ସମ୍‌ ନର୍ସିଂ କଲେଜ ପକ୍ଷରୁ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

Published By : Prameya-News7 Bureau | April 08, 2021 IST

ଭୁବନେଶ୍ୱର, ୮/୦୪: ଏପ୍ରିଲ୍‌ ୭ ତାରିଖ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଉପଲକ୍ଷେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସମ୍‌ ନର୍ସିଂ କଲେଜର କମ୍ୟୁନିଟି ହେଲ୍‌ଥ ନର୍ସିଂ ବିଭାଗ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଅରିଶୋଲ୍‌ ଗ୍ରାମରେ ଏକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।

“ଏକ ସୁନ୍ଦର ଏବଂ ସୁସ୍ଥ ବିଶ୍ୱ ଗଠନ” ପ୍ରସଙ୍ଗକୁ ଆଧାର କରି କମ୍ୟୁନିଟି ହେଲ୍‌ଥ ବିଭାଗର ଫାକଲ୍ଟି ଏବଂ ଏମ୍‌.ଏ.ସି ନର୍ସିଂର ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଏହି ସ୍ୱାସ୍ଥ୍ୟ ମେଳା ଆୟୋଜନ କରାଯାଇଥିଲା । ଏହି ସ୍ୱାସ୍ଥ୍ୟ ମେଳାରେ ୫ଟି ଷ୍ଟଲ୍‌ର ଆୟୋଜନ କରାଯାଇଥିଲା । ସବୁ ବୟସର ଲୋକମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ସଚେତନତା ସମ୍ପର୍କିତ ସୂଚନା ଦିଆଯାଇଥିଲା । ରକ୍ତଚାପ, ମଧୁମେହ ଏବଂ ଓଜନ ଇତ୍ୟାଦି ପରୀକ୍ଷା କରାଯାଇଥିଲା । ସଂକ୍ରମଣ ସମ୍ବନ୍ଧୀୟ ସୂଚନା ଓ ସେବା, ମା ଏବଂ ଶିଶୁର ସ୍ୱାସ୍ଥ୍ୟ ସମ୍ପର୍କିତ ସୂଚନା, ସୁଷମ ଖାଦ୍ୟ ଓ ତା’ର ଉପକାରିତା ସମ୍ପର୍କରେ ବିସ୍ତୃତ ସୂଚନା ଦିଆଯାଇଥିଲା ।

ସ୍ୱାସ୍ଥ୍ୟ ପରୀକ୍ଷା ପରେ ବିଭିନ୍ନ ଔଷଧ ଏବଂ ଝିଅମାନଙ୍କୁ ସାନିଟାରୀ ପ୍ୟାଡ୍‌ ବଣ୍ଟନ କରାଯାଇଥିଲା । ଯେଉଁ ଲୋକମାନଙ୍କର କିଛି ଅଧିକ ସ୍ୱାସ୍ଥ୍ୟ

ସମସ୍ୟା ଦେଖାଯାଇଥିଲା ସେମାନଙ୍କୁ ରୁରାଲ୍‌ ହେଲ୍‌ଥ ଟ୍ରେନିଂ ସେଣ୍ଟର (ଆର୍‌ଏଚ୍‌ଟିସି)କୁ ପଠାଯାଇଥିଲା । ତିନୋଟି ଗ୍ରାମର ବହୁ ସଂଖ୍ୟକ ଲୋକ ଏହି ସ୍ୱାସ୍ଥ୍ୟ ମେଳାରେ ଯୋଗ ଦେଇ ଉପକୃତ ହୋଇଥିଲେ ଏବଂ ବିଭିନ୍ନ ସ୍ୱାସ୍ଥ୍ୟ ସମ୍ପର୍କିତ କ୍ରୀଡାରେ ମଧ୍ୟ ଭାଗ ନେଇଥିଲେ । ୧୦୦ ରୁ ଊଦ୍ଧ୍ୱ ବିଭିନ୍ନ ବୟସର ଗ୍ରାମବାସୀ, ଏମ୍‌ବିବିଏସ୍‌ ଇନ୍‌ଟର୍ଣ୍ଣ ଛାତ୍ରଛାତ୍ରୀ, ବିଏସ୍‌ସି ନର୍ସିଂ ଇନ୍‌ଟର୍ଣ୍ଣ ଛାତ୍ରଛାତ୍ରୀ ଏହି ସ୍ୱାସ୍ଥ୍ୟ ମେଳାରେ ଯୋଗ ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.