ଖଣି ପରିବହନକୁ ନେଇ ବିବାଦ : ଆନ୍ଦୋଳନକୁ ଓହ୍ଲାଇଲା ସୁକିନ୍ଦା ମିନେରାଲ୍ ଟ୍ରକ୍ ଓନର୍ସ ଆସୋସିଏସନ

Published By : Prameya-News7 Bureau | August 22, 2019 IST

ଯାଜପୁର ୨୨|୮:  ଯାଜପୁର ଜିଲ୍ଲା ସୁକିନ୍ଦା ଖଣି ଉପତ୍ୟାକାରେ ଖଣି ପରିବହନକୁ ନେଇ ଦେଖାଦେଇଛି ବିବାଦ । ଲୋଡିଂକୁ ନେଇ ଜିଲ୍ଲାପାଳ ଦେଇଥିବା ନିର୍ଦ୍ଦେଶକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଟ୍ରକ୍ ମାଲିକ ସଂଘ । ଏନେଇ ଆଜି ସୁକିନ୍ଦା ମିନେରାଲ୍ ଟ୍ରକ୍ ଓନର୍ସ ଆସୋସିଏସନ ପକ୍ଷରୁ କାଳିଆପାଣି ଖଣି ଅଂଚଳରେ ଧର୍ମଘଟ କରାଯାଇଛି । ଏଥିରେ ଶତାଧିକ ଟ୍ରକ୍ ମାଲିକ ସାମିଲ ହୋଇ ଏକ ପ୍ରତିବାଦ ଶୋଭାଯାତ୍ରା କରିଥିଲେ। ପରେ ଏହି ଶୋଭାଯାତ୍ରା କାଳିଆପାଣି ଥାନାରେ ପହଂଚି ଆସୋସିଏସନ୍ ପକ୍ଷରୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଥାନା ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା ।

{"id":147420}

ସୂଚନାଯୋଗ୍ୟ ଯେ, ପୂର୍ବରୁ ଉଚ୍ଚ ନ୍ୟାୟାଳୟ ଦେଇଥିବା ଫାଷ୍ଟ କମ୍ ଫାଷ୍ଟ ଲୋଡ ନିର୍ଦ୍ଦେଶକୁ ପାଳନ କରାଯାଉ ନଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା । ପରେ ଜିଲ୍ଲାପାଳ ଏହି ଅଭିଯୋଗର ତଦାରଖ କରି ଫାଷ୍ଟ କମ୍ ଫାଷ୍ଟ ଲୋଡ ନିୟମକୁ କଡାକଡି ଭାବେ ପାଳନ କରିବା ସହ ଏଥିରେ କୌଣସି ଟ୍ରକ୍ ମାଲିକ ସଂଘର ସମ୍ପୃକ୍ତି ରହିବ ନାହିଁ ବୋଲି ଖଣି ବିଭାଗ, ଖଣି ସଂସ୍ଥା ଓ ସମ୍ପୃକ୍ତ ପରିବହନ ସଂସ୍ଥାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଏହି ନିର୍ଦ୍ଦେଶନାମା ଜାରି ହେବା ପରେ ସୁକିନ୍ଦା ମିନେରାଲ୍ ଟ୍ରକ୍ ଓନର୍ସ ଆସୋସିଏସନ୍ ଏହାକୁ ବିରୋଧ କରିଛି । ଖଣି ପରିବହନରେ ସଂଘକୁ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି । ଏଥିସହ ଖଣି ପରିବହନ କ୍ଷେତ୍ରରେ ସଂଘର କୌଣସି ଭୂମିକା ନ ରହିଲେ ଟ୍ରକ୍ ମାଲିକମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବେ ବୋଲି ସଂଘ କହିଛି । ସେପଟେ ଏହି ଧର୍ମଘଟକୁ ସମର୍ଥନ କରିଛି ସୁକିନ୍ଦା ରିଜିୟନ୍ କ୍ରୋମାଇଟ୍ ଖାଦାନ ମଜଦୁର ସଂଘ । ସମସ୍ତ ଖଣିରେ କାର୍ଯ୍ୟ ବନ୍ଦ ରଖିଛନ୍ତି ଶ୍ରମିକ । ଫଳରେ ଖଣି ପରିବହନ ସମ୍ପୂର୍ଣ୍ଣ ବନ୍ଦ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.