Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ସମ୍ ସହଯୋଗରେ ପୁରୀରେ ଖୋଲିବ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ, ୧୯ରୁ ଆରମ୍ଭ ହେବ ଚିକିତ୍ସା

18/05/2021 at 7:43 AM

ପୁରୀ, ୧୮/୦୫ : ସମ୍‌ ହସ୍ପିଟାଲ ସହଯୋଗରେ ପୁରୀର ଶ୍ରୀଜଗନ୍ନାଥ ମେଡିକାଲ କଲେଜ ହଷ୍ଟେଲରେ ସ୍ୱତନ୍ତ୍ର କୋଭିଡ୍‌ ଡାକ୍ତରଖାନା ନିର୍ମାଣ ଚାଲିଛି । ଆସନ୍ତା ୧୯ ତାରିଖରେ ଏହି ହସ୍ପିଟାଲରେ ଚିକିତ୍ସା ଆରମ୍ଭ କରାଯିବ । ପିପିପି ମୋଡରେ ସମ୍‌ ହସ୍ପିଟାଲ ଏବଂ ପୁରୀ ଜିଲ୍ଲା ପ୍ରଶାସନ ଏହି ଡାକ୍ତରଖାନା ନିର୍ମାଣ ଦାୟିତ୍ୱ ନେଇଛନ୍ତି ।

ଏହି ସ୍ୱତନ୍ତ୍ର ଡାକ୍ତରଖାନାରେ ରୋଗୀଙ୍କ ପାଇଁ ୧୫୦ଟି ବେଡ୍‌ ରହିବ । ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଲେ ଡାକ୍ତରଖାନାରେ ୨୦ଟି ଭେଣ୍ଟିଲେଟର, ୪୦ଟି ଏଚ୍‌ଡିୟୁ ଆଉ ୯୦ଟି ଅକ୍ସିଜେନ୍‌ ସଂଯୁକ୍ତ ବେଡ୍‌ ରୋଗୀ ସେବାରେ ରହିବ । ଏହାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା । ପୁରୀ ଜିଲ୍ଲାରେ ଏହି ସ୍ୱତନ୍ତ୍ର କୋଭିଡ୍‌ ଡାକ୍ତରଖାନା ଖୋଲିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମତି ଦେଇଛନ୍ତି । ଏଥିପାଇଁ ଶ୍ରୀ ଦାସବର୍ମା ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ସମର୍ଥ ବର୍ମା, ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାଶ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ସୁଜାତା ମିଶ୍ର ଯୋଗ ଦେଇଥିଲେ । ବୈଠକରେ ଗ୍ରାମାଞ୍ଚଳରେ ସଂକ୍ରମଣକୁ ରୋକିବା ନିମନ୍ତେ ବିହିତ ପଦକ୍ଷେପ ସହ ପ୍ରତ୍ୟେକ ବ୍ଲକ୍‌କୁ ଆଉ ଗୋଟିଏ ଲେଖାଏଁ ଆମ୍ବୁଲାନ୍ସ ଯୋଗାଇବାକୁ ଶ୍ରୀ ଦାସବର୍ମା ପରାମର୍ଶ ଦେଇଛନ୍ତି । ଜିଲ୍ଲାରେ ମହାମାରୀକୁ ମୁକାବିଲା କରୁଥିବା ବେଳେ କୋଭିଡ୍‌ ମାର୍ଗଦର୍ଶିକା ପାଳନପୂର୍ବକ ଯୋଗ୍ୟ ହିତାଧିକାରୀଙ୍କୁ ରାସନ ସାମଗ୍ରୀ ବଣ୍ଟନକୁ ଗୁରୁତ୍ୱ ଦିଆଯାଇଥିଲା । କୋଭିଡ୍‌ ପରିଚାଳନାକୁ ଠିକ୍‌ ମାର୍ଗରେ ପରିଚାଳନା କରିବାକୁ ଯୋଜନା ବୋର୍ଡ ଉପାଧ୍ୟକ୍ଷ ପରାମର୍ଶ ଦେଇଥିଲେ । ବୈଠକରୁ ସୂଚନା ମିଳିଛି ବର୍ତ୍ତମାନ ସୁଦ୍ଧା ଜିଲ୍ଲାର ୧୧ଟି ବ୍ଳକରେ କୋଭିଡ୍‌ ସ୍ୱାସ୍ଥ୍ୟକେନ୍ଦ୍ର ଓ କୋଭିଡ୍‌ କେୟାର ସେଣ୍ଟର ପରିଚାଳନା ସମ୍ପର୍କରେ ବିଚାରବିମର୍ଶ ହୋଇଥିଲା ।

ଆଜି ସୁଦ୍ଧା ୧୧୪୭ଟି ବେଡ୍‌ରେ କୋଭିଡ୍‌ ରୋଗୀ ସେବା ପାଉଛନ୍ତି । ଜିଲ୍ଲାରେ ଦୈନିକ ହାରାହାରି ୪୦୦ ରୋଗୀଙ୍କ ଚିକିତ୍ସା ଜାରି ରହିଛି । ଗତ ଏପ୍ରିଲ ପହିଲାରୁ ବର୍ତ୍ତମାନ ସୁଦ୍ଧା ୫୬ ହଜାର ୭୧୩ ଜଣଙ୍କ ଟେଷ୍ଟ କରାଯାଇଛି । ଆଣ୍ଟିଜେନ ଓ ଆର୍‌ଟିପିସିଆର ମାଧ୍ୟମରେ ହୋଇଥିବା ଟେଷ୍ଟ ଆଜି ସୁଦ୍ଧା ୧୦ ହଜର ୫୯୪ରେ ପହଞ୍ଚିଛି । ଉଭୟ ଉପାୟରେ ପରୀକ୍ଷା ପାଇଁ ଜିଲ୍ଲାରେ ସ୍ୱତନ୍ତ୍ର ଲ୍ୟାବ୍‌ କାର୍ଯ୍ୟକ୍ଷମ ଥିବା ବେଳେ ଜରୁରି ପରିସ୍ଥିତିରେ ଭୁବନେଶ୍ୱରରେ ମଧ୍ୟ ଏହି ପରୀକ୍ଷା ପାଇଁ ବେସରକାରୀ ସଂସ୍ଥା ସହ ସହବନ୍ଧନ ହୋଇଛି । ଟେଷ୍ଟିଂକୁ ସମୟ ସୀମା ମଧ୍ୟରେ ଶେଷ କରିବାକୁ ବୈଠକରେ ପରାମର୍ଶ ଦିଆଯାଇଛି । ଜିଲ୍ଲାର ଟେଷ୍ଟିଂ ଯନ୍ତ୍ରପାତି ନଷ୍ଟ ବା ବିଫଳ ନହେବ ସେଥିପ୍ରତି ସିଡିଏମ୍‌ଓ ନଜର ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଜିଲ୍ଲାର ଟିକାକରଣ ଅଭିଯାନର ପ୍ରଥମ ପର୍ଯ୍ୟାୟରେ ୪୫ ବର୍ଷରୁ ଅଧିକ ବୟସର ଏକ ଲକ୍ଷ ୯୪ ହଜାର ୬୨୧ ଜଣଙ୍କୁ ଟିକା ଦିଆଯାଇଛି । ସେହିଭଳି ଦ୍ୱିତୀୟ ଦଫାରେ ୩୨ ହଜାର ୪୧୦ ଜଣଙ୍କୁ ଟିକା ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ୧୦ ହଜାର ୬୬୬ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଡୋଜ୍‌ ଟିକା ଦିଆଯାଇଥିବା ବେଳେ ୭ ହଜାର ୫୫୪ ଜଣଙ୍କୁ ଦ୍ୱିତୀୟ ଡୋଜ୍‌ ଦିଆଯାଇଛି । ସମ୍ମୁଖ ଯୋଦ୍ଧା ଭାବେ ଘୋଷିତ ବର୍ଗଙ୍କ ମଧ୍ୟରେ ୮୬୮୫ ଜଣ ପ୍ରଥମ ଡୋଜ ଟିକା ନେଇଛନ୍ତି । ଏମାନଙ୍କ ମଧ୍ୟରୁ ୬୦୩୩ ଜଣଙ୍କୁ ଦ୍ୱିତୀୟ ଡୋଜ୍‌ ଦିଆଯାଇଛି । ରାଜ୍ୟ ସରକାରଙ୍କ ନିଷ୍ପତ୍ତି ମୁତାବକ ଶ୍ରୀମନ୍ଦିର ସେବାୟତ ଓ ୧୮ ବର୍ଷରୁ ଅଧିକ ବୟସ୍କ ସେବାୟତ ପରିବାର ଲୋକଙ୍କୁ ଟିକାକରଣ ନିମନ୍ତେ ପଦକ୍ଷେପ ନିଆଯାଇଥିବା ସମ୍ପର୍କରେ ଜିଲ୍ଲାପାଳ ବୈଠକରେ ସୂଚନା ଦେଇଥିଲେ।

   Related Posts