ଜାସନ ରୟ ଓ ଓ୍ଵିଲିୟମସନଙ୍କ ଅର୍ଦ୍ଧଶତକ, ଲଗାତାର ପରାଜୟ ପରେ ରାଜସ୍ଥାନକୁ ହରାଇ ବିଜୟର ସ୍ଵାଦ ଚାଖିଲା ହାଇଦ୍ରାବାଦ

Published By : Prameya-News7 Bureau | September 27, 2021 IST

ଦୁବାଇ ୨୭।୦୯: କ୍ରମାଗତ ପରାଜୟ ପରେ ଶେଷରେ  ବିଜୟର ସ୍ଵାଦ ଚାଖିଲା ସନରାଇଜର୍ସ ହାଇଦ୍ରାବାଦ। ଜାସନ ରୟ ଓ କେନ ଓ୍ଵିଲିୟମସନଙ୍କ ଦମଦାର ଅର୍ଦ୍ଧଶତକ ବଳରେ ହାଇଦ୍ରାବାଦ ଆଇପିଏଲ ୨୦୨୧ର ୪୦ ତମ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସକୁ ୭ ଓ୍ଵିକେଟ୍‌ରେ ପରାସ୍ତ କରିଛି। ଏଥିସହ ଦଳ ଦଶମ ମ୍ୟାଚ୍‌ରୁ ଦ୍ଵିତୀୟ ବିଜୟ ହାସଲ କରିଛି ହାଇଦ୍ରାବାଦ। ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ରୟାଲ୍ସ ସଞ୍ଜୁ ସାମସନଙ୍କ ଦମଦାର ୮୨ ରନ ଜରିଆରେ ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍‌ ହରାଇ ୧୬୪ ରନ କରିଥିଲା। ଜବାବରେ ଅଧିନାୟକ କେନ ଓ୍ଵିଲିୟମସନଙ୍କ ଅପରାଜିତ ୫୧ ଏବଂ ଜାସନ ରୟଙ୍କ ୬୦ ରନ ବଳରେ ସନରାଇଜର୍ସ ହାଇଦ୍ରାବାଦ ୧୮.୩ ଓଭରରେ ୩ ଓ୍ଵିକେଟ୍ ହରାଇ ୧୬୭  ରନ କରି  ବିଜୟୀ ହୋଇଛି। ଅଭିଷେକ ଶର୍ମା ମଧ୍ୟ ୨୧ ରନ କରି ଅପରାଜିତ ଥିଲେ। ରାଜସ୍ଥାନ ୧୦ ମ୍ୟାଚ୍‌ରୁ ଷଷ୍ଠ ପରାଜୟ ଭୋଗି ପଏଣ୍ଟ ତାଲିକାର ଷଷ୍ଠ ସ୍ଥାନରେ ରହିଛି।

୧୬୫ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ହାଇଦ୍ରାବାଦର ଦୁଇ ଓପନର ଜାସନ ରୟ ଓ ଋିଦ୍ଧିମାନ ଶାହା ଭଲ ଆରମ୍ଭ ଦେଇଥିଲେ। ପ୍ରଥମ ଓ୍ଵିକେଟ୍‌ରେ ଦୁଇ ବ୍ୟାଟସମ୍ୟାନ ୫.୧ ଓଭରରେ ୫୭ ରନର ଭାଗିଦାରୀ କରିଥିଲେ। ଶାହା ୧୮ ରନରେ ଆଉଟ୍ ହେବା ପରେ ରୟ ଓ ଶାହା ଦଳର ଇନିଂସକୁ ଆଗକୁ ବଢାଇଥିଲେ। ରୟ ଦମଦାର  ବ୍ୟାଟିଂ କରି ଅର୍ଦ୍ଧଶତକ ସହ ୬୦ ରନ କରି ଆଉଟ୍ ହୋଇଥିଲେ। ଏହା ପୂର୍ବରୁ ସେ ଓ୍ଵିଲିୟମସନଙ୍କ ସହ ୫୭ ରନ ଯୋଡି ଦଳ ବିଜୟର ମୂଳଦୁଆ ପକାଇଥିଲେ। ପ୍ରିୟମ ଗର୍ଗ(୦) ପାଭିଲିୟନ ଫେରିଥିଲେ। ଅଧିନାୟକ ଓ୍ଵିଲିୟିମନସନ ଅଧିନାୟକତ୍ଵ ଇନିଂସ ଖେଳି ଅଭିଶେଷ ଶର୍ମାଙ୍କ ସହ ଅବିଭାଜିତ ଚତୁର୍ଥ ଓ୍ଵିକେଟ୍‌ରେ ୪୮ ରନ ଯୋଡି ଦଳକୁ ବିଜୟୀ କରାଇଛନ୍ତି। କେନ ଓ୍ଵିଲିୟମସନ ୪୧ ବଲ୍‌ରୁ ୫ ଚୌକା ଓ ୧ ଛକା ସହ ୫୧ ଓ ଶର୍ମା ୨୧ ରନ କରି ଅପରାଜିତ ଥିଲେ। ଦଳ ୧୮.୩ ଓଭରରେ ୩ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.