ଏମ୍ସରେ ଠିକା କର୍ମଚାରୀଙ୍କ ଆତ୍ମହତ୍ୟା – ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପରିବାର ଲୋକେ ଅଭିଯୋଗ
24/10/2019 at 8:54 PM

ଭୁବନେଶ୍ୱର ୨୪।୧୦ – ଏମ୍ସରେ ଠିକା କର୍ମଚାରୀଙ୍କ ଆତ୍ମହତ୍ୟା । ଭେସଜ ବିଭାଗର ଏକ ରୁମରେ ଭୁବନେଶ୍ବର ଉପକଣ୍ଠ ମୁଣ୍ଡାମୁହାଣ ହରିଜନ ସାହିର ସନ୍ତୋଷ ନାୟକ ନାମକ ଜଣେ କର୍ମଚାରୀଙ୍କ ଆତ୍ମହତ୍ୟାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି ।
ତେବେ ଏହା ଆତ୍ମହତ୍ୟା ନୁହେଁ ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ଖଣ୍ଡଗିରି ଥାନା ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ତେବେ କେଉଁ କାରଣରୁ ଏହି କର୍ମଚାରୀ ଅତ୍ମହତ୍ୟା କଲେ ତାକୁ ନେଇ ପ୍ରଶ୍ନବାଚୀ ।
ସନ୍ତୋଷ ଯେଉଁଠି ଆତ୍ମହତ୍ୟା କରିଥିବା କୁହାଯାଉଛି ସେଠାରେ କୌଣସି ଟେବୁଲ କି ଚେୟାର ନଥିଲା । ତାଙ୍କ ହାତରେ ସ୍କାଲଭେନ୍ ଲାଗିଥିଲା । ଏଥିରୁ ଜଣାପଡୁଛି ସେ ସାଲାଇନ୍ ନେଉଥିଲେ । ପ୍ରଶ୍ନ ଉଠୁଛି ସନ୍ତୋଷ ସାଲାଇନ୍ କଣ ପାଇଁ ନେଉଥିଲେ । ପାରିପାର୍ଶ୍ବିକ ସ୍ଥିତିକୁ ଦେଖିଲେ ଏହା ଆତ୍ମହତ୍ୟା ନୁହେଁ ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି ।
ଦରମା ମିଳୁନଥିବାରୁ ୧୦ ଦିନ ହେଲା ସନ୍ତୋଷ କାମକୁ ଆସି ନଥିଲେ । କିନ୍ତୁ ବୁଧବାର ରାତି ୯ଟାରେ ସନ୍ତୋଷ କାମକୁ ଯାଉଛି କହି ଘରୁ ଆସିଥିଲେ । ଗୁରୁବାର ତାଙ୍କ ମୃତଦେହ ମିଳିଛି । ସେପଟେ ଏହି ଘଟଣା ପରଠୁ ଗୋଲ୍ଡେନ୍ ଠିକା ସଂସ୍ଥା ମ୍ୟାନେଜରଙ୍କ ପତ୍ତା ମିଳୁନି । ଯାହାକୁ ନେଇ ସନ୍ତୋଷଙ୍କ ସହଯୋଗୀ ସ୍ବର ଉଠାଇଛନ୍ତି । ପୋଲିସର କିନ୍ତୁ ଏନେଇ ପ୍ରତିକ୍ରିୟା ମିଳିନି । ..
ଖଣ୍ଡଗିରି ଥାନା ପୋଲିସ ସାଇଣ୍ଟିଫିକ ଟିମ୍ ସହ ଘଟଣାର ତଦନ୍ତ ଚଳାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି ।