ସେବା ପ୍ରଦାନରେ ଅନନ୍ୟ ଉଦାହରଣ ସୃଷ୍ଟି କରିଛି ସମ୍ କୋଭିଡ୍ ହସ୍ପିଟାଲ, ଆକ୍ରାନ୍ତଙ୍କ ମନୋବଳ ବଢାଇବାକୁ ସ୍ୱତନ୍ତ୍ର କାଉନସେଲିଂ

Published By : Prameya-News7 Bureau | May 24, 2021 IST

କେନ୍ଦ୍ରାପଡ଼ା, ୨୪/୦୫: କରୋନାକୁ ପ୍ରତିହତ କରିବା କ୍ଷେତ୍ରରେ କୋଭିଡ୍‌ ହସ୍ପିଟାଲଗୁଡ଼ିକ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି । ଏଭଳି କ୍ଷେତ୍ରରେ ଅନ୍ୟମାନଙ୍କଠାରୁ ଦୁଇପାଦ ଆଗରେ ରହିଛି କେନ୍ଦ୍ରାପଡ଼ା ସହର ଉପକଣ୍ଠ ଡେରାବିଶ ବ୍ଲକ୍‌ ଛତାଠାରେ ଥିବା ସମ୍‌ କୋଭିଡ୍‌ ହସ୍ପିଟାଲ । କରୋନା ଆକ୍ରାନ୍ତଙ୍କୁ ସେବା ପ୍ରଦାନରେ ହସପିଟାଲ୍‌ ଅନନ୍ୟ ଉଦାହରଣ ପାଲଟିଛି । ଆକ୍ରାନ୍ତମାନେ ଯେମିତି ମାନସିକ ସ୍ତରରେ ସୁସ୍ଥ ସବଳ ରହିବେ ସେଥିଲାଗି ହସପିଟାଲ ପକ୍ଷରୁ ସ୍ୱତନ୍ତ୍ର ଧ୍ୟାନ ଦିଆଯାଉଛି ।

 ମାନସିକ ଭାବେ ଭାଙ୍ଗି ପଡୁଥିବା କରୋନା ଆକ୍ରାନ୍ତଙ୍କ ପାଇଁ ମାନସିକ ଚିକିତ୍ସାର ଆବଶ୍ୟକତା ରହିଛି । ଏହାକୁ ଅନୁଭବ କରି କେନ୍ଦ୍ରାପଡ଼ା ଛତାସ୍ଥିତ ସମ୍‌ କୋଭିଡ୍‌ ହସ୍ପିଟାଲରେ ଆକ୍ରାନ୍ତଙ୍କ ପାଇଁ କାଉନ୍‌ସେଲିଂର ବ୍ୟବସ୍ଥା କରାଯାଇଛି । କେବଳ ସେତିକି ନୁହେଁ ସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ଖାଦ୍ୟ, ପାନୀୟ ଓ ଔଷଧର ଉପଯୁକ୍ତ ବ୍ୟବସ୍ଥା ଯୋଗୁ ରୋଗୀ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି । ସେହିଭଳି ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ହସ୍ପିଟାଲ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ସହଯୋଗରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସାରା ଦେଶରେ ସୁନାମ ଅର୍ଜନ କରିଥିବା ଭୁବନେଶ୍ୱରର ସମ୍‌ ହସ୍ପିଟାଲ କର୍ତ୍ତୃପକ୍ଷ କେନ୍ଦ୍ରାପଡ଼ାର ଛତାଠାରେ କୋଭିଡ୍‌ ହସ୍ପିଟାଲ ପ୍ରତିଷ୍ଠା କରିଛନ୍ତି । ଏଠାରେ ରୋଗୀ ସେବାରେ ନିୟୋଜିତ ଅଛନ୍ତି ଅଭିଜ୍ଞ ଡାକ୍ତର, ଆବଶ୍ୟକୀୟ ମେଡିକାଲ କର୍ମଚାରୀ, ପାରାମେଡିକାଲ ଷ୍ଟାଫ୍‌, ଷ୍ଟାଫ ନର୍ସ, ସାନିଟେସନ କର୍ମଚାରୀ ଓ ସୁରକ୍ଷା କର୍ମୀ । ୧୨୫ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲରେ ୧୫ଟି ଆଇସିୟୁ, ୭ଟି ଭେଣ୍ଟିଲେଟର, ୧୦ଟି ହାଇଲି ଡିପେଣ୍ଡେନ୍ସି ୟୁନିଟ୍‌ ଓ ପର୍ଯ୍ୟାପ୍ତ ଅକ୍ସିଜେନ ରହିଛି । କରୋନାର ଦ୍ୱିତୀୟ ପ୍ରବାହରେ ରୋଗୀ ଭୟଭୀତ ହୋଇ ପଡ଼ୁଥିବା ବେଳେ ଏଥିପାଇଁ ହସ୍ପିଟାଲ ତରଫରୁ ସ୍ୱତନ୍ତ୍ର ଆୟୋଜନ କରାଯାଇଛି । ଔଷଧ ଓ ସେବାଯତ୍ନ ସହ ମାନସିକ ଭାବେ ଦୁର୍ବଳ ହୋଇ ପଡୁଥିବା କରୋନା ଆକ୍ରାନ୍ତଙ୍କ ପାଇଁ ହସ୍ପିଟାଲରେ ରୋଗୀମାନଙ୍କୁ କାଉନ୍‌ସେଲିଂ କରାଯାଉଛି । ଫଳରେ ରୋଗୀ ରୋଗ ସହିତ ଲଢ଼େଇ କରିବାକୁ ମାନସିକ ଭାବେ ଶକ୍ତି, ସାମର୍ଥ୍ୟ ଜୁଟେଇ ପାରୁଛନ୍ତି । 

ଏଣେ ସମ୍ଭାବ୍ୟ ବାତ୍ୟା ‘ୟାସ୍‌’ ମୁକାବିଲା ଲାଗି ହସ୍ପିଟାଲ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ନିରବଚ୍ଛିନ୍ନ ବିଦ୍ୟୁତ ସେବା, ପାନୀୟ ଜଳ ଏବଂ ଉପଲବ୍ଧ ସମସ୍ତ ସେବା ଯୋଗାଇ ଦେବା ପାଇଁ ସ୍ୱତନ୍ତ୍ର ଭାବେ ବ୍ୟବସ୍ଥା କରାଯାଇଛି । ସେହିପରି ଆବଶ୍ୟକ ସ୍ଥଳେ ଯେକୌଣସି ପରିସ୍ଥିତିରେ ମୁକାବିଲା ପାଇଁ ଅଗ୍ନିଶମ ବିଭାଗ ଟିମ୍‌ ମେଡିକାଲ ପରିସରରେ କ୍ୟାମ୍ପ୍‌ କରି ରହିଛନ୍ତି । ପ୍ରକାଶଥାଉ କି ୨୦୨୦ ମସିହା ଏପ୍ରିଲ ୮ ତାରିଖରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବ ସମ୍‌ ପକ୍ଷରୁ ନିର୍ମାଣ କରାଯାଇଥିବା ଏହି ହସ୍ପିଟାଲ ପରିଦର୍ଶନ କରିବା ସହିତ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଥିଲେ । ଯେକୌଣସି ପରିସ୍ଥିତି ଉପୁଜିଲେ ବି ରୋଗୀ ସେବାକୁ ପ୍ରାଧାନ୍ୟ ଦିଆଯିବ ବୋଲି ହସ୍ପିଟାଲ ପରିଚାଳକ ଶଶିଭୂଷଣ ଗିରି ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.