Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||
  • ଓଏସଏପି ଯବାନଙ୍କ ଆତ୍ମହତ୍ୟା, ଗଛରେ ଝୁଲୁଛି ମୃତଦେହ
  • ||
  • କ୍ଲାସରୁମ୍ ଭିତରକୁ ପଶିଆସିଲା ବାଘ, ଛାତ୍ରଛାତ୍ରୀଙ୍କୁ ଗୋଡାଇ ଗୋଡାଇ କଲା ଘାଇଲା
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୫କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୨ କରୋନା ସଂକ୍ରମିତ, ୧୦୪୯୫୯୭ରେ ପହଞ୍ଚିଲା ସଂଖ୍ୟା
  • ||
  • ମାର୍ଗଶିର ଗୁରୁବାରରେ ଲକ୍ଷ୍ମୀ ମନ୍ଦିରରୁ ଚୋରି, ନେଇଗଲେ ହୁଣ୍ଡି ଓ ସୁନା ଗହଣା
  • ||
  • ଗୁଜୁରାଟ ଦଙ୍ଗା ବେଳେ କେଉଁ ସରକାର ଥିଲା ? ସିବିଏସଇର ପ୍ରଶ୍ନକୁ ନେଇ ବିବାଦ ଜୋର
  • ||

ଚର୍ଚ୍ଚାରେ ସୁଇଟ୍ କଲେଜ : ବ୍ୟାକ୍ ପେପର କ୍ଲିଅର ପାଇଁ ଛାତ୍ରୀଙ୍କୁ ଯୌନ ନିର୍ଯାତନା, ରଫଦଫା କରିବାକୁ କର୍ତ୍ତୃପକ୍ଷଙ୍କ ଉଦ୍ୟମ !

12/11/2021 at 9:36 AM

ସମ୍ବଲପୁର,୧୨/୧୧: ପୁଣି ଥରେ ଚର୍ଚ୍ଚାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍‌ନୋଲୋଜି (ସୁଇଟ୍‌) । ଗତବର୍ଷ ଅନୁଷ୍ଠାନର ଜଣେ ଶିକ୍ଷୟିତ୍ରୀ ଯୌନ ନିର୍ଯାତନା ଅଭିଯୋଗ ଆଣିବା ଘଟଣା ଦାଣ୍ଡରେ ପଡ଼ି ହାଟରେ ଗଡ଼ିଥିଲା । ଏବେ ପୁଣିଥରେ ଖୋଦ୍‌ ଅନୁଷ୍ଠାନର ଜଣେ ଛାତ୍ରୀ ଏଠାକାର ଜଣେ ଆସୋସିଏଟ୍‌ ପ୍ରଫେସରଙ୍କ ବିରୋଧରେ ସଙ୍ଗୀନ୍‌ ଅଭିଯୋଗ ଆଣିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ଏନେଇ ଅଭିଯୋଗ ହେବା ପରେ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶାନୁସାରେ, ପ୍ରାଥମିକ ତଦନ୍ତ କରାଯାଇ ଶୃଙ୍ଖଳା କମିଟି ବୈଠକ ମଧ୍ୟ ଅନୁଷ୍ଠିତ ହୋଇଛି । ଘଟଣା ସମ୍ପର୍କରେ ନିର୍ଦ୍ଦେଶକ ପ୍ରଫେସର ବି.କେ ମହାନ୍ତିଙ୍କୁ ପଚାରିବାରେ ସେ ଅଭିଯୋଗକୁ ସ୍ୱୀକାର କରିଥିବା ବେଳେ ଶୃଙ୍ଖଳା କମିଟିର ରିପୋର୍ଟ ଆସିଲେ ତଦନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ଅପରପକ୍ଷେ, କଲେଜ୍‌ କର୍ତ୍ତୃପକ୍ଷ ଏହି ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ବାଧ୍ୟହୋଇ ପୁଲିସ୍‌ର ଦ୍ୱାରସ୍ଥ ହେବେ ବୋଲି ଉକ୍ତ ଛାତ୍ରୀଙ୍କ ପରିବାର ଲୋକେ ମଧ୍ୟ କଲେଜକୁ ଆସି ଚେତାବନୀ ଦେଇ ଯାଇଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି ।

ସୂଚନାନୁସାରେ, ସୁଇଟ୍‌ର ଜଣେ ଚତୁର୍ଥ ବର୍ଷ ପାସ୍‌ଆଉଟ୍‌ ଛାତ୍ରୀଙ୍କର ୪ଟି ପେପର୍‌ରେ ବ୍ୟାକ୍‌ ରହିଥିଲା । ତାଙ୍କ ବ୍ୟାଚ୍‌ର ଅନ୍ୟ ସହପାଠୀମାନେ ଉତ୍ତୀର୍ଣ୍ଣ ହୋଇ କେଉଁଠି ଚାକିରି କରୁଥିବା ବେଳେ ଆଉ କିଏ ଉଚ୍ଚ ଶିକ୍ଷା ପାଇଁ ଚାଲିଗଲେଣି । କିନ୍ତୁ ବ୍ୟାକ୍‌ କ୍ଲିୟର୍‌ ହେଉନଥିବାରୁ ସମ୍ପୃକ୍ତା ଛାତ୍ରୀ ଚାକିରି ପାଇଁ ଆବେଦନ କରିପାରୁନଥିଲେ । ତେଣୁ କିଛି ଦିନ ତଳେ ସେ କଲେଜ୍‌କୁ ଆସି ତାଙ୍କ ବିଭାଗୀୟ ମୁଖ୍ୟଙ୍କୁ ଭେଟି ଏସମ୍ପର୍କରେ ଆଲୋଚନା କରିଥିଲେ । କିଭଳି ଭାବେ ବ୍ୟାକ୍‌ ପେପର୍‌ ଗୁଡ଼ିକ କ୍ଲିୟର ହେବ ସେନେଇ ଉପଦେଶ ମାଗିଥିଲେ । କିନ୍ତୁ ଅସହାୟତାର ଫାଇଦା ଉଠାଇ ଉକ୍ତ ବିଭାଗୀୟ ମୁଖ୍ୟ ତଥା ଆସୋସିଏଟ୍‌ ପ୍ରଫେସର ଜଣକ ତାଙ୍କୁ ଅସଦାଚରଣ କରିଥିଲେ । କେବଳ ଯେ ଅସଦାଚରଣ ନୁହେଁ ବରଂ ତାଙ୍କୁ ଯୌନ ନିର୍ଯାତନା ମଧ୍ୟ ଦେଇଥିବା ଅଭିଯୋଗ ହୋଇଛି । ଏହି ଘଟଣା ପରେ ଛାତ୍ରୀ ଜଣଙ୍କ କାନ୍ଦି କାନ୍ଦି ବିଭାଗୀୟ ମୁଖ୍ୟଙ୍କ ଚାମ୍ବରରୁ ବାହାରକୁ ବାହାରିଥିଲେ । ଏହି ସମୟରେ କଲେଜରେ ଥିବା ଜଣେ ମହିଳା ଶିକ୍ଷୟିତ୍ରୀ ଛାତ୍ରୀଙ୍କୁ ଏଭଳି ଅବସ୍ଥାରେ ଦେଖି ଘଟଣା ସମ୍ପର୍କରେ ପଚାରିଥିଲେ । ସମସ୍ତ ଘଟଣା ଜାଣିବା ପରେ ସେ ଛାତ୍ରୀଙ୍କୁ ନେଇ ନିଜେ ନିର୍ଦ୍ଦେଶକଙ୍କ ପାଖକୁ ଯାଇ ଅଭିଯୋଗ ବି କରିଥିଲେ । 

ପ୍ରାଥମିକ ଅବସ୍ଥାରେ କଲେଜ୍‌ କର୍ତ୍ତୃପକ୍ଷ ଘଟଣାକୁ ରଫାଦଫା କରିବାକୁ ଉଦ୍ୟମ କରିଥିଲେ । କିନ୍ତୁ ବିଭାଗୀୟ ମୁଖ୍ୟଙ୍କ ଏଭଳି ଆଚରଣରେ ଅତିଷ୍ଟ ଛାତ୍ରୀଙ୍କ ପରିବାର ଲୋକେ ଏଥିରେ ରାଜି ହୋଇନଥିଲେ । ଫଳରେ ଛାତ୍ରୀଙ୍କ ପରିବାର ଲୋକେ ବି କଲେଜରେ ପହଞ୍ଚି ଘଟଣାର ସତ୍ୟତା ଯାଞ୍ଚ କରିବା ସହ ନିର୍ଦ୍ଦେଶକଙ୍କ ସହ ଆଲୋଚନା କରିଥିଲେ । କଲେଜ୍‌ କ୍ୟାମ୍ପସ୍‌ରେ ଜଣେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଇଥିବା ଏଭଳି ଶିକ୍ଷକଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ । କଲେଜ୍‌ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ନନେଲେ ସେମାନେ ବାଧ୍ୟହୋଇ ଆଇନ୍‌ର ଦ୍ୱାରସ୍ଥ ହେବେ ବୋଲି ମଧ୍ୟ ଚେତାବନୀ ଦେଇଥିଲେ । ଗତକାଲି କଲେଜ୍‌ ପରିସରରେ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ ଅନୁସାରେ, ଶୃଙ୍ଖଳା କମିଟି ବୈଠକ ବସି ଘଟଣା ସମ୍ପର୍କରେ ଆଲୋଚନା କରାଯାଇଛି । ଏହି କମିଟି ୨-୩ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବା ପରେ ଯାଇ ଯାହା କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ନିର୍ଦ୍ଦେଶକ ପ୍ରଫେସର ମହାନ୍ତି ଉତ୍ତର ରଖିଛନ୍ତି ।

ସ୍ମରଣଯୋଗ୍ୟ, ସୁଇଟ୍‌ରେ ଯୌନ ନିର୍ଯାତନା ଅଭିଯୋଗ କିଛି ନୂଆ ଘଟଣା ନୁହେଁ । ଗତ କେଇ ବର୍ଷର ଇତିହାସକୁ ଓଲଟାଇ ଦେଖିଲେ ବାରମ୍ବାର ଏଭଳି ଘଟଣା ଅନୁଷ୍ଠାନର ଛବିକୁ ନଷ୍ଟ କରିବାରେ ଲାଗିଛି । କେତେବେଳେ ଖୋଦ୍‌ କାର୍ଯ୍ୟରତ ଶିକ୍ଷୟିତ୍ରୀ ଯୌନ ନିର୍ଯାତନାର ଶିକାର ହେଲେଣି ତ କେତେବେଳେ କଲେଜ୍‌କୁ ଆସୁଥିବା ଅତିଥି ଅଧ୍ୟାପକଙ୍କ ଦ୍ୱାରା ଛାତ୍ରୀମାନେ ନିର୍ଯାତନାର ଶିକାର ହେଲେଣି ।

   Related Posts