ରାମମନ୍ଦିର ପ୍ରସଙ୍ଗ: ହିନ୍ଦୁ ଓ ମୁସ୍ଲିମ ଉଭୟପକ୍ଷଙ୍କ ହେବ ‘ଜିତ୍’, ଜାଣନ୍ତୁ କ’ଣ ପରାମର୍ଶ ଦେଇଛନ୍ତି ମଧ୍ୟସ୍ଥ ପ୍ୟାନେଲ
17/10/2019 at 7:34 PM

ନୂଆଦିଲ୍ଲୀ: ଅଯୋଧ୍ୟା ରାମ ମନ୍ଦିର ମାମଲାରେ ନୂଆ ମୋଡ ଆସିଛି। ବୁଧବାର ସୁପ୍ରିମକୋର୍ଟରେ ମାମଲାର ଶୁଣାଣି ସମାପ୍ତ ହୋଇଥିବା ବେଳେ ଏବେ ସାରାଦେଶ କୋର୍ଟଙ୍କ ରାୟକୁ ଅପେକ୍ଷା କରି ରହିଛି। ତେବେ ଏଥିରେ ସୁପ୍ରିମକୋର୍ଟ ମଧ୍ୟସ୍ଥ ପ୍ୟାନେଲ ଯେଉଁ ପରାମର୍ଶ ଦେଇଛନ୍ତି ତାହା ରାମ ଜନ୍ମଭୂମିକୁ ନେଇ ଲଢୁଥିବା ଉଭୟ ହିନ୍ଦୁ ଓ ମୁସ୍ଲିମଙ୍କ ଲାଗି ବିଜୟ ସଦୃଷ ବୋଲି ସୁନ୍ନି ୱାକଫ ବୋର୍ଡ ଓକିଲ ଶାହିଦ ରିଜଭି କହିଛନ୍ତି।

ତେବେ ମଧ୍ୟସ୍ଥତା ପ୍ୟାନେଲକୁ ଆମେ ଆମର ବିଚାର ଜଣାଇ ଦେଇଛୁ ବୋଲି ରିଜଭି କହିଥିବା ବେଳେ ମାମଲାର ସମାଧାନ ନିମନ୍ତେ ନ୍ୟାୟାଳୟଙ୍କ ଲାଗି ପ୍ରସ୍ତୁତ କରିଥିବା ସମାଧାନ ଯୋଜନା ସମ୍ପର୍କରେ ଏବେବି ନିରବତା ଅବଲମ୍ବନ କରିଛନ୍ତି। ହେଲେ ମଧ୍ୟସ୍ଥ ପ୍ୟାନେଲ ପ୍ରସ୍ତୁତ କରିଥିବା ଯୋଜନା ଉଭୟ ଦେଶର ହିନ୍ଦୁ ଓ ମୁସଲମାନ ସମୂଦାୟଙ୍କ ଲାଗି ନିଶ୍ଚିତ ବିଜୟ ଭଳି ହେବ ବୋଲି କହିଛନ୍ତି। ଏଥିରେ ବି ପୁଣି ଏକ ନୂଆ କଥା ଜଣାପଡିଛି। ବିବାଦିତ ରାମ ଜନ୍ମଭୂମି ଜମିକୁ ସରକାରଙ୍କୁ ହସ୍ତାନ୍ତର ଲାଗି ସୁନ୍ନି ୱାକଫ ବୋର୍ଡତାର ପ୍ରସ୍ତୁତି ଆରମ୍ଭ କରିଛି। କେବଳ ଏତିକି ନୁହେଁ ଅନ୍ୟ ସ୍ଥାନରେ ମସଜିଦ୍ ନିର୍ମାଣ ଲାଗି ମଧ୍ୟ ରାଜି ହୋଇଯାଇଛି।

ତା ଛଡା ବାବରୀ ମସଜିଦ ପକ୍ଷଧର ଇକବାଲ ଅଂଶାରୀ ରାମ ଜନ୍ମଭୂମୀ-ବାବରୀ ମସଜିଦ ପ୍ରକରଣରେ ସୁପ୍ରିମକୋର୍ଟଙ୍କ ରାୟକୁ ସ୍ୱାଗତ କରିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି । ଏପରିକି ମାମଲାରେ କୋର୍ଟଙ୍କ ରାୟ ବିରୋଧରେ ଏବେ ଆଉ ସେ ଅପିଲ ବି ନ କରିବାକୁ ନିଷ୍ପତ୍ତି ନେଇଥିବା ଗଣମାଧ୍ୟମକୁ କହିଛନ୍ତି। ତେବେ ମାମଲାକୁ ଯୁକ୍ତିସଙ୍ଗତ ସ୍ଥିତିରେ ପହଞ୍ଚାଇବାରେ ତାଙ୍କ ଉଦ୍ୟମ ସଫଳ ହୋଇଥିବାରୁ ନିଜର ଖୁସି ବ୍ୟକ୍ତ କରିଛନ୍ତି।