ଇସଲାମାବାଦ ୩୦/୧: ମୁସଲିମ ରାଷ୍ଟ୍ର ପାକିସ୍ତାନରେ ପ୍ରଥମ ଥର ପାଇଁ ଜଣେ ହିନ୍ଦୁ ମହିଳା ବିଚାରପତି ବାବେ ନିଯୁକ୍ତ ହୋଇଛନ୍ତି । ଦେଓ୍ବାନୀ ବିଚାରପତି ନିଯୁକ୍ତ ହୋଇଥିବା ପ୍ରଥମ ହିନ୍ଦୁ ମହିଳା ହେଉଛନ୍ତି ସୁମନ କୁମାରୀ । କମ୍ବର-ଶାହଦକୋଟ ବାସିନ୍ଦା ସୁମନ ନିଜ ପୈତୃକ ଜିଲ୍ଲାରେ ବିଚାରପତି ଭାବେ ଦାୟିତ୍ବ ତୁଲାଇବେ। ସେ ହାଇଦ୍ରାବାଦରୁ ଏଲଏଲବି ଏବଂ କରାଚୀର ସୟଦ ଜୁଲଫିକର ଅଲୀ ଭୁଟ୍ଟୋ ବିଜ୍ଞାନ ଏବଂ ପ୍ରାଦ୍ୟୋଗିକ ସଂସ୍ଥାନରୁ ଆଇନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି।
ସୁମନଙ୍କ ବାପା ପବନ କୁମାର ବୋଦାନଙ୍କ କହିବା ଅନୁସାରେ ସୁମନ କମ୍ବର ଶାହଦକୋଟ ଜିଲ୍ଲାରେ ଗରିବଙ୍କୁ ମୁକ୍ତ ଆଇନ ସହାୟତା ପ୍ରଦାନ କରିବାକୁ ଚାହାନ୍ତି। ପବନ କହିଛନ୍ତି ଯେ,‘‘ ସୁମନ ଏକ ସ୍ପର୍ଶକାତର ପେଶା ନିଜ ପାଇଁ ବାଛିଛନ୍ତି ,କିନ୍ତୁ ମୋର ବିଶ୍ବାସ ରହିଛି ଯେ ସେ କଠିନ ପରିଶ୍ରମ ଏବଂ ସଚ୍ଚୋଟତା ବଳରେ ସଫଳତା ହାସଲ କରିବେ।’’ସୁମନଙ୍କ ବାପା ଜଣେ ଚକ୍ଷୁ ରୋଗ ବିଶେଷଜ୍ଞ ଏବଂ ତାଙ୍କ ବଡ଼ଭାଇ ସଫ୍ଟଓ୍ବେୟାର ଇଞ୍ଜିନିୟର। ସୁମନଙ୍କ ଭଉଣୀ ଚାଟାର୍ଡ଼ ଆକାଉଣ୍ଟାଣ୍ଟ।
ଗାୟିକା ଲତା ମଙ୍ଗେସକର ଏବଂ ଗାୟକ ଆତିଫ ଅସଲମଙ୍କ ଜଣେ ବଡ଼ ପ୍ରଶଂସକ ହେଉଛନ୍ତି ସୁମନ । ପାକିସ୍ତାନରେ କୈାଣସି ହିନ୍ଦୁଙ୍କୁ ବିଚାରପତି ନିଯୁକ୍ତ କରାଯିବା କ୍ଷେତ୍ରରେ ଏହା ପ୍ରଥମ ଘଟଣା ନୁହେଁ। ଜଷ୍ଟିସ୍ ରାଣା ଭଗବାନଦାସ ପ୍ରଥମେ ହିନ୍ଦୁ ବିଚାରପତି ଥିଲେ । ସେ ୨୦୦୫ରୁ ୨୦୦୭ମଧ୍ୟରେ ଅଳ୍ପ ଦିନ ପାଇଁ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଦାୟିତ୍ବ ତୁଲାଇଥିଲେ। ପାକିସ୍ତାନରେ ୨ପ୍ରତିଶତ ହିନ୍ଦୁ ରହିଛନ୍ତି ଏବଂ ଇସଲାମକୁ ବାଦ୍ ଦେଲେ ହିନ୍ଦୁ ଧର୍ମ ସବୁଠୁ ବଡ଼ ଧର୍ମଭାବେ ଗଣାଯାଏ।