ରାଜସ୍ୱ କର୍ମଚାରୀଙ୍କ ବିଦ୍ୟୁତ ଟ୍ରାନ୍ସଫର୍ମରରେ ଚଢି ଆତ୍ମହତ୍ୟା ଉଦ୍ୟମ, କିଛି ଦିନ ତଳେ ଫେରିଥିଲେ କୋଭିଡ୍ ହସ୍ପିଟାଲ୍‌ରୁ

Published By : Prameya-News7 Bureau | May 21, 2021 IST

ଢେଙ୍କାନାଳ ୨୧।୦୫: କରୋନା ଯୋଗୁଁ ଜଣେ ଅବସର ପ୍ରାପ୍ତ ରାଜସ୍ୱ କର୍ମଚାରୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଖୋଦ ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପାର୍ଶ୍ଵ ଅବକାରୀ ଅଫିସ ଗଳିରେ ଏପରି ଅଭନୀୟ କାଣ୍ଡ ଘଟିଛି । ସେଠାରେ ଥିବା ବିଦ୍ୟୁତ ଟ୍ରାନ୍ସଫର୍ମରରେ ଚଢି ବିଦ୍ୟୁତ ତାର ଧରି ଏହି ବୃଦ୍ଧ ଜଣଙ୍କ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ମାତ୍ର ସୌଭଗ୍ୟବଶତଃ ବିଦ୍ୟୁତ ଝଟକା ଲାଗିବାରୁ ସେ ତଳକୁ ଫୋପାଡ଼ି ହୋଇ ପଡିଥିଲେ। ଏଥିରେ ତାଙ୍କ ଜୀବନ ବଞ୍ଚି ଯାଇଥିବା ଜଣାପଡିଛି । ମାତ୍ର ବିଦ୍ୟୁତ ଝଟକାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ କୋଭିଡ୍ ଭ୍ୟାନ ଯୋଗେ ଚିକିତ୍ସା ପାଇଁ ତାଙ୍କୁ  ଢେଙ୍କାନାଳ  ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି  କରାଯାଇଛି। ତାଙ୍କର ହାତ , ପିଠି ଓ ପେଟ ଆଦି ପୋଡିଯାଇଥିବା ଜଣାପଡିଛି ।

ଗୁରୁତର ବୃଦ୍ଧ ଜଣଙ୍କ ଢେଙ୍କାନାଳ ସହର  ଅମଲା ପଡାର ମୁରଲୀଧର ସ୍ୱାଇଁ। ତାଙ୍କ ବୟସ ପ୍ରାୟ ୬୫ବର୍ଷ ହେବ। ସେ କରୋନାରେ ପୀଡିତ ହୋଇ ପ୍ରଥମେ ଢେଙ୍କାନାଳ କୋଭିଡ ହସ୍ପିଟାଲ ଓ ପରେ ଗୁରୁତର ହୋଇ ଭୁବନେଶ୍ୱରର ଏକ ଘରୋଇ କୋଭିଡ ଡାକ୍ତରଖାନାରେ ଚିକିତ୍ସିତ ହୋଇ ଗତ ଏକ ସପ୍ତାହ ହେଲା ଘରକୁ ଫେରିଥିଲେ । ମାତ୍ର ତାଙ୍କ ଦେହ ଭଲ ଲାଗୁନଥିବା ଓ କରୋନା ଯୋଗୁଁ  ବଞ୍ଚିବା ପାଇଁ ଚାହୁଁ ନଥିବାରୁ ଆତ୍ମହତ୍ୟା ଉଦ୍ୟମ କରିଥିଲେ ବୋଲି ପ୍ରକାଶ କରିଛନ୍ତି। ଅପର ପକ୍ଷେ କୋଭିଡ ପୀଡିତ ହୋଇ ସୁସ୍ଥ ହୋଇଥିଲେ ମଧ୍ୟ ସେ ମାନସିକ ବିଷାଦ ଯୋଗୁଁ ଆତ୍ମହତ୍ୟା ଉଦ୍ୟମ କରିଥିବା ସନ୍ଦେହ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.