ସନରାଇଜର୍ସ ହାଇଦ୍ରାବାଦ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଲେ ମନୀଷ ପାଣ୍ଡେ, ଗତ ୧୦ଟି ଅର୍ଦ୍ଧଶତକରୁ ଦଳ ଜିତିଛି ଏତିକି ମ୍ୟାଚ୍

Published By : Prameya-News7 Bureau | April 17, 2021 IST

ଚେନ୍ନାଇ ୧୭।୦୪: ଆଇପିଏଲର ଅନୁଭବୀ ବ୍ୟାଟସମ୍ୟାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ମନୀଷ ପାଣ୍ଡେ। ଏହି ଅଭିଜ୍ଞ ବ୍ୟାଟସମ୍ୟାନ ଏବେ ସନରାଇଜର୍ସ ହାଇଦ୍ରାବାଦ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛନ୍ତି। ଆଇପିଏଲ୍‌ର ପ୍ରଥମ ସଂସ୍କରଣ(୨୦୦୮)ରୁ ଖେଳି ଆସୁଥିବା ମନୀଷ ପାଣ୍ଡେଙ୍କ ନିକଟରେ ୧୪୮ ମ୍ୟାଚ୍‌ର ଅଭିଜ୍ଞତା ରହିଛି। ମାତ୍ର ହାଇଦ୍ରାବାଦର କ୍ରମାଗତ ଦୁଇଟି ପରାଜୟରେ ସେ ଖଳନାୟକ ଭାବେ ଉଭା ହୋଇଛନ୍ତି।

ଆଇପିଏଲର ପ୍ରଥମ ଦୁଇଟି ମ୍ୟାଚ୍‌ରେ ମନୀଷ ପାଣ୍ଡେ ଭଲ ଆରମ୍ଭ କରିଥିଲେ ମଧ୍ୟ ମ୍ୟାଚ୍‌ ସମାପ୍ତ କରିବାରେ ବିଫଳ ହୋଇଛନ୍ତି। ପାଣ୍ଡେଙ୍କ ଧିମା ବ୍ୟାଟିଂର ପରିଣାମ ହାଇଦ୍ରାବାଦକୁ ଭୋଗିବାକୁ ପଡୁଛି। କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷ ଚେନ୍ନାଇରେ ଖେଳାଯାଇଥିବା ପ୍ରଥମ ମୁକାବିଲାରେ ସେ ୪୪ ବଲ୍‌ରୁ ୬୧ ରନ କରିଥିଲେ। ସେ ଶେଷ ବଲ୍ ପର୍ଯ୍ୟନ୍ତ କ୍ରିଜରେ ମଧ୍ୟ ଥିଲେ, ହେଲେ ୧୮୮ ରନର ବିଜୟ ଲକ୍ଷ୍ୟ ପିଛା କରିବାରେ ବିଫଳ ହୋଇଥିଲେ। ଏହା ପରେ ସେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ମଧ୍ୟ ୩୮ ବଲ୍‌ରୁ ୩୯ କରିଥିଲେ, ତଥାପି ଦଳ ୧୫୦ ରନର ବିଜୟ ଲକ୍ଷ୍ୟ ହାସଲ କରିପାରିନଥିଲା। ଏହି ପରି ହାଇଦ୍ରାବାଦ ନିଜର ପ୍ରଥମ ଦୁଇଟି ମୁକାବିଲାରେ ପରାଜୟର ସ୍ଵାଦ ଚାଖିଛି।

{"id":439813,"width":831,"height":436,"sizeSlug":"large","linkDestination":"none"}

ସମୟ ଥିଲା ମନୀଷ ପାଣ୍ଡେଙ୍କୁ ଭାରତୀୟ କ୍ରିକେଟ୍‌ର ଜଣେ ଉଦୀୟମାନ ତାରକା ବ୍ୟାଟସମ୍ୟାନ କୁହାଯାଉଥିଲା। ସେ ଭାରତ ପାଇଁ ୨୬ ଦିନିକିଆ ଓ ୩୯ ଟି-୨୦ ମ୍ୟାଚ୍ ମଧ୍ୟ ଖେଳିଛନ୍ତି। ଏହା ସତ୍ତ୍ଵେ ବି ମନୀଷ ପାଣ୍ଡେ ଏ ପର୍ଯ୍ୟନ୍ତ ନିଜର ସ୍ଥାନ ସୁରକ୍ଷିତ କରି ପାରି ନାହାନ୍ତି। ଚଳିତ ବର୍ଷ ବିସିସିଆଇ ମନୀଷ ପାଣ୍ଡେଙ୍କୁ ବାର୍ଷିକ ଅନୁବନ୍ଧରୁ ମଧ୍ୟ ବାଦ୍ ଦେଇଛି। ଆଇପିଏଲ୍‌ରେ ମଧ୍ୟ ଗତ ତିନୋଟି ସିଜିନ୍‌ରେ ତାଙ୍କର ରେକର୍ଡ ଉତ୍ସାହଜନକ ମଧ୍ୟ ରହିନାହିଁ ।  ୨୦୧୮ ସିଜିନ୍‌ରୁ ଏ ପର୍ଯ୍ୟନ୍ତ ୧୪ ଥର ମନୀଷ ପାଣ୍ଡେ ୩୦ କିମ୍ବା ଉର୍ଦ୍ଧ୍ଵ ବଲ୍ ଖେଳିଛନ୍ତି। ସେଥିରୁ ୧୧ ଥର ସନରାଇଜର୍ସକୁ ପରାଜୟର ସାମ୍ନା କରିବାକୁ ପଡିଛି। ଏହା ବ୍ୟତୀତ ଗତ ଚାରୋଟି ସିଜିନ୍‌ରେ ପାଣ୍ଡେ ହାସଲ କରିଥିବା ୧୦ ଅର୍ଦ୍ଧଶତକରୁ ଦଳ ୮ଟିରେ ପରାଜିତ ହୋଇଛି। ଏଥିରୁ ସ୍ପଷ୍ଟ ଯେ, ପାଣ୍ଡେ ରନ କରିବାରେ ସଫଳ ହେଉଛନ୍ତି ମାତ୍ର, ମ୍ୟାଚ୍ ଫିନିସ୍ କରିବାରେ ବିଫଳ ହୋଇଛନ୍ତି।

ମନୀଷ ପାଣ୍ଡେ ୧୪୮ ଆଇପିଏଲ୍ ମ୍ୟାଚ୍‌ରେ ୩୦.୩୩ ହାରରେ ଏ ପର୍ଯ୍ୟନ୍ତ ୩୩୬୭ ରନ କରିଛନ୍ତି। ଏଥିରେ ଗୋଟିଏ ଶତକ ଏବଂ ୧୯ ଅର୍ଦ୍ଧଶତକ ସାମିଲ। ହେଲେ ପାଣ୍ଡେଙ୍କ ଷ୍ଟ୍ରାଇକ୍‌ ରେଟ୍ ୧୨୧.୬ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.