ସେନା ଶିବିର ଉପରେ ଆତ୍ମଘାତୀ ବିସ୍ଫୋରଣ: ୩୦ ଯବାନ ସହିଦ, ୨୪ ଗୁରୁତର
29/11/2020 at 7:29 PM

କାବୁଲ ୨୯/୧୧: ଆଫଗାନିସ୍ତାନର ଗଜନୀ ପ୍ରାନ୍ତରେ ଥିବା ଏକ ସେନା ଶିବିର ଉପରେ ଆତ୍ମଘାତୀ ବିସ୍ଫୋରଣ କରିଛନ୍ତି ଆତଙ୍କବାଦୀ। କାରରେ ବୋମା ରଖି ବିସ୍ଫୋରଣ କରିବା ଫଳରେ ସେନା ଶିବିର ଧ୍ବଂସ ହେବା ସହ ୩୦ ଯବାନ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ଏହା ସହ ୨୪ ଅନ୍ୟ ଯବାନ ଗୁରୁତର ହୋଇଛନ୍ତି।
ମୃତ୍ୟ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଗଜନୀ ସିଭିଲ ହସ୍ବିଟାଲର ନିର୍ଦେଶକ ବାଜ ମହମ୍ମଦ ହେମନ୍ତ କହିଛନ୍ତି। ଜଣେ ଆତଙ୍କବାଦୀ ଏଭଳି ଆତ୍ମଘାତୀ ବିସ୍ଫୋରଣ କରିଛି। ଗଜନୀ ପ୍ରାନ୍ତରେ ଥିବା ସେନା ଶିବିର ପାଖକୁ ବିସ୍ଫୋଟକ ପଦାର୍ଥ ଭର୍ତ୍ତି କାର ଆଣି ବିସ୍ଫୋରଣ କରାଇଥିଲା। ଏଥିରେ ମୃତ୍ୟୁବରଣ କରିଥିବା ଓ ଗୁରୁତର ହୋଇଥିବା ଯବାନ ଆଫଗାନ ନ୍ୟାସନାଲ୍ ଆର୍ମୀର ଏକ ବାଟାଲିୟନର ଅଂଶ ବୋଲି ଜଣେ ସୁରକ୍ଷା ଅଧିକାରୀ ସିହ୍ନୁଆ ନ୍ୟୁଜ ଏଜେନ୍ସିକୁ ସୂଚନା ଦେଇଛନ୍ତି।
ତେବେ ଏହା ପୂର୍ବରୁ ମିଳିଥିବା ସୂଚନା ଅନୁସାରେ ମୃତାହତ ଯବାନମାନେ ପୋଲିସ କର୍ମୀ ଥିଲେ। ଏହି ଆକ୍ରମଣ ପାଇଁ କୌଣସି ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରିନାହାନ୍ତି। କିନ୍ତୁ ସ୍ଥାନୀୟ ପୋଲିସ ଅଧିକାରୀ ଏହି ଆକ୍ରମଣ ପାଇଁ ତାଲିବାନ ଆତଙ୍କବାଦୀଙ୍କୁ ଦାୟୀ କରିଛନ୍ତି।