ଟ୍ରକ ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟଣା, କ୍ଷତିପୂରଣ ଦାବିରେ ସୁକିନ୍ଦା-ତାଳଚେର ରାସ୍ତା ଅବରୋଧ କଲେ ଲୋକେ

Published By : Prameya-News7 Bureau | January 25, 2022 IST

ଢେଙ୍କାନାଳ, ୨୫।୦୧: ଗତକାଲି ଟ୍ରକ ଧକ୍କାରେ ଜଣେ ଯୁବକର ମୃତ୍ୟୁକୁ ନେଇ ଆଜି ଉତ୍ତେଜନା ପ୍ରକାଶ ପାଇଛି । ଏପରିକି ଆଜି ମୃତଦେହକୁ ଜାତୀୟ ରାଜପଥରେ ରଖି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବଡଝରା ଗାଁ ନିକଟରେ ଏନଏଚ-୫୫କୁ ଅବରୋଧ କରିଥିଲେ । ମୃତଦେହକୁ ଲୋକମାନେ ରାଜପଥରେ ରଖି ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଅଡ଼ି ବସିଥିଲେ । ଫଳରେ ଦୀର୍ଘ ଏକଘଣ୍ଟା ଧରି ୫୩ ନମ୍ବର ଜାତୀୟ ରାଜପଥରେ ଅର୍ଥାତ ସୁକିନ୍ଦା-ତାଳଚେର ମଧ୍ୟରେ ଯାତାୟାତ ସମ୍ପୂର୍ଣ୍ଣ ଠପ ହୋଇଯାଇଥିଲା ।

ଗତକାଲି ଅପରାହ୍ନରେ ଏକ ହାଇୱା ଟ୍ରକ ଧକ୍କାରେ ବଡଝରା ଗାଁର ପ୍ରଫୁଲ୍ଲ କୁମାର ପଣ୍ଡା ଗୁରୁତର ହୋଇଥିଲେ । ତାଙ୍କୁ ପ୍ରଥମେ କାମାକ୍ଷାନଗର ଓ ପରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା ।  ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଥିଲା। ଫଳରେ ଆଜି ସନ୍ଧ୍ୟାରେ ତାଙ୍କ ମୃତଦେହ ଘରକୁ ଫେରିବା ପରେ ବଡଝରା ଗାଁର ଶତାଧିକ ଲୋକ ରାସ୍ତା ଉପରେ ମୃତଦେହ ରଖି ରାସ୍ତାରୋକ କରିଥିଲେ ।

ଘଟଣା ସ୍ଥଳରେ ପରଜଙ୍ଗ ପୋଲିସ ଓ ଏନଏଚ ୫୩ ନଂ ସମ୍ପ୍ରସାରଣ କାର୍ଯ୍ୟରେ ନିୟୋଜିତ ଠିକା ସଂସ୍ଥାର କର୍ମଚାରୀ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ପରିବାରର ଜଣଙ୍କୁ ସ୍ଥାୟୀ ନିଯୁକ୍ତି ଦେବାର ପ୍ରତିଶ୍ରୁତି ଦେଇଥିଲେ । ଫଳରେ ରାସ୍ତାରୋକ ଦୀର୍ଘ ଘଣ୍ଟାଏ ପରେ ସନ୍ଧ୍ୟା ସାଢ଼େ ୬ଟାରେ ହଟିଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.