଶୁଙ୍କ ଶରୀରରେ ଯେପରି ଭାବେ ଡିଏନଏ ରହିଛି ତାହାକୁ ସୈନ୍ୟଙ୍କଠାରେ ପ୍ରୟୋଗ କରାଯିବ ।

ଏତତ୍ ବ୍ୟତୀତ ଚାଇନାର ପିପୁଲ୍ସ ଲିବରେସନ ଆର୍ମୀ ମଧ୍ୟ ଜୈବିକ ସୈନ୍ୟ ପ୍ରସ୍ତୁତ କରୁଛି । ଏହାକୁ ସେ ସୁପର୍ ସୋଲଜର୍ କହୁଛି ।ଆମେରିକା ଗୁଇନ୍ଦା ସଂସ୍ଥାର ନିର୍ଦ୍ଦେଶତ ଜନ୍ ରାଟକ୍ଲିଫ୍ କହିଛନ୍ତି ଯେ, ଚାଇନା ସାରା ବିଶ୍ୱକୁ କବଳିତ କରିବା ପାଇଁ ଏପରି କାମ କରୁଛି । ନିଜ ସୈନ୍ୟଙ୍କ ଶକ୍ତିକୁ ବଢାଇବା ପାଇଁ ଜୈବିକ ଅସ୍ତ୍ରର ପ୍ରୟୋଗ କରୁଛି । ସୈନ୍ୟଙ୍କ ମସ୍ତିଷ୍କରେ ମାଇକ୍ରୋଚିପ୍, ବାୟୋନିକ୍ ଆଖି, ସୁପର୍ ହିଅରିଂ ଓ କଷ୍ଟ ପ୍ରତିରୋଧି ଶକ୍ତି ବୃଦ୍ଧି ଦିଗରେ ଚାଇନା କାମ କରୁଛି । ଏହା ଯଦି ସଫଳ ହୁଏ ତେବେ ନିଶ୍ଚିତ ଭାବେ ଅନ୍ୟ ଦେଶ ପାଇଁ ଚିନ୍ତାର କାରଣ ହେବ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.