ଲଗାତାର ପରାଜୟ ପରେ ପ୍ରଥମ ବିଜୟ ହାସଲ କଲା ହାଇଦ୍ରାବାଦ, ପଏଣ୍ଟ ତାଲିକାର ତଳକୁ ଖସିଲା ପଞ୍ଜାବ

Published By : Prameya-News7 Bureau | April 21, 2021 IST

ଚେନ୍ନାଇ ୨୧।୦୪: ଲଗାତାର ତିନୋଟି ପରାଜୟ ପରେ ଶେଷରେ ବିଜୟର ସ୍ଵାଦ ଚାଖିଲା ସନରାଇଜର୍ସ ହାଇଦ୍ରାବାଦ। ପଞ୍ଜାବ କିଙ୍ଗ୍ସକୁ ୯ ଓ୍ଵିକେଟ୍‌ରେ ପରାସ୍ତ କରି ଆଇପିଏଲର ୧୪ଶ ସଂସ୍କରଣରେ ପ୍ରଥମ ବିଜୟ ହାସଲ କରିଛି ହାଇଦ୍ରାବାଦ। ଅନ୍ୟପଟେ ପଞ୍ଜାବ ଚତୁର୍ଥ ମ୍ୟାଚ୍‌ରୁ କ୍ରମାଗତ ତୃତୀୟ ପରାଜୟ ଭୋଗିଛି। ଏଥିସହ ପଞ୍ଜାବ ପଏଣ୍ଟ ଟେବୁଲ୍‌ର ଶେଷ ସ୍ଥାନକୁ ଖସି ଆସିଛି।

ପ୍ରଥମେ ବ୍ୟାଟିଂ କରି ପଞ୍ଜାବ କିଙ୍ଗ୍ସ ୯ ଓ୍ଵିକେଟ୍  ହରାଇ ୧୨୦ ରନ କରିଥିଲା। ଦଳ ପକ୍ଷରୁ କୌଣସି ବ୍ୟାଟସନ୍ୟାନ ଖାସ୍ ପ୍ରଦର୍ଶନ କରି ପାରିନଥିଲେ। ମୟଙ୍କ ଅଗ୍ରଓ୍ଵାଲ(୨୨) ଓ ଶାହୁରଖ ଖାନ(୨୨) ରନ କରିଥିଲେ। ଜବାବରେ ଜୋନି ବେୟାରଷ୍ଟୋଙ୍କ ଅପରାଜିତ ୬୩ ରନ ସହାୟତାରେ ହାଇଦ୍ରାବାଦ ୧ ଓ୍ଵିକେଟ୍ ହରାଇ ୧୮.୪ ଓଭରରେ ବିଜୟ ହାସଲ କରି ନେଇଛି।

୧୨୧ ରନର ସହଜ ବିଜୟ ଲକ୍ଷ୍ୟକୁ ପିଛା କରିଥିବା ହାଇଦ୍ରାବାଦର ଓପନର ଡେଭିଡ୍ ଓ୍ଵାର୍ଣ୍ଣର ଓ ଜୋନି ବେୟାରଷ୍ଟୋ ଦଳକୁ ଭଲ ଆରମ୍ଭ କରିଥିଲେ। ଦୁଇ ବ୍ୟାଟସମ୍ୟାନ ୧୦.୧ ଓଭରରେ ପ୍ରଥମ ଓ୍ଵିକେଟ୍‌ରେ ୭୩ ରନ ଯୋଡିଥିଲେ। ଓ୍ଵାର୍ଣ୍ଣର ୩୭ ବଲ୍‌ରୁ ୩ ଚୌକା ଓ ୧ ଛକା ସହ ୩୭ ରନ କରିଥିଲେ। ଏହା ପରେ ବେୟାଷ୍ଟୋ ଓ ଚଳିତ ସିଜିନ୍‌ରେ ପ୍ରଥମ ମ୍ୟାଚ୍ ଖେଳୁଥିବା କେନ୍ ଓ୍ଵିଲିୟମସନଙ୍କ ସହ ଅପରାଜିତ ରହି ଦଳକୁ ୯ ଓ୍ଵିକେଟ୍‌ରେ ବିଜୟୀ କରାଇଛନ୍ତି। ବେୟାରଷ୍ଟୋ ୫୬ ବଲ୍‌ରୁ ୩ ଚୌକା ଓ ୩ ଛକା ସହ ୬୩ ଓ ଓ୍ଵିଲିୟମସନ ୧୬ ରନ କରି ଅପରାଜିଥିଲେ।

ଏହା ପୂର୍ବରୁ ପଞ୍ଜାବ କିଙ୍ଗ୍ସ ହାଇଦ୍ରାବାଦ ବୋଲରଙ୍କ ମୁକାବିଲା କରି ନପାରି ୧୨୦ ରନରେ ସୀମିତ ରହିଥିଲା। ଦଳ ନିୟମିତ ବ୍ୟବଧାନରେ ଓ୍ଵିକେଟ୍  ହରାଇବାରୁ ବଡ ସ୍କୋର କରିବାରେ ବିଫଳ ହୋଇଥିଲା। ଦଳ ପକ୍ଷରୁ ମୟଙ୍କ ଅଗ୍ରଓ୍ଵାଲ(୨୨) ଓ ଶାହୁରଖ ଖାନ(୨୨) ରନ କରିଥିଲେ। ହାଇଦ୍ରାବାଦ ପକ୍ଷରୁ ଖଲିଲ ଅହମ୍ମଦ ୨୧ ରନ ଦେଇ ୩ ସଫଳତା ନେଇଥିଲେ। ଅଭିଷେକ ଶର୍ମା ୨ ଓ୍ଵିକେଟ୍ ନେଇଥିବା ବେଳେ ଭୁବନେଶ୍ଵର କୁମାର, ଏସ କୌଲ ଓ ରଶିଦ ଖାନ ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇ ପଞ୍ଜବାର ରନ ଗତି ଉପରେ ଅଙ୍କୁଶ ଲଗାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.