ମାଘ ସରିନି ବସନ୍ତ ଆସିନି, ଏବେ ଠାରୁ ଅସମ୍ଭାଳ ତାତି, ରାଜଧାନୀରେ ପାରଦ ୪୦ ଡିଗ୍ରୀ ଉପରେ

Published By : Prameya-News7 Bureau | February 27, 2021 IST

ଭୁବନେଶ୍ୱର,୨୭/୦୨: ରାଜ୍ୟରେ ମୁଣ୍ଡଫଟା ଖରା । ତତଲା ତାଓ୍ୱାରେ ସେକି ହେଉଛି ସାରା ଓଡିଶା । ମାଘ ସରିନି । ବସନ୍ତ ଆସିନି । ଏବେ ଠାରୁ ଅସମ୍ଭାଳ ତାତି । ଟାଏଁ ଟାଏଁ ଖରା । ଦେହ ହାତ ସିଝିଯାଉଛି । ସକାଳ ୧୧ଟା ପରେ ପଦାକୁ ବାହାରିଲେ ଛାଇଁ ଝାଇଁ ହୋଇଯାଉଛି ମୁଣ୍ଡ । ଏବେ ଠାରୁ ଏମିତି କୋପ ଦେଖାଇଲାଣି ତାତି । ଭୁବନେଶ୍ୱରରେ ପାରଦ ୪୦ ଡିଗ୍ରୀ ଡେଇଁଥିବା ବେଳେ ମୋଟ ୧୪ଟି ସହରରେ ତାପମାତ୍ରା ୩୭ ଡିଗ୍ରୀ ସେଲସିୟସ୍‌ ଉପରେ ରହିଛି ।

କୃଷି ପାଣିପାଗ ବିଶେଷଜ୍ଞ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ ଅନୁମାନ କରିଛନ୍ତି, ମାର୍ଚ୍ଚ ପହିଲାରୁ ଭୁବନେଶ୍ୱରରେ ଗରମ ପ୍ରକୋପ ସାମାନ୍ୟ କମିବ । ହେଲେ ଆସନ୍ତା ୨୮ ତାରିଖରେ ଭୁବନେଶ୍ୱର ତାପମାତ୍ରା ୪୧ ଡିଗ୍ରୀ ଛୁଇଁପାରେ । ୩ ଦିନ ହେବ ଭୁବନେଶ୍ୱର ଯେମିତି ତତଲା ପିଣ୍ଡ ପାଲଟିଯାଇଛି । ଲଗାତାର ଭାବେ ଦେଶର ସବୁଠୁ ଉତ୍ତପ୍ତ ସହର ପାଲଟିଯାଇଛି । ଆଜି ଭୁବନେଶ୍ୱର ତାପମାତ୍ରା ୪୦.୪ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଛି, ଯାହାକି ସ୍ୱାଭାବିକଠାରୁ ୫ ଡିଗ୍ରୀ ଅଧିକ । ଏଥିରୁ ଅନୁମାନ କରାଯାଇପାରେ ଗରମ ପ୍ରକୋପ କେତେ ଭୀଷଣ ରହିଛି ।

ଗତ ୪ ବର୍ଷ ଭିତରେ କେବେ ବି ରାଜଧାନୀ ତାପମାତ୍ରା ଫେବ୍ରୁଆରୀ ମାସରେ ୪୦ ଡିଗ୍ରୀ ଛୁଇଁନଥିଲା । ପାଣିପାଗ ବିଭାଗ ତଥ୍ୟ କହୁଛି, ଗତ ୧୦ ବର୍ଷ ଭିତରେ ମାତ୍ର ଦୁଇଥର ଫେବ୍ରୁଆରୀରେ ୪୦ ଡେଇଁଛି ରାଜଧାନୀ । ୨୦୧୨ ଫେବ୍ରୁଆରୀ ୨୬ରେ ୪୦.୧ ଡିଗ୍ରୀ ଓ ୨୦୧୬ ଫେବ୍ରୁଆରୀ ୨୦ ତାରିଖରେ ଥିଲା ୪୦.୯ ଡିଗ୍ରୀ ସେଲସିୟସ୍‌ । ଫେବ୍ରୁଆରୀ ମାସରେ ଭୁବନେଶ୍ୱରର ସର୍ବକାଳୀନ ତାତି ରେକର୍ଡ ହୋଇଥିଲା ୧୯୬୩ରେ । ସେଇ ବର୍ଷ ଫେବ୍ରୁଆରୀ ୨୩ରେ ରାଜଧାନୀରେ ପାରଦ ୪୨.୭ ଡିଗ୍ରୀ ରେକର୍ଡ ହୋଇଥିଲା ।
ବର୍ତ୍ତମାନ ଆକାଶ ନିର୍ମଳ ଥିବାବେଳେ ଜଳୀୟବାଷ୍ପ ପରିମାଣ କମ୍‌ ଅଛି । ସେଥିପାଇଁ ଉତ୍ତାପ ବଢ଼ିଚାଲିଛି । ଡକ୍ଟର ପଶୁପାଳକଙ୍କ କହିବାନୁଯାୟୀ ମାର୍ଚ୍ଚ ୧ରେ ବାୟୁର ଦିଗ ବଦଳିବ । ଉତ୍ତର-ପଶ୍ଚିମା ପବନ ବଦଳରେ ବଙ୍ଗୋପସାଗର ପଟୁ ପବନ ବହିବ। ଉତ୍ତର ବଙ୍ଗୋପସାଗରରେ ଗୁରୁଚାପ ବଳୟ ହେତୁ ଖରା ଅଧିକ ରହିଲେ ମଧ୍ୟ ପ୍ରଖରତା କମ୍‌ ରହିବ। ବାୟୁର ଆର୍ଦ୍ରତା ଅଧିକା ରହିବା ଯୋଗୁ ପାରଦ ୨ ଡିଗ୍ରୀ କମିପାରେ। ସାରା ଉପକୂଳରେ ୫ ତାରିଖ ଯାଏଁ ଏଭଳି ପାଗ ରହିବ । ୬ରୁ ପୁଣି ତାପମାତ୍ରା ବଢ଼ିବ।

ଅପରପକ୍ଷରେ ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶାରେ ୨୮ ତାରିଖ ସୁଦ୍ଧା ତାତି ଆଉ ୧ ଡିଗ୍ରୀ ବଢ଼ିବ। ପରବର୍ତ୍ତୀ ୪ ଦିନ ପର୍ଯ୍ୟନ୍ତ ବିଶେଷ ବଢ଼ିନପାରେ। ମାର୍ଚ୍ଚ ୫ ସୁଦ୍ଧା ଆଉ ୨ ଡିଗ୍ରୀ ବଢ଼ିପାରେ। ଆଭ୍ୟନ୍ତରୀଣ ଉତ୍ତର ଓଡ଼ିଶାରେ ସର୍ବାଧିକ ତାପମାତ୍ରା କ୍ରମଶଃ ବଢ଼ିବ। ୫ କିମ୍ବା ୬ ତାରିଖବେଳକୁ ୩ରୁ ୪ ଡିଗ୍ରୀ ବଢ଼ିପାରେ। ମାର୍ଚ୍ଚ ୨ ସୁଦ୍ଧା ଅନୁଗୁଳ, ମାଲକାନଗିରି ସର୍ବାଧିକ ତାଳଚେର, ବଲାଙ୍ଗିର, ଟିଟିଲାଗଡ଼, ମାଲକାନଗିରିରେ ପାରଦ ୪୦ ଡିଗ୍ରୀ ଉପରେ ରହିପାରେ । ମାର୍ଚ୍ଚ ୬ ତାରିଖ ରାଜ୍ୟରେ ସବୁଠୁ ଉତ୍ତପ୍ତ ଦିନ ପାଲଟିପାରେ

ଆଭ୍ୟନ୍ତରୀଣରେ ପାରଦ ୪୧ ଉପରେ ରହିବା ସହ ଭୁବନେଶ୍ୱରରେ ୪୦-୪୧ ଡିଗ୍ରୀ ରହିବା ସମ୍ଭାବନାଅଛି।
ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ ଆକଳନ ହେଲା, ଆସନ୍ତା ମାର୍ଚ୍ଚ ୩/୪ ତାରିଖ ପର୍ଯ୍ୟନ୍ତ ଗରମ ବିଶେଷ କମିବନି । ଏହାପରେ ଅପରାହ୍ନରୁ ସାମୁଦ୍ରିକ ପବନ ବହିବା ସମ୍ଭାବନା ଅଛି । ଏମିତି ହେଲେ ଅପରାହ୍ନରେ ତାତି କମିପାରେ । ଚଳିତବର୍ଷ ଏପ୍ରିଲ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ କେତେକ ସ୍ଥାନରେ ତାପମାତ୍ରା ୪୦ରୁ ୪୨ ଡିଗ୍ରୀ ଭିତରେ ରହିବ । ଏପ୍ରିଲ ଦ୍ୱିତୀୟ ସପ୍ତାହରୁ ପାରଦ ଆହୁରି ବଢ଼ିବ । ଚଳିତବର୍ଷ କାଳବୈଶାଖୀ ସମ୍ଭାବନା ମଧ୍ୟ ଅଧିକ ରହିଛି ବୋଲି ସେ ଆକଳନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.