ମୁହାଁମୁହିଁ ହେଲେ ଇରାନ ଓ ଆମେରିକା, ବିମାନ ବନ୍ଦରକୁ ୩ଟି ରକେଟ୍ ମାଡ଼ କଲା ଆମେରିକା
3/01/2020 at 8:35 PM

ଇରାନ୩/୧: ଉପସାଗରୀୟରେ ଅଞ୍ଚଳରେ ପୁଣି ଘନେଇଲା ଯୁଦ୍ଧର କଳା ବାଦଲ । ମୁହାଁମୁହିଁ ହୋଇଛନ୍ତି ଇରାନ ଓ ଆମେରିକା । ଆମେରିକାର ରକେଟ ମାଡ଼ରେ ଇରାନର ପାୱାରଫୁଲ କୁଦ୍ସ ଫୋର୍ସ କମାଣ୍ଡର କାସିମ ସୁଲେଇମାନି ନିହତ ହୋଇଛନ୍ତି ।ପଡ଼ୋଶୀ ଇରାକର ରାଜଧାନୀ ବାଗଦାଦ ବିମାନ ବନ୍ଦର ନିକଟରେ ହିଁ ରକେଟ ମାଡ଼ କରି ସୁଲେଇମାନିଙ୍କୁ ହତ୍ୟା କରିଛି ଆମେରିକା ।ଆକ୍ରମଣରେ ବିମାନବନ୍ଦରରେ ଆଠ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

ଉପସାଗରୀୟ ଅଞ୍ଚଳରେ ପୁଣି ଯୁଦ୍ଧର ଘନଘଟା ।ଆମେରିକାର ଆକ୍ରମଣରେ ଇରାନର ଶକ୍ତିଶାଳୀ କୁଦ୍ସ ଫୋର୍ସର କମାଣ୍ଡର କାସିମ ସୁଲେଇମାନି ନିହତ । କାସିମ ସୁଲେଇମାନୀଙ୍କ ମୃତ୍ୟୁର କଡ଼ା ପ୍ରତିଶୋଧ ଇରାନ ନେବ ବୋଲି କହିସାରିଲେଣି ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇ । ଆକ୍ରମଣରେ ସୁଲେଇମାନିଙ୍କର ସହଯୋଗୀ ଅବୁ ମହଡି ଅଲ ମୁହାଣ୍ଡିସ ପ୍ରାଣ ହରାଇଛି ।ଯିଏକି ଇରାକରେ କାସିମର ନିର୍ଦ୍ଦେଶରେ ଆତଙ୍କବାଦ ଚଳାଉଥିଲା । ଆକ୍ରମଣ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟ୍ବିଟ୍ କରି ସୂଚନା ଦେଇଛନ୍ତି । ବିମାନବନ୍ଦର ଉପରକୁ ଏକକାଳୀନ ୩ଟି ରକେଟ ମାଡ଼ ହୋଇଥିଲା । ଏହାସହ ବିମାନବନ୍ଦର ନିକଟରେ ୨ କାରକୁ ମଧ୍ୟ ବିସ୍ଫୋରଣ କରି ଉଡ଼ାଇ ଦିଆଯାଇଛି।

କିଛିଦିନ ତଳେ ଇରାକସ୍ଥିତ ଆମେରିକୀୟ ଦୂତାବାସରେ ଶହଶହ ଲୋକ ଆକ୍ରମଣ କରିଥିଲେ । ଯାହା ପଛରେ ଇରାନର କୁଦ୍ସ ଫୋର୍ସ କମାଣ୍ଡର କାସିମ ସୁଲେଇମାନିଙ୍କ ହାତ ଥିଲା ଆମେରିକା ସୂଚନା ପାଇଥିଲା । ଏହାର ଜବାବରେ ଟ୍ରମ୍ପ ସରକାର ଏଭଳି ପଦକ୍ଷେପ ନେଇଛନ୍ତି । ଆଜି ଲିବିୟା କିମ୍ବା ସିରିଆରୁ ଏକ ବିମାନରେ ଆସି କାସିମ ସୁଲେଇମାନି ବାଗଦାଦରେ ପହଞ୍ଚିଥିଲେ । ତାଙ୍କୁ ସ୍ବାଗତ କରିବା ଲାଗି ଅବୁ ମହଡି ଅଲ ମୁହାଣ୍ଡିସ ସମେତ ଅନ୍ୟମାନେ ବି ପହଞ୍ଚିଥିଲେ। ବିମାନ ବନ୍ଦର ବାହାରେ କାର୍କେଡ୍କୁ ଟାର୍ଗେଟ କରି ଆମେରିକା କ୍ଷେପଣାସ୍ତ୍ର ମାଡ଼ କରିଥିଲା । କାସିମ ଆମେରିକୀୟ ମାନଙ୍କୁ ହତ୍ୟା କରିବା ଲାଗି ପ୍ଲାନ କରିଥିବାରୁ ତାକୁ ହତ୍ୟା କରିବା ଜରୁରୀ ଥିଲା ବୋଲି ପେଣ୍ଟାଗନ ଦର୍ଶାଇଛି। ତେବେ ଏହି ଘଟଣା ଉପସାଗରୀୟ ଅଞ୍ଚଳରେ ଯୁଦ୍ଧର ଆଶଙ୍କାକୁ ପୁଣି ବଢ଼ାଇ ଦେଇଛି ।

କାସିମଙ୍କ ମୃତ୍ୟୁକୁ ନେଇ ଇରାକର ବିଭିନ୍ନ ସ୍ଥାନରେ ସେଲିବ୍ରେସନ ଆରମ୍ଭ ହୋଇଛି । ଇରାକରେ ଗଣହତ୍ୟା ପାଇଁ କାସିମ ସୁଲେଇମାନଙ୍କ ହାତ ଥିବା ବିଶ୍ବାସ କରୁଥିବା ଲୋକମାନେ ରାସ୍ତାକୁ ଓହ୍ଲାଇ ଉତ୍ସବ ମନାଇଛନ୍ତି ।ସେପଟେ ଇରାନ କିନ୍ତୁ ଆମେରିକାକୁ ଚେତାବନୀ ଦେଇଛି । ଇରାନ ଏହାର କଡ଼ା ଜବାବ ଦେବ ବୋଲି କହିଛନ୍ତି ଇରାନ ରାଷ୍ଟ୍ରପତି ଆୟାତୋଲା ଅଲି ଖାମେନେଇ ।ଏଥିସହିତ ତେହେରାନରେ ଅବସ୍ଥାପିତ ଅମେରିକାର କୂଟନୈତିକ ପ୍ରତିନିଧିଙ୍କୁ ଡକାଇ ଏହି ଘଟଣାକୁ ନେଇ ତାର ପ୍ରତିବାଦ ଜଣାଇଛି । ଅନ୍ୟପକ୍ଷରେ ଆମେରିକାର ଏହି ଏୟାର ଷ୍ଟ୍ରାଇକ୍ର ପ୍ରଭାବ ଅନ୍ତର୍ଜାତୀୟ ତୈଳ ବଜାର ଉପରେ ପଡିଛି । ଆଶୋଧିତ ତୈଳ ବ୍ୟାରେଲ ପିଛା ଦାମ୍ ୧.୩୧ ପ୍ରତିଶତ ଅର୍ଥାତ୍ ୬୭.୧୨ ଡଲାର ବୃଦ୍ଧି ପାଇଛି ।ପ୍ରଭାବରେ ଭାରତରେ ମଧ୍ୟ ତୈଳ ଦର ବଢ଼ିପାରେ ।

ଆମେରିକା ଓ ଇରାନ ମଧ୍ୟରେ ଏହି ଉତ୍ତେଜନାମୂଳକ ସ୍ଥିତି ଭାରତ ପାଇଁ ଚିନ୍ତାଜନକ ।ଉଭୟ ଦେଶ ସହିତ ଭାରତର ବେଶ୍ ଭଲ ସଂପର୍କ ରହିଛି ।ଉପସାଗରୀୟ ଅଞ୍ଚଳରେ ପ୍ରାୟ ୮୦ ଲକ୍ଷ ଭାରତୀୟ ରହୁଛନ୍ତି ।