Dear Bapa... I am Sorry… କାହିଁକି ଏମିତି କଲେ ସେ ?

Published By : Prameya-News7 Bureau | January 05, 2021 IST

ସମ୍ବଲପୁର ୫।୧: ସମ୍ବଲପୁର ବୁର୍ଲା ସ୍ଥିତ ମହାନଦୀ ପୋଲ ତଳୁ ମୃତଦେହ ମିଳିଥିବା ଯୁବତୀଙ୍କ ପରିଚୟ ମିଳିବା ପରେ ଘଟଣାରେ ଆସିଛି ନୂଆ ମୋଡ । ଘର ତକିଆ ତଳୁ ଏକ ସୁଇସାଇଡ୍ ନୋଟ୍ ଜବତ ହୋଇଛି । ତେବେ ଏହି ସୁଇସାଇଡ୍ ନୋଟ୍ ରୁ ଜଣାପଡୁଛି ଯେ, ଯୁବତୀ ଜଣଙ୍କ କିଛି କଥାକୁ ନେଇ ଅବସାଦଗ୍ରସ୍ତ ଥିଲେ । ତେବେ ସେହି କାରଣରୁ ସେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି କୁହାଯାଉଛି । ତେବେ କ’ଣ ପାଇଁ ସେ ଅବସାଦଗ୍ରସ୍ତ ଥିଲେ ତାହା ସ୍ପଷ୍ଟ ହୋଇନାହିଁ । ସେହି ସୁଇସାଇଡ୍ ନୋଟ୍ କୁ ପରିବାରଲୋକ ପୋଲିସକୁ ହସ୍ତାନ୍ତର କରିଛନ୍ତି । ତେବେ ସେହି ସୁଇସାଇଡ୍ ନୋଟ୍ କୁ ଯୁବତୀ ଜଣଙ୍କ ନିଜେ ଲେଖିଛନ୍ତି ନା ଆଉ କେହି ଲେଖିଛନ୍ତି ତାର ତଦନ୍ତ ଆରମ୍ଭ କରିଛି ପୋଲିସ । ମୃତ୍ୟୁର ପ୍ରକୃତ କାରଣ ଜଣାପଡିନଥିବା ବେଳେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

ମୃତ ଯୁବତୀ ଜଣଙ୍କ ସୋନପୁର ଡୁଙ୍ଗୁରୀପାଲୀ ଗଣ୍ଡପାଲୀ ଗାଁର ପିଙ୍କି ସାହୁ ବୋଲି ଜଣାପଡିଛି । ପରିବାର ଲୋକ ବୁର୍ଲା ଫାଣ୍ଡିକୁ ଆସି ଝିଅକୁ ଚିହ୍ନଟ କରିଛନ୍ତି । ଗତ ୩ ତାରିଖରୁ ସୋନପୁର ଡୁଙ୍ଗୁରୀପାଲୀ ଗଣ୍ଡପାଲୀ ଗାଁର ଶରତ ସାହୁଙ୍କ ଝିଅ ରିଙ୍କି ସାହୁ ନିଖୋଜ ଥିଲେ । ଶରତ ସାହୁଙ୍କ ଚାରି କନ୍ୟା ସନ୍ତାନ ମଧ୍ୟରୁ ରିଙ୍କି ହେଉଛନ୍ତି  ତୃତୀୟ ସନ୍ତାନ । ପରିବାରଲୋକଙ୍କ କହିବା ଅନୁସାରେ ରିଙ୍କି ୩ ତାରିଖ ଦିନ ଘରୁ ସାଇକେଲ ଖଣ୍ଡିଏ ଧରି ବାହାରିଥିଲେ । ଘରୁ ବାହାରିବା ବେଳେ କାହା ସହ କିଛି ଝଗଡା ହୋଇନଥିବା ପରିବାରଲୋକ ସ୍ପଷ୍ଟ କରିଛନ୍ତି । ସେଦିନ ଘରୁ ବାହାରିଥିଲେ ମଧ୍ୟ ରିଙ୍କି ଆଉ ଘରକୁ ଫେରିନଥିଲେ । ତେବେ ପରିବାରଲୋକ ଡୁଙ୍ଗୁରୀପାଲୀ ଥାନାରେ ଝିଅ ନିଖୋଜ ନେଇ ଏତଲା ଦେଇଥିଲେ ।

ଗତ ୩ ତାରିଖରେ ସନ୍ଧ୍ୟାରେ ବୁର୍ଲା ସ୍ଥିତ ମହାନଦୀ ପୋଲ ତଳୁ ଜଣେ ଅଚିହ୍ନା ଯୁବତୀଙ୍କ ମୃତଦେହ ମିଳିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ତାଙ୍କ ପରିବାରଲୋକଙ୍କୁ ୪ ତାରିଖରେ ଫୋନ୍ ଯାଇଥିଲା । ସେମାନେ ତୁରନ୍ତ ଡୁଙ୍ଗୁରୀପାଲୀ ଥାନାରେ ପହଞ୍ଚି ଫଟୋ ଦେଖି ମୃତ ଯୁବତୀ ଜଣଙ୍କ ତାଙ୍କ ଝିଅ ବୋଲି ଚିହ୍ନଟ କରିଥିଲେ । ମଙ୍ଗଳବାର ବୁର୍ଲାରେ ପହଞ୍ଚି ପରିବାରଲୋକ ଝିଅର ମୃତଦେହ ଚିହ୍ନଟ କରିଛନ୍ତି ।

ତେବେ ତାଙ୍କ ମୃତ୍ୟୁକୁ ନେଇ ଏବେ ବି ସନ୍ଦେହ ଘନୀଘୂତ ହେବାରେ ଲାଗିଛି । ଏବେ ଘରୁ ସୁଇସାଇଡ୍ ନୋଟ୍ ଜବତ ହେବା ପରେ ସେ ଆତ୍ମହତ୍ୟା କରିଥିବା ଏକ ପ୍ରକାର ସ୍ପଷ୍ଟ ହେଉଥିବା ବେଳେ ପୋଷ୍ଟ ମର୍ଟମ ରିପୋର୍ଟ ନଆସିବା ଯାଏଁ ଘଟଣା ଉପରୁ ପରଦା ହଟିପାରିବ ନାହିଁ । ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରି ସେଠାରେ ଫିଙ୍ଗି ଦେଇଛନ୍ତି ତାର ଖୋଳତାଡ କରୁଛି ପୋଲିସ । ଅନ୍ୟପଟେ ପୋଲ ତଳୁ ଏକ ସିମ୍ ବିହୀନ ମୋବାଇଲ, ପୋଲ ଉପରୁ ଭ୍ୟାନିଟି ବ୍ୟାଗ୍, ଚପଲ, ସମ୍ବଲପୁରର ଏକ ନାମୀଦାମୀ ସପିଂ ମଲର ସପିଂ ସ୍ଲିପ୍ ପୋଲିସର ହସ୍ତଗତ ହୋଇଛି । ଯାହା ପୂରା ଘଟଣା ଉପରୁ ପରଦା ହଟାଇବାକୁ ସହାୟକ ହେବ ବୋଲି ପୋଲିସ ଆଶାବାଦୀ ଅଛି ।

ସୂଚନାଯୋଗ୍ୟ ଯେ, ଗତ ୩ ତାରିଖ ସନ୍ଧ୍ୟାରେ ବୁର୍ଲା ସ୍ଥିତ ମହାନଦୀ ପୋଲ ତଳୁ ଯୁବତୀଙ୍କୁ ଉଦ୍ଧାର କରାଯାଇଥିଲା । ପୋଲିସ ଓ ଅଗ୍ନିଶମ ବାହିନୀ ତାଙ୍କୁ ହସ୍ପିଟାଲକୁ ନେଇଥିଲେ । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.