କରୋନା ଲଢେଇରେ ସହାୟତାର ହାତ ବଢାଇଲା ସନରାଇଜର୍ସ ହାଇଦ୍ରାବାଦ, ଦାନ କଲା ୩୦ କୋଟି ଟଙ୍କା

Published By : Prameya-News7 Bureau | May 10, 2021 IST

ନୂଆଦିଲ୍ଲୀ ୧୦।୦୫: କରୋନା ଭାଇରସ୍‌ ସଂକ୍ରମିତଙ୍କ ସାହାଯ୍ୟ ପାଇଁ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍)ର ଫ୍ରାଞ୍ଚାଇଜି ସନରାଇଜର୍ସ ହାଇଦ୍ରାବାଦ ଆଗକୁ ଆସିଛି। ସନରାଇଜର୍ସର ମାଲିକ ସନ ଟିଭି ନେଟଓ୍ଵର୍କ କୋଭିଡ୍-୧୯ ମୁକାବିଲା ପାଇଁ ୩୦ କୋଟି ଟଙ୍କା ଦାନ କରିଛନ୍ତି।

ସନ୍ ଟିଭି ନେଟଓ୍ଵର୍କ ସୋମବାର କୋଭିଡ୍ ମୁକାବିଲା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବ୍ୟତୀତ ବିଭିନ୍ନ ସଂଗଠନ(ଏନଜିଓ)କୁ ଆର୍ଥିକ ସହାୟତ ପ୍ରଦାନ କରିଛି। ଭାରତ ସଂପ୍ରତି କୋଭିଡ୍-୧୯ ମହାମାରୀର ଦ୍ଵିତୀୟ ଲହରରେ ସଂଘର୍ଷ କରୁଛି। ପ୍ରତିଦିନ ୪ ଲକ୍ଷରୁ ଉର୍ଦ୍ଧ୍ଵ ନୂତନ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ୪୦୦୦ରୁ ଅଧିକ ଲୋକଙ୍କ ପ୍ରାଣହାନୀ ଘଟୁଛି।

ସନରାଇଜର୍ସ ହାଇଦ୍ରାବାଦ ନିଜର ଟ୍ଵିଟର ପୃଷ୍ଠାରେ ଲେଖିଛି ଯେ, ସନ ଟିଭି କୋଭିଡ୍-୧୯ ମହାମାରୀର ଦ୍ଵିତୀୟ ଲହରରେ ପ୍ରଭାବିତ ଲୋକଙ୍କ ସାହାଯ୍ୟ ପାଇଁ ୩୦ କୋଟି ଟଙ୍କା ଦାନ କରିଛି। ଏହି ଟଙ୍କାର ଉପଯୋଗ ବିଭିନ୍ନ ରାଜ୍ୟ ଦ୍ଵାରା ସଞ୍ଚାଳିତ କୋଭିଡ୍ ମୁକାବିଲାରେ ବ୍ୟବହାର କରାଯିବ। ଏହି ଅର୍ଥରେ ଅକ୍ସିଜେନ ସିଲିଣ୍ଡର, ଔଷଧ ଆଦି ଆକ୍ରାନ୍ତଙ୍କୁ ଯୋଗାଇ ଦିଆଯିବ।

ଏହା ପୂର୍ବରୁ ରାଜସ୍ଥାନ ରୟାଲ୍ସ କୋଭିଡ୍-୧୯ର ମୁକାବିଲାରେ ସଂକ୍ରମିତଙ୍କ ସାହାଯ୍ୟ ପାଇଁ ୭.୫ କୋଟି ଟଙ୍କା ଘୋଷଣା କରିଛନ୍ତି। ଖେଳାଳିଙ୍କ ସହ ଦଳର ମାଲିକ ଓ ଦଳ ମ୍ୟାନେଜମେଣ୍ଟ ଫଣ୍ଡ ଯୋଗାଡରେ ସାହାଯ୍ୟ କରିଛନ୍ତି। ସିଏସକେ ମଧ୍ୟ କରୋନା ଭାଇରସ୍‌ ଲଢେଇରେ ତାମିଲନାଡୁବାସୀଙ୍କ ସାହାଯ୍ୟ ପାଇଁ ଆଗକୁ ଆସିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.