୨୦୧୮ ଜୁଲାଇରୁ ବିସ୍ଥାପିତଙ୍କ ଆନ୍ଦୋଳନ ପାଇଁ ଠପ ହୋଇଯାଇଛି ସୁକତେଲ ପ୍ରକଳ୍ପ କାମ :ପ୍ରକଳ୍ପ କାମ ପାଖାପାଖି ବର୍ଷେ ହେବ ବନ୍ଦ

Published By : Prameya-News7 Bureau | June 23, 2019 IST

ବଲାଙ୍ଗିର୨୩/୬: କେବେ ସରିବ ବଲାଙ୍ଗିରର ଲାଇଫ ଲାଇନ୍ କୁହାଯାଉଥିବା ଲୋୟର ସୁକତେଲ ପ୍ରକଳ୍ପ କାମ ? କିଛି ଦିନର ନୀରବତା ପରେ ପୁଣି ଲୋୟର ସୁକତେଲ କ୍ରିୟାନୁଷ୍ଠାନ କମିଟି, ପ୍ରଶାସନ, ବୁଦ୍ଧିଜୀବୀ, ବିସ୍ଥାପିତଙ୍କୁ ନେଇ ବୈଠକ ହୋଇଛି । ବୈଠକ ପରେ ପ୍ରକଳ୍ପ କାମ ଆରମ୍ଭ ହେବା ନେଇ ଆଶା ସଂଚାର ହୋଇଛି । ତେବେ ୨୦୧୩ ଆଇନ ଅନୁଯାୟୀ କ୍ଷତିପୂରଣ ପାଇଲେ ହିଁ ଭିଟାମାଟି ଛାଡ଼ିବେ ବୋଲି କହିଛନ୍ତି ଆନ୍ଦୋଳନକାରୀ ।

ବଲାଙ୍ଗିର ଲୋୟର ସୁକତେଲ ପ୍ରକଳ୍ପକୁ ନେଇ ବିବାଦ ଥମିବାର ନାଁ ନେଉନି । ଆନ୍ଦୋଳନ ହେଉଛି । ବୈଠକ ବସୁଛି । ପ୍ରତିଶ୍ରୁତି ମିଳୁଛି । ହେଲେ ପ୍ରକଳ୍ପ ସରିବାର ନାଁ ନେଉନି । ଡ୍ୟାମ କାମ ୭୫ ପ୍ରତିଶତ ସରିଛି । ସ୍ପିଲ ଓ୍ବେ କାମ ବି ୫୦ ଭାଗ ଶେଷ । ତେବେ ଗତ ୨୦୧୮ ଜୁଲାଇରୁ ବିସ୍ଥାପିତଙ୍କ ଆନ୍ଦୋଳନ ପାଇଁ ଠପ ହୋଇଯାଇଛି ପ୍ରକଳ୍ପ କାମ । ସେପଟେ ଏହାକୁ ନେଇ ପ୍ରଶାସନ ଓ ବିସ୍ଥାପିତଙ୍କ ମଧ୍ୟରେ ବସୁଛି ଘନ ଘନ ବୈଠକ । ହେଲେ ନାଁ କାମ ଆଗଉଛି ନା ବିସ୍ଥାପିତଙ୍କ ସମସ୍ୟାର ସମାଧାନ ହେଉଛି । ୨୦୧୩ ଆଇନ ଅନୁଯାୟୀ କ୍ଷତିପୁରଣ ଦେବା ପରେ ଭିଟା ମାଟି ଛାଡିବେ ବୋଲି ଜିଦ୍ ଧରି ବସିଛନ୍ତି ଆନ୍ଦୋଳନକାରୀ ।

ପ୍ରକଳ୍ପ କାମ ପାଖାପାଖି ବର୍ଷେ ହେବ ବନ୍ଦ । ସେପଟେ ବିଭିନ୍ନ ସମୟରେ ବିସ୍ଥାପିତ ଓ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ହେଉଛି ଆଲୋଚନା । କାମ ତ୍ବରାନ୍ବତ କରିବା ସହ ବିସ୍ଥାପିତଙ୍କ ଉଚିତ କ୍ଷତିପୁରଣ ଏବଂ ଥଇଥାନ ନେଇ ଲୋୟର ସୁକତେଲ କ୍ରିଆନୁଷ୍ଠାନ କମିଟି ପକ୍ଷରୁ ଅନୁଷ୍ଠିତ ହୋଇଛି ବୈଠକ। ଗତ ୭ରେ ଏ କମିଟି ବୁଡି ଅଞ୍ଚଳ ୩ ଟି ଗାଁ ଲୋକଙ୍କ ସହ ଆଲୋଚନା କରିଥିଲା । ପ୍ରଶାସନ, ବୁଦ୍ଧିଜୀବୀ ଓ ବିସ୍ଥାପିତଙ୍କୁ ନେଇ ମଧ୍ୟ ଆଲୋଚନା କରିଛି କମିଟି । ଆଗାମୀ ଦିନରେ ସେପଟେ କ୍ରିଆନୂଷ୍ଠାନ କମିଟି ବିଭିନ୍ନ ଗାଁକୁ ଯାଇ ଆଲୋଚନା ବି କରିବ । ଜିଲ୍ଲାପାଳ ମଧ୍ୟ ପ୍ରକଳ୍ପ କାମ ପାଇଁ ବାଟ ଫିଟିବ ବୋଲି ଆଶାବାଦୀ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.