ନୂଆଦିଲ୍ଲୀ ୧୨/୦୯: ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ୍) ବିପିନ ରାଓ୍ବତ ସଂସଦୀୟ ପ୍ରତିରକ୍ଷା କମିଟି ବୈଠକରେ ବଡ଼ ତଥ୍ୟ ଉପସ୍ଥାପନ କରିଛନ୍ତି। ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍ଏସି)ରେ ଯଦି ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହୁଏ ତେବେ ଭାରତୀୟ ସେନା ପାଖରେ ୧୦ ମାସର ପର୍ଯ୍ୟାପ୍ତ ରାସନ ମହଜୁଦ ରହିଛି ବୋଲି କହିଛନ୍ତି ବିପିନ ରାଓ୍ବତ। ସୀମାରେ ନିୟୋଜିତ ସେନା ଓ ଅତିରିକ୍ତ ଭାବେ ମୁତୟନ ସେନାଙ୍କ ପାଇଁ ରାସନ୍ ପର୍ଯ୍ୟାପ୍ତ ପରିମାଣରେ ଗଚ୍ଛିତ ରହିଛି ।
ଆୟୋଜିତ ବୈଠକରେ ରାସନ୍ ଓ ଅସ୍ତ୍ରଶସ୍ତ୍ର ସମ୍ପର୍କରେ ଆଲୋଚନା ହୋଇଥିବା ଜଣାପଡ଼ିଛି। ବୈଠକରେ ଏନସିପି ମୁଖ୍ୟ ଶରଦ ପାଓ୍ବାର ସମିତିର ଚେୟାରମ୍ୟାନ ଜୁଏଲ ଓରାମଙ୍କୁ ଏଲ୍ଏସିରେ ଉପୁଜିଥିବା ପରିସ୍ଥିତି ସମ୍ପର୍କରେ ସଦସ୍ୟଙ୍କୁ ଜଣାଇବା ପାଇଁ କହିଥିଲେ। ସେପଟେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଅଧିକାରୀ ଓ ଯବାନଙ୍କ ଖାଦ୍ୟ ଅନ୍ତରକୁ ନେଇ ପ୍ରଶ୍ନ କରିଥିଲେ।
ଅନ୍ୟପଟେ ସମିତିର ଅନ୍ୟ ଜଣେ ସଦସ୍ୟ ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ ଡିପି ବତ୍ସ କଂଗ୍ରେସ ଉପରେ ବର୍ଷିଥିଲେ। କଂଗ୍ରେସ ଜାଣିଶୁଣି ବୈଠକରେ ହେଉଥିବା ଗୁରୁତ୍ବପୂର୍ଣ୍ଣ ଆଲୋଚନା ସମ୍ପର୍କରେ ବାହାରେ ପ୍ରଘଟ କରୁଛି ବୋଲି ଅଭିଯୋଗ କରିଛନ୍ତି ଡିପି ବତ୍ସ। ଏହାସହ ପ୍ରଥମ ଥର ପ୍ରତିରକ୍ଷା କମିଟି ବୈଠକରେ ଯୋଗ ଦେଇଥିବାରୁ ସେ ରାହୁଲ ଗାନ୍ଧିଙ୍କୁ ସ୍ବାଗତ ଜଣାଇଥିଲେ।
ଏହାସହ ଖାଦ୍ୟ ଅନ୍ତର ଉପରେ ପ୍ରତିକ୍ରିୟାରେ ବତ୍ସ କହିଥିଲେ, ଖାଦ୍ୟ ଖାଇବା ପ୍ରଣାଣୀ ବ୍ରିଟିଶ ସମୟରୁ ରହିଆସିଛି। ସ୍ବାଧୀନତା ପରେ ଉଚ୍ଚ ପଦାଧିକାରୀ ବ୍ରିଟିଶ୍ ବ୍ରେଡ୍ ଖାଉଥିଲେ। କିନ୍ତୁ ଖରାପ ଖାଦ୍ୟ ଦିଆଯାଉଥିବା କଥା ସମ୍ପୂର୍ଣ୍ଣ ମିଥ୍ୟା ବୋଲି ବତ୍ସ କହିଛନ୍ତି। ଅନ୍ୟପଟେ ସୀମାରେ ଉତ୍ତେଜନା ପରିସ୍ଥିତି ପ୍ରାୟ ସମୟରେ ଦେଖିବାକୁ ମିଳେ। ଏଥିରେ ବ୍ୟସ୍ଥ ହେବାର କିଛି ନାହିଁ। ଭାରତୀୟ ସେନା ଲାଭରେ ରହିଛି ବୋଲି ରାଜ୍ୟସଭା ସାଂସଦ ଡିପି ବତ୍ସ କହିଛନ୍ତି।