କେମିତି ଅଛି ସୁନ୍ଦରୀ ? ବନବିଭାଗକୁ ରିପୋର୍ଟ ମାଗିଲେ ମଧ୍ୟପ୍ରଦେଶ ହାଇକୋର୍ଟ, ଜବାବ ରଖିବେ ସାତକୋଶିଆ ଡିଏଫ୍‌ଓ

Published By : Prameya-News7 Bureau | November 23, 2020 IST

ଅନୁଗୁଳ ୨୩।୧୧: ୨ ବର୍ଷରୁ ଅଧିକ ଦିନ ହେବ ବନ୍ଦୀ ରହିଛି ବାଘୁଣୀ ‘ସୁନ୍ଦରୀ’ । ଅଢ଼େଇ ଏକର ପରିସୀମାର ଏନ୍‌କ୍ଲୋଜର୍‌ ମଧ୍ୟରେ ରହିଛି‘ସୁନ୍ଦରୀ’ । ଏନ୍‌କ୍ଲୋଜର୍‌ ମଧ୍ୟରେ ରହି ଜଙ୍ଗଲି ପ୍ରକୃତି ଭୁଲିବାକୁ ବସିଲାଣି ବାନ୍ଧବଗଡ଼ର ମହାବଳ ବାଘୁଣୀ । ଉଭୟ ‘ସୁନ୍ଦରୀ’ ଓ ଦେଶର ପ୍ରଥମ ଆନ୍ତଃରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତର ପ୍ରକଳ୍ପର ଭବିଷ୍ୟତ ଅନ୍ଧକାର ମଧ୍ୟକୁ ଠେଲି ହୋଇଯାଇଥିବା ବେଳେ ଏନ୍‌ଟିସିଏର ନିରବତା ପରିସ୍ଥିତିକୁ ଅଧିକ ଜଟିଳ କରିଛି ।

ସାତକୋଶିଆରେ ମହାବଳ ବଂଶବୃଦ୍ଧି ଯୋଜନାରେ ମଧ୍ୟପ୍ରଦେଶର ବାନ୍ଧବଗଡ଼ ଜାତୀୟ ବ୍ୟାଘ୍ର ପ୍ରକଳ୍ପରୁ ଆସିଥିଲା ‘ସୁନ୍ଦରୀ’ । ହେଲେ ସୁନ୍ଦରୀ ଏବେ ଏନ୍‌କ୍ଲୋଜର୍‌ରେ ବନ୍ଦୀ ଜୀବନ କାଟୁଛି କାହିଁକି? ଦୀର୍ଘ ଦିନ ଧରି ଖୁଆଡ଼ ମଧ୍ୟରେ ରହିଥିଲେ ବି ‘ସୁନ୍ଦରୀ’ ବାବଦରେ କାହିଁକି କୌଣସି ନିଷ୍ପତ୍ତି ନିଆଯାଇପାରୁନି? ‘ସୁନ୍ଦରୀ’ର ଏମିତି ଅବସ୍ଥା ସମ୍ପର୍କରେ ସେଠାକାର ରେଡ଼୍‌ ଲିଙ୍କସ କନଫେଡ଼େରେସନ୍‌ ନାମକ ଏକ ସଂସ୍ଥା ପକ୍ଷରୁ ମଧ୍ୟପ୍ରଦେଶ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଏର ହୋଇଛି । ମଧ୍ୟପ୍ରଦେଶ ହାଇକୋର୍ଟ୍‌ ମାମଲାର ଶୁଣାଣି କରି ଏ ସମ୍ପର୍କିତ ରିପୋର୍ଟ୍‌ ସହ ବାଘୁଣୀର ସାଂପ୍ରତିକ ସ୍ଥିତି ଜଣାଇବାକୁ ରାଜ୍ୟ ବନବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।

ଆସନ୍ତା ସପ୍ତାହରେ ସାତକୋଶିଆ ବନପ୍ରାଣୀ ବନଖଣ୍ଡ ଅଧିକାରୀ ରାମାସ୍ୱାମୀ ପି. ମଧ୍ୟପ୍ରଦେଶ ହାଇକୋର୍ଟ୍‌ରେ ପକ୍ଷ ରଖିବେ ବୋଲି ଜଣାପଡ଼ିଛି । ଏ ନେଇ ବନଖଣ୍ଡ ଅଧିକାରୀ ଶ୍ରୀ ରାମାସ୍ୱାମୀଙ୍କ ସହ ଯୋଗାଯୋଗ କରାଯିବାରୁ ସେ ଏହାକୁ ସ୍ୱୀକାର କରିଛନ୍ତି । ତାଙ୍କ ପାଖକୁ ନୋଟିସ୍‌ ଆସିଛି ଏବଂ ଆସନ୍ତା ସପ୍ତାହରେ ମଧ୍ୟପ୍ରଦେଶ ହାଇକୋର୍ଟ୍‌ରେ ହାଜର ହେବେ ବୋଲି ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ୨୦୧୮ ଜୁନ୍‌ ୨୮ ତାରିଖରେ ବାନ୍ଧବଗଡ଼ ଜାତୀୟ ବ୍ୟାଘ୍ର ଉଦ୍ୟାନରୁ ବାଘୁଣୀ ‘ସୁନ୍ଦରୀ’କୁ ସାତକୋଶିଆ ଅଣାଯାଇଥିଲା । ୫୦ ଦିନ ଏନ୍‌କ୍ଲୋଜର୍‌ରେ ରହିବା ପରେ ‘ସୁନ୍ଦରୀ’କୁ ସାତକୋଶିଆ ଘଞ୍ଚ ଜଙ୍ଗଲରେ ଛଡ଼ା ଯାଇଥିଲା। ତେବେ ଜନବସତି ଇଲାକାରେ ବାଘୁଣୀର କାର୍ଯ୍ୟକଳାପ ସମଗ୍ର ଅଭୟାରଣ୍ୟବାସୀଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଥଲା। ଦୁଇ ଦୁଇଟି ମଣିଷ ଶିକାର କରିବା ପରେ ଅଶାନ୍ତ ହୋଇପଡ଼ିଥିଲା ସାତକୋଶିଆ ଅଭୟାରଣ୍ୟ। ପରିସ୍ଥିତି ଅଧିକ ବିଗିଡ଼ିବା ଆଶଙ୍କାରେ ୨୦୧୮ ନଭେମ୍ବର ୬ ତାରିଖରେ ‘ସୁନ୍ଦରୀ’କୁ ଟ୍ରାଂକୁଲାଇଜ୍‌ କରିଥିଲା ବନବିଭାଗ। ସେଦିନଠୁ ରାଇଗୁଡ଼ାସ୍ଥିତ ଏନ୍‌କ୍ଲୋଜର୍‌ ହିଁ ବାଘୁଣୀର ଠିକଣା ପାଲଟିଛି । ରାଜ୍ୟ ଜଙ୍ଗଲ ବିଭାଗ, ଏନ୍‌ଟିସିଏ ଓ ମଧ୍ୟପ୍ରଦେଶ ମଧ୍ୟରେ ଚିଠି ଦିଆନିଆ ଭିତରେ ଉଭୟ ‘ସୁନ୍ଦରୀ’ ଓ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ଭବିଷ୍ୟତ ଝୁଲି ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.