କିରାଣୀରୁ ରାଷ୍ଟ୍ରପତି…, କିନ୍ତୁ ସୁଯୋଗ ଆସିଥିଲେ ବି ହୋଇ ପାରିନଥିଲେ ପ୍ରଧାନମନ୍ତ୍ରୀ, ମାଟିର ମଣିଷ ପ୍ରଣବ ମୁଖାର୍ଜୀଙ୍କ ଜୀବନ ଯାତ୍ରା ଥିଲା ଏପରି

Published By : Prameya-News7 Bureau | August 31, 2020 IST

ନୂଆଦିଲ୍ଲୀ ୩୧।୦୮: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସୋମବାର ସନ୍ଧ୍ୟାରେ ୮୪ ବର୍ଷ ବୟସରେ ପରଲୋକ ଘଟିଛି। ସେ ଅନେକ ଦିନ ଧରି ଭେଣ୍ଟିଲେଟରରେ ଥିଲେ। ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ ମୁଖାର୍ଜୀ ଟ୍ଵିଟ୍ କରି ପୂର୍ବତନ ରାଷ୍ଟ୍ରପତିଙ୍କ ପରଲୋକ ଘଟିଥିବା ସୂଚନା ଦେଇଛନ୍ତି। ମସ୍ତିଷ୍କ ସର୍ଜରୀ ପରେ ଅନେକ ଦିନ ଧରି ତାଙ୍କର ଚିକିତ୍ସା ନୂଆଦିଲ୍ଲୀ ସ୍ଥିତ ସେନା ହସ୍ପିଟାଲରେ ଜାରି ରହିଥିଲା। ଗତ ଦିନରେ ପ୍ରଣବ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଆସନ୍ତୁ ଜାଣିବା ଦୁଇ ଥର ପ୍ରଧାନମନ୍ତ୍ରୀ ହେବାରୁ ଅଳ୍ପକେରୁ ବର୍ତ୍ତିଥିବା ପ୍ରଣବଙ୍କ ଜୀବନ ଯାତ୍ରା ବିଷୟରେ…

ଜନ୍ମ

ପ୍ରଣବ ମୁଖାର୍ଜୀ ସ୍ଵାଧୀନତା ସଂଗ୍ରାମୀ କାମଦା କିଙ୍କର ମୁଖାର୍ଜୀ ଓ ରାଜଲକ୍ଷ୍ମୀଙ୍କ ଔରସରୁ ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାର ଏକ ଛୋଟ ଗାଁ ମିରାତିରେ ୧୯୩୫ ଡିସେମ୍ବର ୧୧ରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ବାପା କଂଗ୍ରେସ ନେତା ଭାବେ ସ୍ଵାଧୀନତା ଆନ୍ଦୋଳନରେ ଭାଗ ନେବା କାରଣରୁ ଅନେକ ଥର ଜେଲ ଯାଇଛନ୍ତି।

ପରିବାର

ମୁଖାର୍ଜୀଙ୍କ ବିବାହ ନିଷ୍ଣାତ ଗାୟିକା ତଥା କଳାକାର ଶୁଭ୍ରା ମୁଖାର୍ଜୀଙ୍କୁ ବିବାହ କରିଥିଲେ। ୨୦୧୫ ଅଗଷ୍ଟ ୧୮ରେ ଶୁଭ୍ରା ମୁଖାର୍ଜୀଙ୍କ ନିଧନ ଘଟିଥିଲା। ତାଙ୍କର ଦୁଇ ପୁତ୍ର ଅଭିଜିତ ମୁଖାର୍ଜୀ, ଇନ୍ଦ୍ରଜିତ ମୁଖାର୍ଜୀ ଓ ଜଣେ ଝିଅ ଶର୍ମିଷ୍ଠା ମୁଖାର୍ଜୀ।  ଅଭିଜିତ ମୁଖାର୍ଜୀ ଦୁଇ ଥର ଲୋକସଭା ସାଂସଦ ରହିଥିବା ବେଳେ ଶର୍ମିଷ୍ଠା କଂଗ୍ରେସ ପକ୍ଷରୁ  ବିଧାନସଭା ନିର୍ବାଚନ ଲଢିଛନ୍ତି।

ପ୍ରଣବ ମୁଖାର୍ଜୀ ନିଜର ପ୍ରାରମ୍ଭିକ ଶିକ୍ଷା ଗୃହ ଜିଲ୍ଲା ବୀରଭୂମରେ କରିଥିଲେ। ପରେ ସେ କୋଲକାତା ଚାଲି ଆସିଥିଲେ ଏବଂ ସେଠାରେ ରାଜନୈତିକ ଶାସ୍ତ୍ର ଓ ଇତିହାସରେ ଏମ.ଏ. କରିଥିଲେ। ସେ କୋଲକାତା ବିଶ୍ଵ ବିଦ୍ୟାଳୟରୁ ଏଲ.ଏଲ.ବି.ରେ ଡିଗ୍ରୀ ହାସଲ କରିଥିଲେ।

କ୍ୟାରିୟର

୧୯୬୩ରେ ପ୍ରଣବ ମୁଖାର୍ଜୀଙ୍କ କ୍ୟାରିୟର କୋଲକାତାରେ ଡେପୁଟୀ ଆକାଉଣ୍ଟେଟ୍ ଜେନେରାଲର କାର୍ଯ୍ୟାଳୟରେ ଜଣେ ଅପର ଡିଜିଭନ କିରାଣୀ ଭାବେ ଆରମ୍ଭ କରିଥିଲେ। ପରେ ସେ ନିଜର  କଲେଜ ବିଦ୍ୟାନଗର କଲେଜରେ ରାଜନୀତି ବିଜ୍ଞାନରେ ସହାୟକ ପ୍ରଫେସର ଭାବେ ଶିକ୍ଷାଦାନ କରିଥିଲେ। ରାଜନୀତିରେ ପାଦ ଦେବା ପୂର୍ବରୁ ଦେଶର ଡାକ ମ୍ୟାଗଜିନରେ ଜଣେ ସାମ୍ବାଦିକ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ପରେ ୧୯୬୯ରେ ସେ ରାଜନୀତିରେ ପ୍ରବେଶ କରିଥିଲେ ଓ ରାଷ୍ଟ୍ରପତି ପଦ ପର୍ଯ୍ୟନ୍ତ ପହଞ୍ଚିଥିଲେ।

ରାଜନୈତିକ ଜୀବନ

ପ୍ରଣବ ମୁଖାର୍ଜୀଙ୍କୁ ରାଜନୀତିକୁ ଆଣିବାର ଶ୍ରେୟ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଦିଆଯାଏ। ୧୯୭୩-୭୪ରେ ଇନ୍ଦିରା ତାଙ୍କୁ ଉଦ୍ୟୋଗ, ଜାହାଜ ଓ ପରିବହନ, ଇସ୍ପାତ ଏବଂ ଉଦ୍ୟୋଗ ଉପମନ୍ତ୍ରୀ ତଥା ଅର୍ଥ ରାଷ୍ଟ୍ର ମନ୍ତ୍ରୀ କରିଥିଲେ। ୧୯୮୨ରେ ସେ ଇନ୍ଦିରା ଗାନ୍ଧୀଙ୍କ ମନ୍ତ୍ରିମଣ୍ଡଳରେ ଦେଶର ଅର୍ଥମନ୍ତ୍ରୀ ହୋଇଥିଲେ ଓ ୧୯୮୦ ରୁ ଓ ୧୯୮୫ ପର୍ଯ୍ୟନ୍ତ ରାଜ୍ୟସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ।

ପ୍ରଣବ ମୁଖାର୍ଜୀ ୧୯୬୯ରେ ପ୍ରଥମ ଥର ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ସେ ପାଞ୍ଚ ଥର ସଂସଦର ଉଚ୍ଚସଦନର ସଦସ୍ୟ ରହିଛନ୍ତି। ୨୦୦୪ ଓ ୨୦୦୯ ଲୋକସଭା ନିର୍ବାଚନରେ ବିଜୟୀ ହୋଇ ସେ ଲୋକସଭାର ସଦସ୍ୟ ହୋଇଥିଲେ। ମୁଖାର୍ଜୀ ୨୩ ବର୍ଷ ପର୍ଯ୍ୟନ୍ତ ପାର୍ଟିର ସର୍ବୋଚ୍ଚ ନୀତି ନିର୍ଦ୍ଧାରକ କଂଗ୍ରେସ କାର୍ଯ୍ୟକାରିଣୀ କମିଟିର ସଦସ୍ୟ ରହିଛନ୍ତି। ସେ ୮ ବର୍ଷ ପର୍ଯ୍ୟନ୍ତ ଲୋକସଭାରେ ଦଲୀୟ ନେତା ରହିଥିଲେ।

ଉପଲବ୍ଧି

ସପ୍ତମ ଓ ଅଷ୍ଟମ ଦଶନ୍ଧିରେ ପ୍ରଣବ କ୍ଷେତ୍ରୀୟ ଗ୍ରାମାଞ୍ଚଳ ବ୍ୟାଙ୍କ(୧୯୭୫) ତଥା ଭାରତୀୟ ଏକଜିମ ବ୍ୟାଙ୍କ ସହିତ ରାଷ୍ଟ୍ରୀୟ କୃଷି ଓ ଗ୍ରାମୀଣ ବିକାଶ ବ୍ୟାଙ୍କ(୧୯୮୧-୮୨)ର ସ୍ଥାପନରେ ମହତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ମୁଖାର୍ଜୀ ୧୯୯୧ରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମ୍ବଳର ବଣ୍ଟନ ନେଇ ଯେଉଁ ଫର୍ମୁଲା ପ୍ରସ୍ତୁତ କରାଯାଇଛି ତାକୁ ଆଜି ମଧ୍ୟ ଗାଡଗିଲ-ମୁଖାର୍ଜୀ ନାମରେ ପରିଚିତ।

ନ୍ୟୁୟର୍କରୁ ପ୍ରକାଶିତ ହେଉଥିବା ଜର୍ଣ୍ଣାଲ ‘ୟୁରୋ ମନି’ ଦ୍ଵାରା ଆୟୋଜିତ ସର୍ଭେରେ ୧୯୮୪ରେ ବିଶ୍ଵର ସର୍ବୋତ୍ତମ ପାଞ୍ଚ ଅର୍ଥ ମନ୍ତ୍ରୀରେ ସାମିଲ ହୋଇଥିଲେ। ବିଶ୍ଵ ବ୍ୟାଙ୍କ ତଥା ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷ ପାଇଁ ଜର୍ଣ୍ଣାଲ ଅଫ ରେକର୍ଡ ‘ଏମର୍ଜିଂ ମାର୍କେଟ୍ସ’ ଦ୍ଵାରା ତାଙ୍କୁ ୨୦୧୦ରେ ଏସିଆ ପାଇଁ ‘ଇୟର ଅଫ ଫାଇନାନ୍ସ ମିନିଷ୍ଟର’ ଘୋଷିତ ହୋଇଥିଲେ।।

ପଦଭାର

୧୯୯୧ରୁ ୧୯୯୬ ପର୍ଯ୍ୟନ୍ତ ପ୍ରଣବ ମୁଖାର୍ଜୀ ଯୋଜନା ଆୟୋଗର ଉପାଧ୍ୟକ୍ଷ, ୧୯୯୩ ରୁ ୯୫ ପର୍ଯ୍ୟନ୍ତ ବାଣିଜ୍ୟ ମନ୍ତ୍ରୀ, ୧୯୯୫ ରୁ ୧୯୯୬ ପର୍ଯ୍ୟନ୍ତ ବୈଦେଶିକ ମନ୍ତ୍ରୀ, ୨୦୦୪ ରୁ ୨୦୦୬ ପର୍ଯ୍ୟନ୍ତ ପ୍ରତିରକ୍ଷା ମନ୍ତ୍ରୀ ତଥା ୨୦୦୬ ରୁ ୨୦୦୯ ପର୍ଯ୍ୟନ୍ତ ବୈଦେଶିକ ମନ୍ତ୍ରୀ ରହିଥିଲେ। ସେ ୨୦୦୯ ରୁ ୨୦୧୨ ପର୍ଯ୍ୟନ୍ତ ଦେଶର ଅର୍ଥମନ୍ତ୍ରୀ ରହିଛନ୍ତି। ୨୦୧୨ରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ସେ କଂଗ୍ରେସ ଓ ଲୋକସଭାରୁ ଇସ୍ତଫା ଦେଇଥିଲେ।

ମନମୋହନ ସରକାରରେ ପ୍ରଣବ ମୁଖାର୍ଜୀଙ୍କ ପ୍ରଭାବ କେତେ ଥିଲା ଆପଣ ଏଥିରୁ ଅନୁମାନ କରି ପାରିବେ ଯେ ୨୦୦୪ ରୁ ୨୦୧୨ ମଧ୍ୟରେ ପ୍ରଶାସନିକ ସୁଧାର, ସୂଚନା ଅଧିକାର ଆଇନ, ରୋଜଗାର ଅଧିକାର, ଖାଦ୍ୟ ସୁରକ୍ଷା, ସୂଚନା ପ୍ରଯୁକ୍ତିବିଦ୍ୟା ଓ ଦୂରସଞ୍ଚାର, ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣ, ମେଟ୍ରୋ ରେଲ ଆଦିର ସ୍ଥାପନା ପରି ବିଭିନ୍ନ ପ୍ରସଙ୍ଗରେ ଗଠିତ ୯୫ରୁ ଅଧିକ ମନ୍ତ୍ରୀ ସମୂହର ଅଧ୍ୟକ୍ଷ ରହିଥିଲେ।

ପୁରସ୍କାର ଓ ସମ୍ମାନ

ମୁଖାର୍ଜୀ ଭାରତୀୟ ଅର୍ଥବ୍ୟବସ୍ଥା ତଥା ରାଷ୍ଟ୍ର ନିର୍ମାଣ ଉପରେ ଅନେକ ପୁସ୍ତକ ରଚନା କରିଛନ୍ତି। ସେ ଅନେକ ପୁରସ୍କାର ଓ ସମ୍ମାନ ମିଳିଛି। ଏଥିରେ ୨୦୦୮ରେ ପଦ୍ମ ବିଭୂଷଣ, ୧୯୯୭ରେ ସର୍ବୋତ୍ତମ ସାଂସଦ ତଥା ୨୦୧୧ରେ ଭାରତର ସର୍ବୋତ୍ତମ ପ୍ରଶାସକ ପୁରସ୍କାର ସାମିଲ। ଦୁନିଆର ଅନେକ ବିଶ୍ଵ ବିଦ୍ୟାଳୟ ତାଙ୍କୁ ଡକ୍ଟରେଟ୍ ଉପାଧିରେ ସମ୍ମାନିତ କରିଛନ୍ତି। ୨୦୧୯ରେ ମୋଦୀ ସରକାର ତାଙ୍କୁ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ ଦେଇ ସମ୍ମାନିତ କରିଥିଲେ।

କଂଗ୍ରେସ ସହ ମତଭେଦ

୧୯୮୪ରେ ରାଜୀବ ଗାନ୍ଧୀଙ୍କ ସହ ମତଭେଦ ନେଇ ପ୍ରଣବ ମୁଖାର୍ଜୀଙ୍କୁ ଅର୍ଥମନ୍ତ୍ରୀ ପଦ ଛାଡିବାକୁ ପଡିଥିଲା। ସେ କଂଗ୍ରେସଠୁ ଦୂରେଇ ଯାଇଥିଲେ ଏବଂ ଏମିତି ସମୟ ଆସିଥିଲା ଯେତେବେଳେ ମୁଖାର୍ଜୀ ଏକ ନୂତନ ଦଳ ଗଠନ ମଧ୍ୟ କରିଥିଲେ। ସେ ରାଷ୍ଟ୍ରୀୟ ସମାଜବାଦୀ କଂଗ୍ରେସର ଗଠନ କରିଥିଲେ। ମାତ୍ର ଏହି ପାର୍ଟି କିଛି ଚମତ୍କାର କରିପାରିନଥିଲା ଏବଂ ଭିଭି ସିଂହ ପାର୍ଟି ଛାଡିବା ପରେ କଂଗ୍ରେସର ସ୍ଥିତି ମଧ୍ୟ ଦୋହଲି ଯାଇଥିଲା। ପରେ ରାଜୀବ ପ୍ରଣବ ମୁଖାର୍ଜୀଙ୍କ ଉପରେ ପୁନଃ ଭରସା ପ୍ରକଟ କରିଥିଲେ ଏବଂ ତାଙ୍କୁ ମନାଇ ପାର୍ଟିକୁ ଆଣିଥିଲେ। ତାଙ୍କର ପାର୍ଟି ରାଷ୍ଟ୍ରୀୟ ସମାଜବାଦ ପାର୍ଟି କଂଗ୍ରେସରେ ବିଲୟ ହୋଇଥିଲା।

ପ୍ରଣବ ମୁଖାର୍ଜୀଙ୍କୁ ଏମିତି ଜଣେ ବ୍ୟକ୍ତି ଭାବେ ମନେ ରଖାଯିବ ଯାହାଙ୍କୁ  ପରସ୍ପର ମତଭେଦ ଭୁଲି ସବୁ ରାଜନୈତିକ ଦଳ ସମ୍ମାନ କରୁଥିଲେ। ମୋଦୀ ସରକାର ଦ୍ଵାରା ଭାରତ ରତ୍ନ ପାଇଁ ତାଙ୍କ ନାମ ଚୟନ କରିବା ଏହାର ପ୍ରମାଣ। ସେ କୂଟନୀତି, ଅର୍ଥନୀତି, ରାଜନୀତି ଓ ସଂସଦୀୟ ପରମ୍ପରା ଉପରେ ଗଭୀର ଜ୍ଞାନ ରଖୁଥିବା ରାଜନେତା ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.