ଆଜିର ଦିନରେ ଇଣ୍ଡିଜ ମାଟିରେ ବିରଳ ରେକର୍ଡ ହାସଲ କରିଥିଲେ ଗାଭାସ୍କର, ୪୯ ବର୍ଷ ହେଲା ରହିଛି ଅତୁଟ

Published By : Prameya-News7 Bureau | April 19, 2020 IST

ନୂଆଦିଲ୍ଲୀ, ୧୯|୦୪:  ଭାରତର ପୂର୍ବତନ ଖେଳାଳି ତଥା ଅଧିନାୟକ ସୁନିଲ ଗାଭାସ୍କର ଏପ୍ରିଲ ୧୯, ୧୯୭୧ରେ ଓ୍ୱେଷ୍ଟଇଣ଼୍ଡିଜ ମାଟିରେ ଏପରି ଏକ ରେକର୍ଡ ହାସଲ କରିଥିଲେ ଯାହା ୪୯ ବର୍ଷ ହେଲା ଅତୁଟ ରହିଛି । ସେ ପଦାର୍ପଣ ଟେଷ୍ଟ ସିରିଜରେ ସର୍ବାଧିକ ରନ କରି ରେକର୍ଡ କରିଥିଲେ । ଗାଭାସ୍କର ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ୪ଟି ମ୍ୟାଚ ଖେଳି ୭୭୪ ରନ କରିଥିଲେ । ସେ ଏହି ସିରିଜରେ ଇଣ୍ଡିଜର ଜଜ୍ ହେଡଲିଙ୍କ ୫୧ ବର୍ଷର ରେକର୍ଡ ଭାଙ୍ଗିଥିଲେ । ଏହି ରେକର୍ଡ ହେଡଲି ୧୯୩୦ ମସିହାରେ ଇଂଲଣ୍ଡ ବିପକ୍ଷରେ ୭୦୩ ରନ କରି ହାସଲ କରିଥିଲେ ।

ଘରୋଇ ମାଟିରେ ଭଲ ପ୍ରଦର୍ଶନ କରି ଓପନର ଭାବେ ଇଣ୍ଡିଜ ଗସ୍ତ କରିଥିବା ଗାଭାସ୍କର କିଙ୍ଗଷ୍ଟନରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳିପାରି ନଥିଲେ । କିନ୍ତୁ ସେ ପୋର୍ଟ ଅଫ୍ ସ୍ପେନରେ ଦ୍ୱିତୀୟ ଟେଷ୍ଟରେ ପଦାର୍ପଣ କରି ୬୫ ଓ ୬୭ ରନର ଇନିଂସ ଖେଳିଥିଲେ ।

{"id":256784,"width":753,"height":407,"sizeSlug":"large"}

ଏହି ସିରିଜରେ କେବଳ ଗୋଟିଏ ଇନିଂସ ବ୍ୟତୀତ ଅନ୍ୟ ସବୁ ଇନିଂସରେ ସେ ୫୦ରୁ ଅଧିକ ରନ ସ୍କୋର କରିଥିଲେ । ଏଥିରେ ୪ଟି ଶତକ ମଧ୍ୟ ରହିଛି । ପୋର୍ଟ ଅଫ୍ ସ୍ପେନରେ ଖେଳାଯାଇଥିବା ପଞ୍ଚମ ତଥା ଅନ୍ତିମ ଟେଷ୍ଟରେ ସେ ଏକାଧିକ ରେକର୍ଡ ପ୍ରତିଷ୍ଠା କରିଥିଲେ । ଏହି ଟେଷ୍ଟର ପ୍ରଥମ ପାଳିରେ ସେ ୧୨୪ ରନ କରିଥିଲେ । ଫଳରେ ଦଳର ସ୍କୋର ୩୬୦ ହୋଇଥିଲା । ଜବାବରେ ଇଣ୍ଡିଜ ୫୨୬ ରନ କରିଥିଲା । ସ୍ୱାଭାବିକ ଭାବେ ଭାରତ ଚାପରେ ରହିଥିଲା । କିନ୍ତୁ ଦ୍ୱିତୀୟ ଇନିଂସରେ ଗାଭାସ୍କର ୨୨୦ ରନ କରିଥିଲେ । ଏହି ମ୍ୟାଚ ଡ୍ର ହୋଇଥିଲା । ସେ ଉଭୟ ମ୍ୟାଚରେ ଶତକ ହାସଲ କରିଥିବା ପ୍ରଥମ ବ୍ୟାଟସମ୍ୟାନ ହୋଇଥିଲେ । ଏହା ସହ ବିଶ୍ୱର ଦ୍ୱିତୀୟ ବ୍ୟାଟସମ୍ୟାନ ଭାବେ ଏହି କିର୍ତ୍ତୀ ହାସଲ କରିଥିଲେ ।

ଏହି ସିରିଜରେ ସେ ପଦାର୍ପଣ କରି ମୋଟ ୭୭୪ ରନ କରିଥିଲେ । ଯାହା ଆଜିଯାଏଁ କେହି ଭାଙ୍ଗିପାରି ନାହାଁନ୍ତି । ଗତ ବର୍ଷ ଅଷ୍ଟ୍ରେଲିଆର ଷ୍ଟିଭ୍ ସ୍ପିଥ୍ ୭୭୪ କରି ଗାଭାସ୍କରଙ୍କ ସହ ବରାବର ହୋଇଥିଲେ । କିନ୍ତୁ ଏହା ତାଙ୍କର ପଦାର୍ପଣ ସିରିଜ ନଥିଲା । ଭିଭି ରିଚର୍ଡସ, ବ୍ରାଏନ ଲାରା ଆଦି ଟେଷ୍ଟ ସିରିଜରେ ଗାଭାସ୍କରଙ୍କଠାରୁ ଅଧିକ ରନ କରିଥିଲେ ମଧ୍ୟ ଏହା ସେମାନଙ୍କ ପଦାର୍ପଣ ସିରିଜ ନଥିଲା । ସୂଚନାଯୋଗ୍ୟ, ଗୋଟିଏ ସିରିଜରେ ସର୍ବାଧିକ ରନର ରେକର୍ଡ ଡନ୍ ବ୍ରାଡମ୍ୟାନଙ୍କ ନାମରେ ରହିଛି । ସେ ଇଂଲଣ୍ଡ ବିପକ୍ଷରେ ୧୯୩୦ରେ ୯୭୪ ରନ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.