୭ମାସର ଶିଶୁର ଶ୍ବାସନଳୀରେ ଅଟକିଥିବା ବାଦାମକୁ କାଢ଼ିବାରେ ସଫଳ ହେଲେ ସମ୍ ଡାକ୍ତର
26/09/2018 at 5:57 PM

ଭୁବନେଶ୍ବର ୨୬/୦୯: ଉନ୍ନତମାନର ଚିକିତ୍ସାପଦ୍ଧତି ପ୍ରୟୋଗ କରି ଗୋଟିଏ ୭ମାସର ଶିଶୁର ଜୀବନ ରକ୍ଷା କରିପାରିଛନ୍ତି ସୋଆ (ଡ୍ରିମଡ୍ ଟୁ ବି ୟୁନିଭର୍ସିଟି)ଅଧୀନସ୍ଥ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ୍ ଏଣ୍ଡ ସମ୍ ହସ୍ପିଟାଲର ଡାକ୍ତର। ଶିଶୁର ଶ୍ବାସନଳୀରେ ଅଟକିଥିବା ବାଦାମକୁ କାଢ଼ିବାରେ ସଫଳ ହୋଇଛନ୍ତି ସମର ଡାକ୍ତର।
ବୈାଦ୍ଧ ଅଞ୍ଚଳର ୭ମାସର ଶିଶୁ ଆୟୁଷ ରାଉତ ବାଦାମଟି ଗିଳିଦେବା ଫଳରେ ଏହା ତା’ର ଶ୍ବାସନଳୀରେ ଅଟକିଯାଇଥିଲା। ଫଳରେ ସେ ନିଃଶ୍ବାସ ନେବାରେ କଷ୍ଟ ଅନୁଭବ କରିଥିଲା ବୋଲି ସମ୍ ହସ୍ପିଟାଲର କର୍ଣ୍ଣ,ନାସା ଓ ଗଳା ବିଭାଗର ମୁଖ୍ୟ ଡକ୍ଟର ସନ୍ତୋଷ କୁମାର ସ୍ବାଇଁ ସୂଚନା ଦେଇଛନ୍ତି।
ବ୍ରୋଙ୍କୋସ୍କୋପି(ଏକ ନନ୍-ଇନଭାସିଭ୍ ଜୀବନ ରକ୍ଷକ ପ୍ରକ୍ରିୟା)ପ୍ରୟୋଗ କରି ଆୟୂଷର ଶ୍ବାସନଳୀରୁ ବାଦାମଟି କାଢ଼ିବାରେ ସଫଳ ବୋଲି ଡାକ୍ତର ସ୍ବାଇଁ ଓ ତାଙ୍କ ଦଳ ବର୍ତ୍ତମାନ ଶିଶୁଟି ଧୀରେ ଧୀରେ ସୁସ୍ଥ ହେଉଥିବା କଥା କହିଛନ୍ତି। ଏହି ଚିକିତ୍ସା ପ୍ରାୟ ୧ଘଣ୍ଟା ଧରି ଚାଲିଥିଲା।
ଶିଶୁର ଶ୍ବାସନଳୀରେ ବାଦାମ ଅଟକିଯିବାପରେ ଶିଶୁଟିକୁ ଧରି ତା’ର ପରିବାର ବର୍ଗ ପ୍ରଥମେ ବୈାଦ୍ଧ ହସ୍ପିଟାଲ ଏବଂ ପରବର୍ତ୍ତୀ ସମୟରେ ଅନେକ ବଡ଼ ବଡ଼ ହସ୍ପିଟାଲର ମଧ୍ୟ ଦ୍ବାରସ୍ଥ ହୋଇଥିଲେ। ତେବେ କେଉଁଠାରେ ମଧ୍ୟ ଶିଶୁର ଚିକିତ୍ସା କରାଯାଇପାରିନଥିଲା। ଡାକ୍ତର ସ୍ବାଇଁ,ଡାକ୍ତର ଏସ୍. ପାଣି ଏବଂ ଆନାସ୍ତେସିଷ୍ଟ ଡାକ୍ତର ରୋହନ ନାୟକ ମିଳିତ ଭାବେ ଏହି ଚିକିତ୍ସା କରିଥିଲେ।