ସୋଏବ ଅଖତାର କହିଥିଲେ ଲାହୋରରେ ବରଫପାତ କଥା, ମଜାଳିଆ ଜବାବ ଦେଲେ ଗାଭାସ୍କର
20/04/2020 at 5:36 PM

ନୂଆଦିଲ୍ଲୀ, ୨୦|୦୪: ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ସୋଏବ ଅଖତାର କରୋନା ଭାଇରସକୁ ନଜରରେ ରଖି ପାଣ୍ଠି ସଂଗ୍ରହ କରିବାକୁ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ ଖେଳାଯାଉ ବୋଲି ପ୍ରସ୍ତାବ ଦେଇଥିଲେ । ଏପରିକି ଉଭୟ ଦଳ ସମସ୍ତ ତିକ୍ତତାକୁ ଭୁଲି ସିରିଜ ଖେଳନ୍ତୁ ବୋଲି ସେ ପରାମର୍ଶ ଦେଇଥିଲେ ।

ଏହା ପରେ ପୂର୍ବତନ ପାକ୍ କ୍ରିକେଟର ରମିଜ ରାଜା ନିଜ ୟୁଟ୍ୟୁବ ଚ୍ୟାନେଲରେ ସୁନିଲ ଗାଭାସ୍କରଙ୍କୁ ଭାରତ ଓ ପାକିସ୍ତାନ ମଧ୍ୟରେ ସିରିଜ ବାବଦରେ ପ୍ରଶ୍ନ କରିଥିଲେ । ଯାହାର ଉତ୍ତରରେ ଗାଭାସ୍କର କହିଥିଲେ ଯେ, ଲାହୋରରେ ବରଫ ପଡିପାରେ କିନ୍ତୁ ଦ୍ୱିପାକ୍ଷିକ କ୍ରିକେଟ ସିରିଜ ନୁହେଁ । ଏହାପରେ ସୋଏବ ଏକ ଟ୍ୱିଟ କରି ଗାଭାସ୍କରଙ୍କୁ ଜବାବ ଦେଇଥିଲେ । ଲାହୋରରେ ବରଫ ପଡୁଥିବାର ଫଟୋ ସେ ପୋଷ୍ଟ କରିଥିଲେ । ଗତ ବର୍ଷ ଲାହୋରରେ ବରଫ ପଡିଥିଲା ତେଣୁ କିଛି ଅସମ୍ଭବ ନୁହେଁ ବୋଲି ସେ କହିଥିଲେ ।
ସୋଏବଙ୍କ ଏହି ଟ୍ୱିଟ ପରେ ଗାଭାସ୍କର ଏକ ମଜାଦାର ଜବାବ ଦେଇଛନ୍ତି । ସେ କହିଛନ୍ତି ଯେ, ତାଙ୍କୁ ଲାହୋରରେ ବରଫପାତ ବୟାନ ଉପରେ ସୋଏବଙ୍କ ଜବାବ ପସନ୍ଦ ଆସିଲା । ଜଣେ ଦ୍ରୁତ ବୋଲରଙ୍କ ଏହି ସାଧାରଣ ଜ୍ଞାନ ଦେଖି ମଜା ଆସିଗଲା ବୋଲି ଗାଭାସ୍କର କହିଥିଲେ ।