ଦିନ ମଜୁରିଆଙ୍କ ସହାୟତା ଲାଗି ଗୁଗଲ CEO ସୁନ୍ଦର ପିଚାଇ ଦେଲେ ୫ କୋଟି ଟଙ୍କା
13/04/2020 at 5:52 PM

ନୂଆଦିଲ୍ଲୀ ୧୩।୪: ଗୁଗଲ ଓ ଆଲଫାବେଟ୍ ସିଇଓ ସୁନ୍ଦର ପିଚାଇ ଅନେକ ଦିନରୁ ଭାରତ ଛାଡିସାରିଲେଣି। ଏବେ ବିଶ୍ୱର ସବୁଠୁ ବଡ କମ୍ପାନୀମାନଙ୍କର ସେ କର୍ତ୍ତାଧର୍ତ୍ତା ହୋଇଥିବା ବେଳେ ଆମେରିକାର ନାଗରିକତା ମଧ୍ୟ ସ୍ୱୀକାର କରିଛନ୍ତି। ହେଲେ ଏବେବି ଭାରତ ଲାଗି ତାଙ୍କ ମନରେ ସେପରି ଭାବନା ରହିଛି ଯେପରି ଦେଶରେ ଥିବା ବେଳେ ଥିଲା। ନିକଟରେ ସୁନ୍ଦର ଗିଭ ଇଣ୍ଡିଆ ଫାଉଣ୍ଡେସନକୁ ଦେଇଥିବା ଅନୁଦାନରୁ ଏହା ପ୍ରମାଣିତ ହୋଇଛି।

କରୋନା ଲକଡାଉନରେ ଦେଶର ଅଗଣିତ ଦିନ ମଜୁରିଆଙ୍କ ପରିସ୍ଥିତିକୁ ମନେ ପକାଇଛନ୍ତି ପିଚାଇ। ସେମାନଙ୍କର ସହାୟତା ଲାଗି ଗିଭ ଇଣ୍ଡିଆ ଫାଉଣ୍ଡେସନକୁ ପିଚାଇ ୫ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଏ ନେଇ ଫାଉଣ୍ଡେସନ ପକ୍ଷରୁ ଏକ ଟ୍ୱିଟ୍ ବାର୍ତ୍ତାରେ ତାଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଥିବା ଦେଖାଯିବା ପରେ ଦେଶର ଖଟିଖିଆ ମୁଲିଆଙ୍କ ଲାଗି ପିଚାଇଙ୍କ ଦରଦ ସାମ୍ନାକୁ ଆସିଛି।
Thank you @sundarpichai for matching @Googleorg 's ₹5 crore grant to provide desperately needed cash assistance for vulnerable daily wage worker families. Please join our #COVID19 campaign: https://t.co/T9bDf1MXiv @atulsatija
— GiveIndia (@GiveIndia) April 13, 2020
ବର୍ତ୍ତମାନ ସମୟରେ ଦିନ ମଜୁରିଆଙ୍କ ପରିବାର ଲାଗି ନଗଦ ଆବଶ୍ୟକତା ଢେର ବେଶି। ଏଣୁ ପିଚାଇଙ୍କ ସହାୟତା ସେମାନଙ୍କ ନିକଟରେ ପହଞ୍ଚାଇବାକୁ ଗିଭ୍ ଇଣ୍ଡିଆ ସଂକଳ୍ପବଦ୍ଧ ବୋଲି ଏହି ଟ୍ୱିଟ୍ ହ୍ୟାଣ୍ଡେଲରେ ସୂଚିତ କରିଛନ୍ତି। ଦେଶର ଅବହେଳିତ ଓ ଶୋଷିତ ବର୍ଗଙ୍କ ଲାଗି ଏହି ସ୍ୱେଚ୍ଛାସେବୀ ସଂସ୍ଥା କାର୍ଯ୍ୟ କରିଥାଏ। ଏଥିରେ ପିଚାଇଙ୍କ ସହଯୋଗ ଅନେକଙ୍କସହାୟତା କରିପାରିବ ବୋଲି ଆଶା କରାଯାଉଛି।