ପୂଜା ବଜାରରେ ରିଲିଜ୍ ହେଲା ସୁମା ରିୟଲ୍ ମିଡିଆର ଦ୍ୱିତୀୟ ଅବଦାନ “ମନ ମୋ ନେଇ ଗଲୁରେ”, ଦର୍ଶକଙ୍କ ମଧ୍ୟରେ ଉତ୍ସାହ

Published By : Prameya-News7 Bureau | October 16, 2021 IST

ଭୁବନେଶ୍ୱର, ୧୬/୧୦: ଦଶହରାରେ ଓଡ଼ିଆ ସିନେପ୍ରେମୀଙ୍କୁ ଭେଟି ଦେବା ଉଦ୍ଦେଶ୍ୟରେ ମୁକ୍ତିଲାଭ କରିଛି ସୁମା ରିୟଲ୍ ମିଡିଆର ଦ୍ୱିତୀୟ ଅବଦାନ ଓଡ଼ିଆ ଚଳଚ୍ଚିତ୍ର “ମନ ମୋ ନେଇ ଗଲୁରେ” । ପ୍ରଫେସର (ଡଃ) ମନୋଜ ରଞ୍ଜନ ନାୟକଙ୍କ ନିବେଦିତ ଏହି ଚଳଚ୍ଚିତ୍ରଟି ରାଜ୍ୟର ବିଭିନ୍ନ ହଲ୍‌ରେ ଗୁରୁବାର ମୁକ୍ତିଲାଭ କରିଛି । କଟକ ବୃନ୍ଦାବନ ହଲ୍‌ରେ ଫିଲ୍ମର ନିର୍ମାତା ଓ ନିର୍ଦ୍ଦେଶକଙ୍କ ସହିତ ସମସ୍ତ କଳାକାରଙ୍କ ଉପସ୍ଥିତରେ ଫିଲ୍ମର ପ୍ରିମିୟର ଶୋ କରାଯାଇଥିଲା।

ଚଳଚ୍ଚିତ୍ରରେ ଅନେକ ସାମାଜିକ ବାର୍ତ୍ତା ରହିଛି । ତା’ସହିତ କଲେଜ ଜୀବନରେ ପିଲାମାନେ କିପରି ଚାକଚକ୍ୟ ଭିତରେ ନିଜ ଭବିଷ୍ୟତ ସହ ଖେଳନ୍ତି ତାହା ଚିତ୍ରଣ କରାଯାଇଛି । ଜଣେ ଗରିବ ଘରର ପିଲା ସହରର ଇଞ୍ଜିନିୟରିଂ କଲେଜରେ ପାଠପଢ଼ା ଭିତରେ କିଭଳି ପ୍ରେମରେ ପଡି ବାଟବଣା ହୋଇଯାଉଛି ଏବଂ ସେହି ପ୍ରେମ ହିଁ ତା’ଜୀବନକୁ ନୂଆ ବାଟରେ କଢ଼େଇ ନେଉଛି ତାହା ଏଥିରେ ଚିତ୍ରଣ ହୋଇଛି । ଏଭଳି ଏକ ନୂତନ କାହାଣୀକୁ ନେଇ ରିଲିଜ୍ ହୋଇଛି ଏହି ଚଳଚ୍ଚିତ୍ର । ଫିଲ୍ମର ମୁଖ୍ୟ ଭୂମିକାରେ ଅଭିନେତା ଜ୍ୟୋତି ଓ ଅଭିନେତ୍ରୀ ଭୂମିକା ରହିଛନ୍ତି । ଉଭୟଙ୍କ ରୋମାଂଟିକ୍ ଯୋଡି ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଛି ।

{"id":528221,"sizeSlug":"large","linkDestination":"none"}

ଅନ୍ୟ ଭୂମିକାରେ କୁନା ତ୍ରିପାଠୀ, ପୁଷ୍ପା ପଣ୍ଡା, ପ୍ରଦ୍ୟୁମ୍ନ ଲେଙ୍କା, ବିରାଜ ଦାସ, ଗୁଡୁ, ଦିଲ୍ଲୀପ ଦାସ, ବିଜୁ ବଡ଼ଜେନା, ପିନାକୀ ନାୟକ ଏବଂ ଧରିତ୍ରୀଙ୍କ ଭଳି କଳାକାର ଅଭିନୟ କରିଛନ୍ତି । ସଂଳାପ, ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦେଇଛନ୍ତି ସଞ୍ଜୟ ନାୟକ । ସିନେମାର ପ୍ରଯୋଜନା କରିଛନ୍ତି ସୁନୀଲ୍ ଦାସ । ଫିଲ୍ମର କାହାଣୀ ଦିଲ୍ଲୀପ କୁମାର ଦାସ ଲେଖିଥିବା ବେଳେ ସମ୍ପାଦନ କରିଛନ୍ତି ରଞ୍ଜନ କୁମାର ଖଟେଇ । ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ବୈଦ୍ୟନାଥ ଦାସ ଏବଂ ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ଲୁବୁନ୍-ଟୁବୁନ୍ । ସେହିପରି ଗୀତଗୁଡ଼ିକୁ ଅରୁଣ ମନ୍ତ୍ରୀ, ତପୁ ନାୟକ, ପ୍ରମୋଦ ପରିଡା ଏବଂ ସଞ୍ଜୟ ନାୟକ ରଚନା କରିଥିବାବେଳେ କଣ୍ଠ ଦାନ କରିଛନ୍ତି ହ୍ୟୁମାନ୍ ସାଗର, ଗୌରବ, କୁଳଦୀପ, ଅସିମା ପଣ୍ଡା, ଅନ୍ତରା, ଜ୍ୟୋର୍ତିମୟୀ ଓ ପ୍ରଜ୍ଞା । ଚିତ୍ର ଉତୋଳନ କରିଛନ୍ତି ଏସ୍. ରଞ୍ଜନ୍ (ଚେନ୍ନାଇ) ।

କରୋନା ଯୋଗୁଁ ସିନେମା ହଲ୍ଗୁଡ଼ିକ ବନ୍ଦ ଥିବା କାରଣରୁ ଫିଲ୍ମ ଦେଖିବା ସମ୍ଭବ ହେଉ ନଥିଲା । ତେଣୁ ପୂଜା ବଜାରରେ ସିନେମା ରିଲିଜ୍ ହେବା ସମୟରେ ହଲ୍ ସମ୍ମୁଖରେ ଦର୍ଶକଙ୍କ ଭିଡ ବେଶ ଦେଖିବାକୁ ମିଳିଥିଲା । ତେଣୁ ଦଶହରାରେ ଏହି ଚଳଚ୍ଚିତ୍ର ବ୍ୟବସାୟିକ ସଫଳତା ହାସଲ କରିବ ବୋଲି ଆଶା କରାଯାଉଛି । ଆଗକୁ ମଧ୍ୟ ସୁମା ରିୟଲ୍ ମିଡିଆ ଆହୁରି ଅନେକ ଭିନ୍ନ ଧରଣର ଚଳଚ୍ଚିତ୍ର ନିର୍ମାଣ କରିବାର ଯୋଜନା ରଖିଥିବା ପ୍ରଯୋଜକ ସୁନୀଲ୍ ଦାସ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.