Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଅନୁଗୁଳରେ ଖୋଲିବ କୋଭିଡ୍‌-୧୯ ହସ୍ପିଟାଲ୍: ସେଣ୍ଟ୍ରାଲ୍‌ ହସ୍ପିଟାଲ ପରିଦର୍ଶନ କଲେ ସମ୍‌ ମେଡିକାଲ୍‌ ଟିମ

28/03/2020 at 10:42 AM

ତାଳଚେର ୨୮।୦୩: କରୋନା ମୁକାବିଲା ପାଇଁ ଓଡ଼ିଶା ତିଆରି କରିବ ୧୦୦୦ ବେଡ଼୍‌ର ହସ୍‌ପିଟାଲ୍‌ । ଏଥିପାଇଁ ସରକାର ସମ୍‌ ଓ କିମ୍ସ ସହ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି । କରୋନା ଚିକିତ୍ସା ପାଇଁ ସମ୍‌ ହସ୍ପିଟାଲ ପକ୍ଷରୁ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌-୨ କନଭେନସନ୍‌ ସେଣ୍ଟରରେ ୫୦୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର ହସ୍ପିଟାଲ ଖୋଲିବ । ଏହି ୫୦୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର ହସ୍ପିଟାଲ ସହିତ ସମ୍‌ ପକ୍ଷରୁ ଉଭୟ ଅନୁଗୁଳ ଓ କେନ୍ଦ୍ରାପଡ଼ାରେ ପ୍ରାଥମିକ ପର୍ଯ୍ୟାୟରେ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ-୧୯ ହସ୍ପିଟାଲ କାର୍ଯ୍ୟକ୍ଷମ ହେବାକୁ ଯାଉଛି ।

ଅନୁଗୁଳ ଜିଲ୍ଲାର ତାଳଚେର ଡେରା ସ୍ଥିତ ସେଣ୍ଟ୍ରାଲ୍‌ ହସ୍ପିଟାଲ କ୍ୟାମ୍ପସ୍‌ରେ ଏହି ସ୍ୱତନ୍ତ୍ର କୋଭିଡ୍‌-୧୯ ହସ୍‌ପିଟାଲ୍‌ ଖୋଲିବ । ଏଠାରେ କେବଳ କରୋନା ଆକ୍ରାନ୍ତଙ୍କ ଚିକିତ୍ସା କରାଯିବ । ସନ୍ଦିଗ୍ଧଙ୍କୁ ଆଇସୋଲେସନ୍‌ରେ ରଖାଯିବ । ଏ ନେଇ ସମ୍‌ ହସ୍ପିଟାଲ ପକ୍ଷରୁ ଏଠାରେ ସ୍ୱତନ୍ତ୍ର ଡାକ୍ତରୀ ଟିମ ଶୁକ୍ରବାର ସେଣ୍ଟ୍ରାଲ୍‌ ହସ୍ପିଟାଲ ପରିଦର୍ଶନ କରିଛନ୍ତି । ସମ୍‌ର ଡେପୁଟି ମେଡିକାଲ୍‌ ସୁପରିେଣ୍ଟେଣ୍ଡେଣ୍ଟ୍‌ ଡାକ୍ତର ରାଜେଶ ଲେଙ୍କା, ରେଡିଓଲୋଜି ବିଭାଗର ମୁଖ୍ୟ ଡାକ୍ତର ସତ୍ୟ ମହାପାତ୍ରଙ୍କ ସମେତ ‘ପ୍ରମେୟ’ ଭୁବନେଶ୍ୱର ବ୍ୟୁରୋ ଚିଫ୍‌ ଦେବେନ୍ଦ୍ର ସୁଆରଙ୍କୁ ନେଇ ଗଠିତ ତିନି ଜଣିଆ ଟିମ୍‌ ସେଣ୍ଟ୍ରାଲ୍‌ ହସ୍ପିଟାଲର ସ୍ଥିତି ଅନୁଧ୍ୟାନ କରିଥିଲେ । ଏହି ପରିଦର୍ଶନ ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ପ୍ରତାପ ବେହେରା, ଏଡିଏମ୍‌ଓ(ଜନସ୍ୱାସ୍ଥ୍ୟ) ଡାକ୍ତର ଦିଲ୍ଲୀପ ପଟ୍ଟନାୟକ, ସେଣ୍ଟ୍ରାଲ୍‌ ହସ୍ପିଟାଲର ଚିଫ୍‌ ମେଡିକାଲ୍‌

ସୁପରିଣ୍ଟେଣ୍ଡେଣ୍ଟ ଡାକ୍ତର ବିଜୟ କୁମାର ସାମଲ ଓ ସେଣ୍ଟ୍ରାଲ୍‌ ହସ୍‌ପିଟାଲ୍‌ର ଡାକ୍ତର ଓ କର୍ମଚାରୀ ଉପସ୍ଥିତ ଥିଲେ । ପରେ ସମ୍‌ର ଏହି ସ୍ୱତନ୍ତ୍ର ଟିମ୍‌ ସନ୍ଧ୍ୟାରେ ସର୍କିଟ ହାଉସ୍‌ରେ କୋଭିଡ୍‌-୧୯ ହସ୍‌ପିଟାଲ୍‌ ନେଇ ଜିଲ୍ଲାପାଳ ମନୋଜ କୁମାର ମହାନ୍ତିଙ୍କ ସହ ସବିଶେଷ ଆଲୋଚନା କରିଥିଲେ । କୋଭିଡ୍‌-୧୯ ହସ୍‌ପିଟାଲ୍‌ ପାଇଁ ଅନ୍ୟ କେଉଁ ସବୁ ଭିତ୍ତିଭୂମିର ଆବଶ୍ୟକତା ରହିଛି ସେ ସମ୍ପର୍କରେ ଏମ୍‌ସିଏଲ୍‌, ସ୍ୱାସ୍ଥ୍ୟ ବିଭାଗ ସହ ଆଲୋଚନା କରି ହସ୍‌ପିଟାଲ୍‌ କାର୍ଯ୍ୟକ୍ଷମ କରାଯିବ ବୋଲି କୁହାଯାଇଥିଲା । ଏହି ଆଲୋଚନା ବେଳେ ଅନ୍ୟମାନଙ୍କ ମଧ୍ୟରେ ନୂତନ ଭାବେ ଯୋଗ ଦେଇଥିବା ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ସନ୍ତୋଷ କୁମାର ପ୍ରଧାନ, ଅନୁଗୁଳ ଉପଜିଲ୍ଲାପାଳ ବାସୁଦେବ ଶତପଥୀ, ସିଡିଏମ୍‌ଓ ଡାକ୍ତର ବେହେରା, ଏଡିଏମ୍‌ଓ ଡା. ପଟ୍ଟନାୟକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ (ପ୍ରଶାସନ) ରଜନୀକାନ୍ତ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

   Related Posts