ବଡ ଧରଣର ନକ୍ସଲ ଆକ୍ରମଣ, ୭ ଯବାନ ସହିଦ୍, ୧୦ ଆହତ

Published By : Prameya-News7 Bureau | March 21, 2020 IST

ସୁକମା/ଜଗଦଲପୁର ୨୧।୦୩: ଛତିଶଗଡର ସୁକମାରେ ଶନିବାର ସୁରକ୍ଷାବଳ ଓ ନକ୍ସଲ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏହି ଗୁଳି ବିନିମୟରେ ସାତ ଯବାନ ସହିଦ୍ ହୋଇଥିବା ବେଳେ ୧୦ ଆହତ ହୋଇଛନ୍ତି। ଏହି ଘଟଣାରେ ପାଞ୍ଚରୁ ଛଅ ନକ୍ସଲ ନିହତ ହୋଇଥିବା ଖବର ଆସିଛି। କୁହାଯାଉଛି ଯେ, ଏହି ଏନକାଉଣ୍ଟରରେ ଅନେକ ନକ୍ସଲ ଆହତ ହୋଇଛନ୍ତି। ଯବାନ ମରିଥିବା ନକ୍ସଲଙ୍କ ମଧ୍ୟରୁ ଜଣଙ୍କର ଶବ ଜବତ କରିଛନ୍ତି। ଅନ୍ୟପଟେ ଆହତ ଯବାନଙ୍କୁ ଏୟାରଲିଫ୍ଟ କରି ରାୟପୁର ଆଣିବାକୁ ପ୍ରସ୍ତୁତ ଚାଲିଛି। ଏଥିରେ ଅନେକଙ୍କ ଅବସ୍ଥା ଗୁରୁତର ରହିଛି।

ଛତିଶଗଡ ଡିଜିପି ପକ୍ଷରୁ ଜାରି ସୂଚନା ଅନୁଯାୟୀ, ଏହି ଗୁଳି ବିନିମୟରେ ପାଞ୍ଚ ନକ୍ସଲ ନିହତ ହୋଇଛନ୍ତି। ଏତେ ସଂଖ୍ୟାରେ ନକ୍ସଲ ଆହତ ମଧ୍ୟ ହୋଇଥିବା ଅନୁମାନ କରାଯାଉଛି। ଏଥିରେ ଡିଆରଜିର କିଛି ଯବାନ ଆହତ ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଜଙ୍ଗଲରୁ ଯବାନଙ୍କ ଫେରିବା ପରେ ଯାଇ ଅଧିକ ସୂଚନା ମିଳି ପାରିବ।

ପୋଲିସକୁ କସାଲପାଡ ଇଲାକାରେ ବଡ ସଂଖ୍ୟାରେ ନକ୍ସଲ ଜମା ହୋଇଥିବା ସୂଚନା ମିଳିଥିଲା। ଏହା ପରେ ଡିଆରଜି ଓ ଏସଟିଏଫର ଟିମ୍ ଶୁକ୍ରବାର ଦୋରନାପାଲ ଗସ୍ତ କରିଥିଲେ। ଏହି ଟିମ୍ ବୁରକାପାଲ ପହଞ୍ଚିଥିଲେ ଏବଂ ଏଠାରୁ କୋବରାର ଯବାନଙ୍କ ଏକ ଦଳ ଡିଆରଜି ଓ ଏସଟିଏଫ ସହ ମିଶି ନକ୍ସଲଙ୍କ ଏନକାଉଣ୍ଟର ପାଇଁ ବାହାରିଥିଲେ। କୁହାଯାଉଛି ଯେ, ଯବାନ ନକ୍ସଲଙ୍କୁ ଆଶ୍ଚର୍ଯ୍ୟଜନକ ଭାବେ ଅଚାନକ ଏନକାଉଣ୍ଟର କରିବାକୁ ଚାହୁଁଥିଲେ, ମାତ୍ର ଯବାନଙ୍କ ଜଙ୍ଗଲରେ ପଶିବା ଖବର ନକ୍ସଲଙ୍କୁ ପୂର୍ବରୁ ମିଳି ଯାଇଥିଲା।

ନକ୍ସଲ ରଣନୀତି ଆଧାରରେ ଯବାନଙ୍କୁ ଜଙ୍ଗଲ ଭିତରକୁ ଆସିବାକୁ ଦେଇଥିଲେ। ଯବାନ କସାଲପାଡ ଆଗ ପର୍ଯ୍ୟନ୍ତ ଯାଇଥିଲେ ଏବଂ ଯେବେ ନକ୍ସଲଙ୍କ ଗତିବିଧି ଦେଖିବାକୁ ନପାଇବାରୁ ଫେରିବାକୁ ଆରମ୍ଭ କରିଥିଲେ। ଯେମିତି ସୁରକ୍ଷାବଳ କସାଲପାଡରୁ ବାହାରିଲେ, ନକ୍ସଲ ଲଗାଇଥିବା ଆମ୍ବୁସରେ ଫସି ଯାଇଥିଲେ। କସାଲପାଡର କିଛି ଦୂର କୋରାଜ ଡୋଙ୍ଗରୀ ପାଖରେ ନକ୍ସଲ ପାହାଡ ଉପରୁ ଯବାନଙ୍କ ଉପରେ ହମଲା କରିଥିଲେ। ଅଚାନକ ଗୁଳିମାଡରେ କିଛି ଯବାନ ଆହତ ହୋଇଥିଲେ ଏବଂ କିଛି ସହିଦ ହୋଇଥିଲେ। ଏହା ପରେ ଉଭୟ ପକ୍ଷରୁ ରହି ରହି ଗୁଳି ବିନିମୟ ଜାରି ରହିଥିଲା। ଏହି ସମୟରେ ଆହତ ଏବଂ ସହିଦ ଯବାନଙ୍କୁ ଘଟଣାସ୍ଥଳରୁ ନେବାକୁ ଉଦ୍ୟମ ସମୟରେ କିଛି ଯବାନଙ୍କୁ ଗୁଳି ବାଜିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.